ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଆଗ୍ରାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ହରିୟାଣା ପୁଲିସର ଜଣେ କନଷ୍ଟେବଳ ଜଣେ କଏଦୀଙ୍କୁ ଧରି ତାଜମହଲ ବୁଲାଇଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଭିଡିଓଟି ସୋସିଆଲ ମିଡିଆରେ ପୋଷ୍ଟ ହେବାପରେ ଲୋକେ ଏହାକୁ ନେଇ ସମାଲୋଚନା ଆରମ୍ଭ କରିଦେଇଛନ୍ତି।
ସୂଚନାଯୋଗ୍ୟ, କଏଦୀଙ୍କୁ କନଷ୍ଟେବଳ ତାଜମହଲ ପାଖକୁ ନେଇଥିବା ବେଳେ ଭିତରକୁ ପ୍ରବେଶ କରାଇବା ପାଇଁ ସୁରକ୍ଷା କର୍ମଚାରୀମାନେ ଅନୁମତି ଦେଇ ନଥିଲେ। ତେଣୁ କନଷ୍ଟେବଳ ତାଜମହଲ ପରିସରରେ କଏଦୀଙ୍କୁ ବୁଲାଇଥିଲେ। ଏହି ଘଟଣାକୁ ଦେଖି ସେଠାରେ ଥିବା ଅନ୍ୟ ଲୋକମାନେ ଆଶ୍ଚର୍ଯ୍ୟ ହୋଇ କନଷ୍ଟେବଳଙ୍କ ସହ କଏଦୀ ବୁଲୁଥିବାର ଦୃଶ୍ୟକୁ ନିଜ କ୍ୟାମେରାରେ କଏଦ କରି ନେଇଥିଲେ।
ଏହି ଘଟଣା ସାମ୍ନାକୁ ଆସିବା ପରେ ହରିୟାଣାର ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ଘଟଣାର କଡ଼ା ଯାଞ୍ଚ କରାଯାଉଛି। ତେବେ ଭିଡିଓରେ ଦେଖିବାକୁ ମିଳୁଥିବା କନଷ୍ଟେବଳଙ୍କ ପରିଚୟ ଜାଣି ସେ କଏଦୀଙ୍କୁ ହାତକଡ଼ି ପକାଇ ଚେନକୁ ନିଜ ପକେଟରେ ରଖି ଖୋଲାଖୋଲି ଭାବେ ଏମିତି କାହିଁକି ତାଜମହଲ ବୁଲାଇବାକୁ ନେଇଥିଲେ ବା ବୁଲାଉଥିଲେ ସେ ଦିଗରେ ଯାଞ୍ଚ କରାଯାଉଛି। ଯାଞ୍ଚ ଶେଷପରେ ହିଁ କନଷ୍ଟେବଳଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ।