ହିମାଚଳ ମୁଖ୍ୟମନ୍ତ୍ରୀ ଦୌଡ଼:ଚର୍ଚ୍ଚାରେ ନଡ୍ଡା, ଜୟରାମ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ବିଜେପିର ବିପୁଳ ବିଜୟ ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପ୍ରେମ କୁମାର ଧୁମଲଙ୍କ ପରାଜୟ ଦଳ ପାଇଁ ଚିନ୍ତାର କାରଣ ହୋଇଛି। ଏବେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୌଡ଼ରେ ୫ ଜଣ ନେତାଙ୍କ ନାମକୁ ନେଇ ଚର୍ଚ୍ଚା ଚାଲିଛି। ତେବେ ଏହି ଦୌଡ଼ରେ ସମସ୍ତଙ୍କଠାରୁ ଆଗରେ ଅଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା। ଏଥର ବିଧାନସଭା ନିର୍ବାଚନରେ ହିମାଚଳରେ ବିଜେପିର ପ୍ରଚାର ଅଭିଯାନକୁ ନିଜେ ନିୟନ୍ତ୍ରଣ କରିଥିବା ନଡ୍ଡାଙ୍କ କାର୍ଯ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଖୁସି ଅଛନ୍ତି। ନଡ୍ଡାଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ପ୍ରସଙ୍ଗରେ କେନ୍ଦ୍ରୀୟ ନେତୃତ୍ୱ ଆଲୋଚନା ଆରମ୍ଭ କରିଦେଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଦଳର ବରିଷ୍ଠ ନେତା ଜୟରାମ ଠାକୁର। ଚର୍ଚ୍ଚାରେ ଥିବା ଅନ୍ୟ ନେତାମାନେ ହେଲେ ମଣ୍ଡି ଆସନରୁ ବିଜୟୀ ହୋଇଥିବା ଅଜୟ ଜମ୍ବାଲ, ନାହନ ବିଧାୟକ ରାଜୀବ ଜିନ୍ଦଲ ଏବଂ ସିମଲା ସହରାଞ୍ଚଳ ଆସନରୁ ବିଜୟୀ ହୋଇଥିବା ସୁରେଶ ଭରଦ୍ୱାଜ।
ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାପାଇଁ ନଡ୍ଡା ହିଁ ସବୁ କ୍ଷେତ୍ରରୁ ଉପଯୁକ୍ତ ଥିବା ଏବଂ ୨୦୧୯ ନିର୍ବାଚନ ପାଇଁ ଦଳକୁ ଅଧିକ ଶକ୍ତିଶାଳୀ କରିବା ଦୃଷ୍ଟିରୁ ତାଙ୍କ ହାତରେ ହିଁ ଶାସନ ଭାର ଦେବାକୁ ଅଧିକାଂଶ ବିଧାୟକ ଗୁରୁତ୍ୱାରୋପ କରିଛନ୍ତି। ଆଜି ଦିଲ୍ଲୀରେ ହିମାଚଳ ପର୍ଯ୍ୟବେକ୍ଷକଙ୍କ ବୈଠକରେ ଏହି ୫ ନାମକୁ ନେଇ ଚର୍ଚ୍ଚା ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ନଡ୍ଡା ବିଧାନସଭା ନିର୍ବାଚନ ଲଢ଼ି ନଥିଲେ ମଧ୍ୟ କେନ୍ଦ୍ରୀୟ ନେତୃତ୍ୱର ଅଧିକ ନିକଟତର ଅଛନ୍ତି।

ରାଜ୍ୟରେ ସେ ତିନି ଥର ବିଧାୟକ ନିର୍ବାଚିତ ହୋଇଥିବା ବେଳେ ୨ ଥର ମନ୍ତ୍ରୀ ମଧ୍ୟ ରହିଛନ୍ତି। ତେବେ ବିଗତ ୫ ବର୍ଷ ମଧ୍ୟରେ ନଡ୍ଡା ରାଜ୍ୟ ରାଜନୀତିରେ ବିଶେଷ ସକ୍ରିୟ ନଥିବାରୁ ତାଙ୍କ ସ୍ଥାନରେ ପ୍ରେମ କୁମାର ଧୁମଲଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯାଇଥିଲା। ତେବେ କେନ୍ଦ୍ରରେ ମଧ୍ୟ ନଡ୍ଡା ନିଜ ଦକ୍ଷତା ପ୍ରମାଣିତ କରିଥବାରୁ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ ଦେବାକୁ ପ୍ରଧାନମନ୍ତ୍ରୀ ଚାହିବେ ନାହିଁ ବୋଲି କୁହାଯାଉଛି। ଆଗାମୀ ଦୁଇଦିନ ମଧ୍ୟରେ ହିମାଚଳ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ସ୍ଥିତି ସ୍ପଷ୍ଟ ହୋଇଯିବ ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର