ନଭେମ୍ବର ୯ରେ ହିମାଚଳ ବିଧାନସଭା ପାଇଁ ଭୋଟ: ଡିସେମ୍ବର ୧୪ ପୂର୍ବରୁ ଗୁଜରାଟ ନିର୍ବାଚନ

ନୂଆଦିଲ୍ଲୀ: ଆସନ୍ତା ମାସ ୯ ତାରିଖରେ ହିମାଚଳପ୍ରଦେଶ ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏଥି ସହିତ ଗୋଟିଏ ପର୍ଯ୍ୟାୟରେ ହେବାକୁ ଥିବା ଏହି ନିର୍ବାଚନର ଫଳାଫଳ ଡିସେମ୍ବର ୧୮ ତାରିଖରେ ପ୍ରକାଶ ପାଇବ ବୋଲି ଆଜି ମୁଖ୍ୟ ନିର୍ବାଚନ ଆୟୋଗ ଅଚଲ କୁମାର ଜ୍ୟୋତି ଘୋଷଣା କରିଛନ୍ତି। ସେହିପରି ଡିସେମ୍ବର ୧୮ ପୂର୍ବରୁ ଗୁଜରାଟ ବିଧାନସଭା ପାଇଁ ମଧ୍ୟ ନିର୍ବାଚନ ସରିବ। ଏହାଦ୍ୱାରା ଉଭୟ ରାଜ୍ୟର ଭୋଟଗଣତି ଏକକାଳୀନ ଚାଲୁ ହୋଇପାରିବ ବୋଲି ସେ ସୂଚନା ଦେଇଛନ୍ତି। ତେବେ ଏଥିପାଇଁ ନିର୍ଦ୍ଦିଷ୍ଟ ତାରିଖ ସ୍ଥିର ହୋଇନଥିବା ବେଳେ ପରେ ଏ ସଂକ୍ରାନ୍ତ ସୂଚୀ ପ୍ରକାଶ ପାଇବ ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ୬୮ ଆସନ ବିଶିଷ୍ଟ ହିମାଚଳପ୍ରଦେଶ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ଜାନୁଆରି ୭ ତାରିଖରେ ସରୁଥିବା ବେଳେ ୧୮୨ ଆସନର ଗୁଜରାଟ ବିଧାନସଭା କାର୍ଯ୍ୟକାଳ ଆସନ୍ତା ଜାନୁଆରି ୨୨ ତାରିଖରେ ସରୁଛି। ତେବେ ଲୋକସଭା ପାଇଁ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ହେବାକୁ ଥିବା ଏହି ଦୁଇ ରାଜ୍ୟର ନିର୍ବାଚନ ଅନେକ ଗୁରୁତ୍ୱ ବହନ କରୁଛି। ଆଗକୁ ହେବାକୁ ଥିବା ୨୦୧୯ ଲୋକସଭା ନିର୍ବାଚନରେ ଏହି ଦୁଇ ରାଜ୍ୟର ଫଳାଫଳ କେବଳ ସଂପୃକ୍ତ ରାଜ୍ୟ ନୁହେଁ, ଜାତୀୟ ରାଜନୀତିରେ ମଧ୍ୟ ପ୍ରଭାବ ପକାଇବ ବୋଲି ଅନେକ ରାଜନୈତିକ ବିଶେଷଜ୍ଞ ଅନୁମାନ କରୁଛନ୍ତି।
ହିମାଚଳପ୍ରଦେଶରେ ଦୁର୍ନୀତି ଅଭିଯୁକ୍ତ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ରାଜ୍ୟବାସୀଙ୍କ ପାଖରେ ଲୋକପ୍ରିୟତା ହରାଇ ବସିଥିବା ବେଳେ ଶ୍ରୀ ସିଂହଙ୍କୁ ଦଳ ସପ୍ତମ ଥର ଲାଗି ମୁଖ୍ୟମନ୍ତ୍ରୀ ଆସନରେ ଦେଖିବାକୁ ଚାହୁଛି। ତଦନୁଯାୟୀ, ବୀରଭଦ୍ର ମଧ୍ୟ ଆଗାମୀ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଗତ ଶନିବାର ଘୋଷଣା କରି ସାରିଛନ୍ତି। ଅପରପକ୍ଷେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ପାଥେୟ କରି ବିଜେପି ଏଥର ସରକାର ଗଢ଼ିବ ବୋଲି ମଧ୍ୟ ଦଳ ଆଶାବାଦୀ ରହିଛି।
ଆଗାମୀ ହିମାଚଳପ୍ରଦେଶ ନିର୍ବାଚନ ପାଇଁ କିଛି ବିଶେଷ ବ୍ୟବସ୍ଥା କରାଯାଇଛି। ଏଥରକେବଳ ମହିଳାମାନଙ୍କ ଦ୍ୱାରା ପରିଚାଳିତ ୧୩୬ ବୁଥ୍‌ ରହିବ। ସେହିପରି ଭିନ୍ନକ୍ଷମଙ୍କ ସୁଗମ ଯାତାୟତ ପାଇଁ ରାଜ୍ୟ ସରକାର ୨୦୦ଟି ହ୍ଵିଲ୍‌ ଚେୟାର ବ୍ୟବସ୍ଥା କରିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର