ମାମଲାର ରାୟ ଆସିବା ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନରେ ହିଜାବ, ଅନ୍ୟ ଧାର୍ମିକ ପରିଧାନ ନିଷିଦ୍ଧ : କର୍ଣ୍ଣାଟକ ହାଇକୋର୍ଟ

ବେଙ୍ଗାଲୁରୁ : କର୍ଣ୍ଣାଟକ ହାଇକୋର୍ଟର ୩ ଜଣିଆ ବେଞ୍ଚ୍ ହିଜାବ ମାମଲାର ଶୁଣାଣି ଆରମ୍ଭ କରିଛନ୍ତି । ମାମଲାର ଚୂଡ଼ାନ୍ତ ରାୟ ଆସିବା ପର୍ଯ୍ୟନ୍ତ କୌଣସି ଶିକ୍ଷାନୁଷ୍ଠାନରେ ହିଜାବ, ଗେରୁଆ ଗାମୁଛା କିମ୍ବା ଅନ୍ୟ କୌଣସି ପ୍ରକାର  ଧାର୍ମିକ ପରିଧାନକୁ ନିଷିଦ୍ଧ କରିଛନ୍ତି କୋର୍ଟ । ମାମଲାର ପରବର୍ତ୍ତି ଶୁଣାଣି ଆସନ୍ତା ସୋମବାର ଦିନ ହେବ ।

ଆଜି ଶୁଣାଣି ବେଳେ କୋର୍ଟ କହିଥିଲେ, ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲୁ । ମାମଲାର ଫଇସଲା ଆସିବା ପର୍ଯ୍ୟନ୍ତ ରାଜ୍ୟରେ ଶାନ୍ତି ଓ ସଦ୍ଭାବ କାଏମ ହେଉ । ସେ ପର୍ଯ୍ୟନ୍ତ କେହି ଏପରି ଧାର୍ମିକ କାର୍ଯ୍ୟ ପାଇଁ ଦାବି ନ କରନ୍ତୁ । ଉଡୁପି ମୁସିଲମ ଛାତ୍ରୀଙ୍କ ପକ୍ଷରୁ ମାମଲା ଲଢୁଥିବା ବରିଷ୍ଠ ଓକିଲ ସଂଜୟ ହେଗଡେ କହିଛନ୍ତି ଯେ, କର୍ଣ୍ଣାଟକ ଶିକ୍ଷା ଆଇନର ସବୁଧାରାକୁ ସେ ପଢିଛନ୍ତି, କିନ୍ତୁ ଏହି ଆଇନରେ ସ୍କୁଲ ୟୁନିଫର୍ମ ସଂପର୍କିତ କୌଣସି ଧାରା ନାହିଁ ।

ଏହି ମାମଲାକୁ ସୁପ୍ରିମକୋର୍ଟକୁ ସ୍ଥାନାନ୍ତରିତ କରିବା ଦାବି କରି ଆଜି ସୁପ୍ରିମକୋର୍ଟରେ ଆଗତ ଏକ ମାମଲା ଖାରଜ ହୋଇଯାଇଛି ।

ହିଜାବ ମାମଲାର ବିଚାର ପାଇଁ କର୍ଣ୍ଣାଟକ ହାଇକୋର୍ଟ ଗତକାଲି ମୁଖ୍ୟ ବିଚାରପତି ଜଷ୍ଟିସ ରିତୁ ରାଜ ଅଓ୍ବସ୍ତିଙ୍କ ଅଧ୍ୟକ୍ଷତାରେ ଏକ ତିନି ଜଣିଆ ବେଞ୍ଚ ଗଠନ କରିଥିଲେ । ଏହି ବେଞ୍ଚରେ ସ୍ଥାନ ପାଇଥିବା ଅନ୍ୟ ବିଚାରପତିମାନେ ହେଲେ ଜଷ୍ଟିସ କାଜି ଜୈବୁନିସା ଓ ଜଷ୍ଟିସ୍ କ୍ରିଷ୍ଣା ଦିକ୍ଷିତ ।

ସମ୍ବନ୍ଧିତ ଖବର