ଅପହୃତ ଭାରତୀୟ ଜାହାଜ ଜଳଦସ୍ୟୁଙ୍କ କବଳରୁ ମୁକ୍ତ,୨୨ ଭାରତୀୟ ସୁରକ୍ଷିତ

ନୂଆଦିଲ୍ଲୀ : ଜଳଦସ୍ୟୁଙ୍କ ଦ୍ୱାରା ଅପହୃତ ହୋଇଥିବା ମର୍ଚାଣ୍ଟ ସିପ୍‌ ମେରାଇନ୍‌ ଏକ୍ସପ୍ରେସ (IMO 9403322) ଅପହରଣକାରୀଙ୍କ କବଳରୁ ମୁକ୍ତ ହୋଇଛି । ଏଥିରେ ଥିବା ୨୨ ଭାରତୀୟ କର୍ମଚାରୀ ସୁରକ୍ଷିତ ଅଛନ୍ତି। କିଛି ଦିନ ତଳେ ପଶ୍ଚିମ ଆଫ୍ରିକାର ବେନିନ୍‌ ଉପକୂଳର ଜଳଦସ୍ୟୁମାନେ ଏହି ତୈଳବାହୀ ଜାହାଜକୁ ଅପହରଣ କରିନେଇଥିଲେ। ଏହାପରେ ସେମାନେ ଜାହାଜର ଯୋଗାଯୋଗ ବ୍ୟବସ୍ଥାକୁ ଅଚଳ କରିଦେଇଥିଲେ। ଜାହାଜଟି ମୁକ୍ତ ହୋଇଯାଇଛି ବୋଲି ମଙ୍ଗଳବାର ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଟ୍ଵିଟ୍‌ କରି ଜଣାଇଛନ୍ତି । ଏଥିସହ ଏହାର ସମସ୍ତ କର୍ମଚାରୀ ସୁରକ୍ଷିତ ଥିବା ସୁଷମା ସ୍ୱରାଜ ଜଣାଇଛନ୍ତି ।

 ମୁମ୍ବାଇର ଆଙ୍ଗଲୋ ଇଷ୍ଟର୍ଣ୍ଣ ସିପିଙ୍ଗ କମ୍ପାନି ମାଲିକାନାରେ ଥିବା ଏହି ଜାହାଜ ଅପହୃତ ହେବାପରେ ବିଦେଶ ମନ୍ତ୍ରୀ ଜାହାଜଟିକୁ ଖୋଜିବା ପାଇଁ ନାଇଜେରିଆର ବିଦେଶ ମନ୍ତ୍ରୀଙ୍କ ସହ କଥା ହୋଇଥିବା ବେଳେ ସେ ଏ ନେଇ ପୂର୍ଣ୍ଣ ସହଯୋଗ କରିବେ ବୋଲି କଥା ଦେଇଥିଲେ । ସେମାନେ ସେମାନଙ୍କ କଥା ରଖିବା ସହ ଭାରତର ଏହି ମିସନରେ ସାହାଯ୍ୟ କରିଥିବାରୁ ସୁଷମା ସ୍ୱରାଜ ତାଙ୍କୁ ଟ୍ଵିଟ୍‌ କରି ଧନ୍ୟବାଦ୍‌ ଜଣାଇଛନ୍ତି। ଏହି ଜାହାଜଟିକୁ ଜଳଦସ୍ୟୁଙ୍କ ଠାରୁ ମୁକ୍ତ କରିବା ପାଇଁ ଭାରତ ପକ୍ଷରୁ କିଛି ଟଙ୍କା ଦିଆ ଯାଇଛି କି ନାହିଁ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ।

ସୂଚନା ମୁତାବକ, ଫେବୃଆରି ୧ରେ ମେରାଇନ୍‌ ଏକ୍ସପ୍ରେସକୁ ସାମୁଦ୍ରିକ ଲୁଟେରାମାନେ ଅପହରଣ କରିବା ସହ ଭାରତ ସହ ସମସ୍ତ ଯୋଗାଯୋଗକୁ ବିଚ୍ଛିନ୍ନ କରି ଦେଇଥିଲେ । ତେବେ କେଉଁ ପରିସ୍ଥିତିରେ ଏବଂ କିପରି ସେମାନେ ମୁକ୍ତ ହେଲେ ତାହା ଜଣା ପଡ଼ି ନାହିଁ । ଏହି ଘଟଣା ପରେ ଆଙ୍ଗଲୋ ଇଷ୍ଟର୍ଣ୍ଣ ସିପିଙ୍ଗ କମ୍ପାନି ପକ୍ଷରୁ ଖୁସି ଜାହିର କରାଯାଇ ଫେସବୁକରେ କୃତଜ୍ଞତା ଜ୍ଞାପନ କରାଯାଇଛି। ପୂର୍ବରୁ ଏପରି ଅନେକ ଘଟଣା ଘଟିଛି ଯେଉଁଠି ସାମୁଦ୍ରିକ ଲୁଟେରାମାନେ ଜାହାଜଗୁଡ଼ିକୁ ଅପହରଣ କରି ନେଇ ମୁଲଚାଲ ପରେ ଜାହାଜ ଓ କର୍ମଚାରୀଙ୍କୁ ମୁକ୍ତ କରିଛନ୍ତି ।

ସମ୍ବନ୍ଧିତ ଖବର