ହିମାଚଳ ବନ୍ୟା : ସ୍ଥିତି ଉପରେ ନଜର ରଖାଯାଇଛି : ମୋଦୀ ; ଏନଡିଆରଏଫ ଟିମ ପଠାଇଲା କେନ୍ଦ୍ର

ଧର୍ମଶାଳା :  ହିମାଚଳ ପ୍ରଦେଶରେ ଆଜି ହୋଇଥିବା ବାଦଲ ଫଟା ବର୍ଷା ଓ ତାପରେ ଆସିଥିବା ପ୍ରବଳ ବନ୍ୟା ଯୋଗୁଁ ଧର୍ମଶାଳାର ମାକଲିଓଗଞ୍ଜ ଅଞ୍ଚଳରେ ନାହିଁ ନଥିବା କ୍ଷୟକ୍ଷତି ହୋଇଛି । ସେହିପରି ଧର୍ମଶାଳାର ଛେତ୍ରୁ ଗାଁରେ ପ୍ରବଳ କ୍ଷୟକ୍ଷତି ହୋଇଛି । ଧର୍ମଶାଳାଠାରୁ ୩୦ କିଲୋମିଟର ଦୂରରେ ଥିବା କାଙ୍ଗ୍ରା ଜିଲ୍ଲାର ବୋହ ଘାଟିରେ ଭୂସ୍ଖଳନ ହେବାରୁ ଅତି କମରେ ୫ ଜଣ ଲୋକ ପ୍ରାଣ ହରାଇଛନ୍ତି, ୫ଟି ଘର ନଷ୍ଟ ହୋଇଯାଇଛି  ଓ ଅନେକ ଯାନବାହାନ ଭାସିଯାଇଛି ।

ଏହି ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚିନ୍ତା ପ୍ରକଟ କରିବା ସହ ସ୍ଥିତି ଉପରେ ନଜର ରଖାଯାଇଛି ବୋଲି କହିଛନ୍ତି । ଏକ ଟ୍ବିଟ୍ କରି ସେ ଲେଖିଛନ୍ତି ଯେ କେନ୍ଦ୍ର ସରକାର ହିମାଚଳ ପ୍ରଦେଶ ସରକାରଙ୍କ ସହ ମିଶି କାର୍ଯ୍ୟ କରୁଛନ୍ତି । ସେହିପରି ଗୃହମନ୍ତ୍ରୀ ଅମିତ ଶାହା ଏକ ଟ୍ବିଟ କରି ଲେଖିଛନ୍ତି ଯେ ହିମାଚଳ ପ୍ରଦେଶକୁ ଏନଡିଆରଏଫର ଟିମ ପଠାଯାଇଛି । ଗୃହ ମନ୍ତ୍ରାଳୟ ସ୍ଥିତି ଉପରେ ବରାବର ନଜର ରଖିଛି ।

ହିମାଚଳ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ସ୍ଥିତିର ସମୀକ୍ଷା କରିବା ସହ ତୁରନ୍ତ ସହାୟତା କାମ ଆରମ୍ଭ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ପର୍ଯ୍ୟଟକମାନଙ୍କୁ ନିକଟସ୍ଥ ନଦୀ, ବନ୍ଧ ଓ ଭୂସ୍ଖଳନ ପ୍ରବଣ ଅଞ୍ଚଳକୁ ନ ଯିବାକୁ ପରାମର୍ଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର