ଚିଟାଗଙ୍ଗରେ ଅବତରଣ କଲା ଅପହରଣ ଉଦ୍ୟମ କରାଯାଉଥିବା ଯାତ୍ରୀବାହୀ ବିମାନ, ଦେଖନ୍ତୁ ଭିଡିଓ

ଢାକା/ ନୂଆଦିଲ୍ଲୀ: ଢାକାରୁ ଭାୟା ଚିଟାଗଙ୍ଗ ଦେଇ ଦୁବାଇ ଅଭିମୁଖେ ଯାଉଥିବା ବାଂଲାଦେଶ ଏୟାରଲାଇନ୍ସର ଏକ ଯାତ୍ରୀବାହୀ ବିମାନକୁ କେତେକ ଦୁର୍ବୃତ୍ତ ଅପହରଣ କରିବାକୁ ଉଦ୍ୟମ କରୁଥିବା ବେଳେ ବିମାନଟି ରବିବାର ଜରୁରିକାଳୀନ ଅବତରଣ କରିଛି।

ବଂଲାଦେଶୀ ଗଣମାଧ୍ୟମ ରିପୋର୍ଟ ମୁତାବକ, ବିମାନ ବିଜି୧୪୭ ଚିଟାଗଙ୍ଗର ସାହାଅମାନତ  ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରିଛି। ଜାଣିବାକୁ ମିଳିଛି ଯେ କେତେକ ବନ୍ଧୁକଧାରୀ ବିମାନର କକ୍‌ପିଟ୍‌ ଭିତରେ ପ୍ରବେଶ କରି ବିମାନଟିକୁ ନିଜ ନିୟନ୍ତ୍ରଣକୁ ନେଇ ଅପହରଣ କରିବା ପାଇଁ ଉଦ୍ୟମ କରିଥିଲେ। ତେବେ, ବିମାନର ପାଇଲଟ୍‌ ଅପହର୍ତାଙ୍କ ଧମକରେ ଡରି ନଯାଇ ବିମାନଟିକୁ ଚିଟାଗଙ୍ଗ ବିମାନବନ୍ଦରରେ ଜରୁରିକାଳୀନ ଅବତରଣ କରାଇ ଦେଇଥିଲେ।

ବଂଲାଦେଶର ସୁରକ୍ଷାକର୍ମୀମାନେ ବିମାନଟିକୁ ଚିଟାଗଙ୍ଗଠାରେ ଲ୍ୟାଣ୍ଡ୍‌ କରିବା ପରେ ଘେରି ଯାଇଥିଲେ। ସମସ୍ତ ଯାତ୍ରୀ ବିମାନରୁ ବାହାରକୁ ବାହାରି ଆସିଥିଲେ। ତେବେ, ଏବେ ବି ବିମାନ ମଧ୍ୟରେ ବନ୍ଧୁକଧାରୀ ଓ ୨ ଜଣ ବିମାନ କ୍ରିୟୁ ମେମ୍ବର  ରହିଥିବା ସୂଚନା ରହିଛି। ଅପହର୍ତାଙ୍କ ଗୁଳିରେ ଜଣେ କ୍ରିୟୁ ମେମ୍ବର ଆହତ ହୋଇଥିବା ମଧ୍ୟ ସୂଚନା ରହିଛି।

ଉଲ୍ଲେଖଯୋଗ୍ୟ, ଏୟାର୍‌ ଇଣ୍ଡିଆର ମୁମ୍ବାଇ କଣ୍ଟ୍ରୋଲ୍‌ ସେଣ୍ଟର୍‌କୁ ବିମାନ ଅପହରଣ ହେବା ନେଇ ଶନିବାର ଏକ ଫୋନ୍‌ କଲରେ ଧମକ ଆସିବା ପରେ ଦେଶର ସମସ୍ତ ବିମାନବନ୍ଦରରେ ହାଇ ଆଲର୍ଟ ଜାରି ହୋଇଥିଲା। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ରୋକିବା ପାଇଁ ବ୍ୟୁରୋ ଅଫ୍‌ ସିଭିଲ୍‌ ଆଭିଏସନ୍‌ ସିକ୍ୟୁରିଟି(ବିସିଏସି) ପକ୍ଷରୁ ସମସ୍ତ ଏୟାର୍‌ଲାଇନ୍‌ ଓ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ୍‌ ସିକ୍ୟୁରିଟି ଫୋର୍ସ(ସିଆଇଏସ୍‌ଏଫ୍‌)କୁ ସୁରକ୍ଷା ବ୍ୟବସ୍ଥା ପାଳନ କରିବାକୁ କୁହାଯାଇଥିଲା।

ସବିଶେଷ ରିପୋର୍ଟକୁ ଅପେକ୍ଷା କରାଯାଇଛି।

ସମ୍ବନ୍ଧିତ ଖବର