ଏମିତି ବଦଳୁଛି ଭାରତ: ୫ ହଜାର ଆତଙ୍କବାଦୀ ଥିବା ହିଜବୂଲରେ ଏବେ ଅଛନ୍ତି ମାତ୍ର ୫ଜଣ

ଶ୍ରୀନଗର: ଶେଷ ନିଶ୍ୱାସ ନେବା ଅପେକ୍ଷାରେ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନ | କଶ୍ମୀରରେ ସୁରକ୍ଷା ବାହିନୀର ଜୋରଦାର ଅପରେସନ ଓ କଶ୍ମୀରବାସୀଙ୍କ ସମର୍ଥନ ହ୍ରାସ ପାଇବା ଫଳରେ ଆତଙ୍କବାଦୀଙ୍କ ଏକ ପ୍ରମୁଖ ସଂଗଠନ ହିଜବୁଲ ମୁଜାହିଦ୍ଦିନ ଏବେ ଏହାର ଶେଷ ନିଶ୍ୱାସ ଗଣିବା ଆରମ୍ଭ କରିଛି। ନା ଅସ୍ତ୍ରଶସ୍ତ୍ର ଅଛି, ନା ଆଶ୍ରୟ ମିଳୁଛି, ନା ଟଙ୍କା ଆସୁଛି, ନା କଶ୍ମୀର ଯୁବକଙ୍କ ସମର୍ଥନ ପାଉଛି, କିଛି ଏଭଳି ଅବସ୍ଥାରେ ଏବେ ପଡ଼ିରହିଛି ଏହି ଆତଙ୍କବାଦୀ ସଂଗଠନ | ଦିନେ ଏହି ସଂଗଠନରେ ପ୍ରାୟ ପାଞ୍ଚ ହଜାର ଆତଙ୍କବାଦୀ ଥିବାବେଳେ ଏବେ କେବଳ ପାଞ୍ଚ ଜଣ ଆତଙ୍କବାଦୀ ରହିଛନ୍ତି। ଏହା ବ୍ୟତୀତ ହିଜବୁଲର ଆର୍ଥିକ ନେଟୱାର୍କ ପ୍ରାୟ ନଷ୍ଟ ହୋଇଯାଇଛି। ଏଥି ସହିତ ପାକିସ୍ତାନ ଅନେକ ନୂତନ ଆତଙ୍କବାଦୀ ସଂଗଠନ ଗଠନ କରି ହିଜବୁଲକୁ ପଛକୁ ଠେଲି ଦେଇଛି।

କଶ୍ମୀରର ମହମ୍ମଦ ୟୁସୁଫ ଶାହା ଓରଫ ସୟଦ ସଲାହୁଦ୍ଦିନ ଏହି ସଂଗଠନର ମୁଖ୍ୟ କମାଣ୍ଡର ଥିବାବେଳେ ଯିଏକି ୩୧ ବର୍ଷ ଧରି ଜମ୍ମୁକଶ୍ମୀରରେ ଲୁଚି ରହିଛି । ସେପ୍ଟେମ୍ବର ୧୯୮୯ରେ ପାକିସ୍ତାନର ଗୁପ୍ତଚର ଏଜେନ୍ସି ଦ୍ୱାରା ହିଜବୁଲ ମୁଜାହିଦ୍ଦିନ ଗଠନ କରାଯାଇଥିଲା। ଉତ୍ତର କାଶ୍ମୀରର ବାରାମୁଲାର ଜମାତ-ଇ-ଇସଲାମି କାର୍ଯ୍ୟକର୍ତ୍ତା ମାଷ୍ଟର ଅହସାନ ଦାରକୁ ପ୍ରଥମ କମାଣ୍ଡର କରାଯାଇଥିଲା। ୧୯୯୧ରେ ସଲାହୁଦ୍ଦିନ ଅପରେସନ୍ ଚିଫ୍ କମାଣ୍ଡର ହୋଇଥିଲା | ଆଉ ଗତ ତିନି ବର୍ଷ ମଧ୍ୟରେ ଅଧିକାଂଶ ହିଜବୁଲ ଆତଙ୍କବାଦୀ ନିହତ ହୋଇଥିବାବେଳେ ଚାରିମାସ ପୂର୍ବରୁ ହିଜବୁଲ ଆତଙ୍କବାଦୀଙ୍କ ସଂଖ୍ୟା ନଅ ଥିଲା। ବର୍ତ୍ତମାନ ପାଞ୍ଚ ଜଣ ଆତଙ୍କବାଦୀ ରହିଛନ୍ତି। ସେମାନଙ୍କ ମଧ୍ୟରେ ଫାରୁକ୍ ନଲି ସବୁଠାରୁ ପୁରୁଣା ହୋଇଥିବାବେଳେ ଏହି ପାଞ୍ଚ ଆତଙ୍କବାଦୀ କ୍ରମାଗତ ଭାବରେ ଲୁଚି ରହିଥିବା ସ୍ଥାନ ବଦଳାଉଛନ୍ତି |

ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ଡକ୍ଟର ଶେଶପାଲ ବେଦ କହିଛନ୍ତି ଯେ ଆଜି ପାକିସ୍ତାନକୁ ହିଜବୁଲ ମୁଜାହିଦ୍ଦିନର ଆବଶ୍ୟକତା ନାହିଁ। କାରଣ ହିଜବୁଲ ମଧ୍ୟ ଲଶ୍କର ଏବଂ ଜୈସ ଆତଙ୍କବାଦୀ ସଂଗଠନ ପରି ଆନ୍ତର୍ଜାତୀୟ ସ୍ତରରେ ନିଷିଦ୍ଧ ଆତଙ୍କବାଦୀ ସଂଗଠନରେ ପରିଣତ ହୋଇଛି। ସେଥିପାଇଁ ହିଜବୁଲକୁ ମିଳିଥିବା ଅସ୍ତ୍ରଶସ୍ତ୍ର ଏବଂ ଅର୍ଥର ସାହାଯ୍ୟକୁ କମାଇ ଦିଆଯାଇଛି | ଧାରା -୩୭୦ ହଟାଇବା ପରେ ପାକିସ୍ତାନ ପୁରୁଣା ଆତଙ୍କବାଦୀ ସଂଗଠନ ବଦଳରେ ନୂଆ ପ୍ରସ୍ତୁତି ଆରମ୍ଭ କରିଛି। ସେଥିରେ ରେଜିଷ୍ଟାନ୍ସ ଫ୍ରଣ୍ଟ, କାଶ୍ମୀରୀ ଫ୍ରିଡମ୍ ଫାଇଟର୍ସ ଏବଂ ପିପୁଲ୍ସ ଆଣ୍ଟି ଫାସିଷ୍ଟ ଫ୍ରଣ୍ଟ ପ୍ରମୁଖ ରହିଛି |

ସମ୍ବନ୍ଧିତ ଖବର