ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ: କଂଗ୍ରେସର ୧ଲକ୍ଷ ଚାକିରି ପ୍ରତିଶ୍ରୁତି

ମହିଳାଙ୍କୁ ଆର୍ଥିକ ସହାୟତା ଏବଂ ପେନସନ୍‌ ଯୋଜନା ଫେରାଇ ଆଣିବା ପ୍ରତିଶ୍ରୁତି

କାଙ୍ଗ୍ରା : ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଅଳ୍ପ ଦିନ ବାକିଥିବାବେଳେ ନିର୍ବାଚନ ପ୍ରଚାର ଜୋରଦାର ହୋଇଛି। କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଶୁକ୍ରବାର ଦିନ ହିମାଚଳରେ ନିର୍ବାଚନ ପ୍ରଚାର କରିଛନ୍ତି। ଏକ ରୢାଲିରେ ଉଦ୍‌ବୋଧନ ଦେଇ ପ୍ରିୟଙ୍କା କହିଛନ୍ତି, କଂଗ୍ରେସ ଯଦି ଆଗାମୀ ବିଧାନସଭା ନିର୍ବାଚନରେ କ୍ଷମତାକୁ ଆସେ ତେବେ ୧ ଲକ୍ଷ ନିଯୁକ୍ତି ମିଳିବ ଏବଂ ପୁରୁଣା ପେନସନ୍‌ ଯୋଜନା ପୁଣିଥରେ ଲାଗୁ ହେବ। ରାଜ୍ୟରେ ପ୍ରତି ମହିଳାଙ୍କୁ ୧୫୦୦ ଟଙ୍କାର ଆର୍ଥିକ ସହାୟତା ମିଳିବ। ପ୍ରତି ବିଧାନସଭା ନିର୍ବାଚନମଣ୍ଡଳୀରେ ୪ଟି ଇଂରାଜୀ ମାଧ୍ୟମ ସ୍କୁଲ୍‌ ନିର୍ମାଣ ପାଇଁ ପ୍ରିୟଙ୍କା ପ୍ରତିଶ୍ରୁତି ଦେଇଛନ୍ତି।

ବିଜେପି ଶାସନ ଅଧୀନ‌ରେ ରାଜ୍ୟ ଋଣଜାଲରେ ବୁଡ଼ି ରହିଛି ବୋଲି ସେ କହିଛନ୍ତି। ହିମାଚଳରେ ଗତ ୫ ବର୍ଷ ମଧ୍ୟରେ ୬୩ ହଜାର ସରକାରୀ ପୋଷ୍ଟ୍‌ ଫାଙ୍କା ପଡ଼ିଛି ‌ବୋଲି ପ୍ରିୟଙ୍କା ଦାବି କରିଛନ୍ତି । ଛତିଶଗଡ଼ ଏବଂ ରାଜସ୍ଥାନରେ କଂଗ୍ରେସ କରିଥିବା କାମକୁ ପ୍ରିୟଙ୍କା ଉଦାହରଣ ଭାବେ ଦର୍ଶାଇଛନ୍ତି। ପ୍ରିୟଙ୍କା କହିଛନ୍ତି, କଂଗ୍ରେସ ହିମାଚଳରେ କ୍ଷମତାକୁ ଆସିଲେ ସବୁ ପ୍ରତିଶ୍ରୁତି ପୂରଣ କରିବ। କଂଗ୍ରେସ କ୍ଷମତାକୁ ଆସିଲେ ପ୍ରଥମ କ୍ୟାବିନେଟ ବୈଠକରେ ପୁରୁଣା ପେନସନ୍‌ ଯୋଜନା କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି। ପ୍ରିୟଙ୍କା ବିଜେପି ବିରୋଧରେ ବର୍ଷି କହିଛନ୍ତି, ବିଜେପି ଲୋକଙ୍କ ପାଇଁ କିଛି କରିବାକୁ ଚାହୁନି। ଏହା କେବଳ ନିଜର ସ୍ବାର୍ଥ ସାଧନ ପାଇଁ କାର୍ଯ୍ୟ କରୁଛି।

ସମ୍ବନ୍ଧିତ ଖବର