ମା’ଙ୍କ ଆଖି ଲାଖି ଯିବାରୁ ଚଳନ୍ତା ଗାଡ଼ିରୁ ଖସି ପଡ଼ିଲା ବର୍ଷକର ଶିଶୁ, ଗୁରୁଣ୍ଡିଗୁରୁଣ୍ଡି ଚେକ୍‌ ପୋଷ୍ଟରେ ପହଞ୍ଚିଥିଲା; ଭିଡିଓ ଦେଖନ୍ତୁ

କେରଳ: କେରଳର ଇଡ୍ଡୁକିରେ ଏକ ବିସ୍ମୟଜନକ ଘଟଣା ଘଟିଛି। ଏହି ଘଟଣାକୁ ଦେଖି ଲାଗୁଛି କି ‘ଯାହକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ’ କଥାଟି ନିରାଟ ସତ୍ୟ।  ମୁନ୍ନାର ଅଞ୍ଚଳରେ ଏକ ଚଳନ୍ତା ଜିପରୁ ବର୍ଷକର ଶିଶୁ ଖସି ପଡିବାର ଏକ ଭିଡିଓ ସାମ୍ନାକୁ ଆସିଛି।  ସୌଭାଗ୍ୟବଶତଃ ଶିଶୁଟିର ଜୀବନ ରକ୍ଷା ପାଇ ଯାଇଛି।

କେରଳର ଏକ ପରିବାର ଗତ ରବିବାର ଦିନ ତାମିଲନାଡୁର ପଲାନୀ ମନ୍ଦିରରୁ ପୂଜା ସାରି ଫେରୁଥିଲେ। ତାଙ୍କ ସହିତ ତାଙ୍କର ବର୍ଷକର ଶିଶୁ କନ୍ୟା ରୋହିତା ବି ଥିଲା। ମା’ ସତ୍ୟଭାମା ବର୍ଷକର ଶିଶୁକୁ କୋଳରେ ବସାଇଥିଲେ। ଜିପଟି ମୁନ୍ନାର ଅଞ୍ଚଳର ଅଙ୍କାବଙ୍କା ରାସ୍ତା ଦେଇ ଯାଉଥିବା ସମୟରେ ସତ୍ୟଭାମାଙ୍କ ଆଖି ଲାଖି ଯାଇଥିଲା। ଏବଂ  ସତ୍ୟଭାମାଙ୍କ କୋଳରୁ ଶିଶୁଟି ରାସ୍ତାକୁ ଖସି ପଡିଥିଲା। ଆଶ୍ଚର୍ଯ୍ୟର କଥା ହେଉଛି ପରିବାର ଲୋକେ ଦୀର୍ଘ ୫୦ କିମି ଯାତ୍ରା କରି ଘରେ ପହଞ୍ଚିବା ପରେ ହିଁ ରୋହିତା ନ ଥିବା କଥା ଜାଣିପାରି ଥିଲେ। ଏହାପରେ ପୁଲିସରେ ଶିଶୁ ନିଖୋଜ ଥିବା ଖବର ଦେଇଥିଲେ।

ଆଶ୍ଚର୍ଯ୍ୟ କଥା ହେଉଛି ରୋହିତା ଗଳି ପଡିବା ପରେ ଗୁରୁଣ୍ଡି ଗୁରୁଣ୍ଡି ସ୍ଥାନୀୟ ଚେକ୍‌ ପୋଷ୍ଟ ପାଖକୁ ଆସିଥିଲା। ବନ ବିଭାଗର ଅଧିକାରୀମାନେ ସିସିଟିଭିରେ ଶିଶୁଟିକୁ ଦେଖି ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏବେ ଶିଶୁଟି ସୁସ୍ଥ ଥିବା ଜଣାପଡିଛି। ବନ ବିଭାଗର ଅଧିକାରୀମାନେ ପରିବାରକୁ ଶିଶୁଟିକୁ ହସ୍ତାନ୍ତର କରି ଦେଇଛନ୍ତି।

ସମ୍ବନ୍ଧିତ ଖବର