ହିମାଚଳ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଜୟରାମ

ସିମଲା: ଜୟରାମ ଠାକୁର ଆଜି ହିମାଚଳ ପ୍ରଦେଶର ଚତୁର୍ଦ୍ଦଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟ ରାଜଧାନୀ ସିମଲାର ଐତିହାସିକ ରିଜ୍‌ ମଇଦାନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ଅଧ୍ୟକ୍ଷ ଅମିତ ଶାହ, ବରିଷ୍ଠ ବିଜେପି ନେତା ଏଲକେ ଆଡଭାନୀ ଏବଂ ଅନ୍ୟ ନେତାମାନଙ୍କ ଉପସ୍ଥିତିରେ ଠାକୁର ଶପଥ ନେଇଛନ୍ତି। ଠାକୁରଙ୍କ ସହିତ ଅନିଲ ଶର୍ମା, ସର୍ବିନ ଚୌଧୁରୀ,ରାମଲାଲ ମର୍କାଣ୍ଡା, ବୀରେନ୍ଦ୍ର କନଓ୍ଵର ଏବଂ ବିକ୍ରମ ସିଂହ ମଧ୍ୟ ନୂଆ ହିମାଚଳ ପ୍ରଦେଶ ସରକାରରେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାପରେ ଜୟରାମ କହିଛନ୍ତି ଯେ ଜନସାଧାରଣଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରବାକୁ ସେ ନିଷ୍ଠାପର ଉଦ୍ୟମ କରିବେ ଏବଂ ବିଜେପି ସରକାର ପ୍ରତି ଲୋକମାନଙ୍କର ରହିଥିବା ବିଶ୍ୱାସକୁ ବଜାୟ ରଖିବେ । ଜୟରାମ ତାଙ୍କ ବାପାଙ୍କୁ ମନେ କହିଛନ୍ତି ଯଦି ଆଜି ଏହି ସ୍ଥାନରେ ମୋ ବାପା ଥାଆନ୍ତେ ତେବେ ମୁଁ ସବୁଠୁ ବେଶୀ ଖୁସି ହୋଇଥାନ୍ତି। ଜୟରାମ ମୁଖ୍ୟମନ୍ତ୍ରୀ ହେବା ସାଧାରଣ ଲୋକଙ୍କର ବିଜୟ ବୋଲି ତାଙ୍କ ପତ୍ନୀ ସାଧନା ଠାକୁର କହିଛନ୍ତି। ୬୮ ଆସନ ବିଶିଷ୍ଟ ହିମାଚଳ ବିଧାନସଭା ନିର୍ବାଚନରେ ବିଜେପି ୪୪ ଆସନ ଅକ୍ତିଆର କରି ବିପୁଳ ବିଜୟ ହାସଲ କରିଛି।

ସମ୍ବନ୍ଧିତ ଖବର