ବିଲାସପୁର: ହିମାଚଳ ପ୍ରଦେଶ ନିର୍ବାଚନ ୨୦୨୨ର ଠିକ୍ ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି)ର ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡା କରୋନା ଟିକା ବଦଳରେ ଜନସାଧାରଣଙ୍କଠାରୁ ଭୋଟ୍ ମାଗିଛନ୍ତି। ହିମାଚଳ ପ୍ରଦେଶର ବିଲାସପୁରରେ ଏକ ରାଲିକୁ ସମ୍ବୋଧିତ କରି ଜେପି ନଡ୍ଡା କହିଛନ୍ତି ଯେ ଯେଉଁ ଦଳ ଆପଣଙ୍କୁ ଟିକା ପ୍ରସ୍ତୁତ କରି ସୁରକ୍ଷା ଦେଇଥିଲା। ଏବେ ସେହି ଦଳକୁ ସୁରକ୍ଷା ଦେବାର ସମୟ ଆସିଛି।
ନଡ୍ଡା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ୯ମାସ ମଧ୍ୟରେ ଆମ ଦେଶରେ ୨ଟି ଟିକା ପ୍ରସ୍ତୁତ କଲେ। ଆପଣ ସମସ୍ତଙ୍କୁ ଡବଲ ଡୋଜ ଏବଂ ବୁଷ୍ଟର ଡୋଜ ଦେଇ କରୋନ ଭଳି ମହାମାରୀରୁ ଆପଣଙ୍କୁ ସୁରକ୍ଷା ଦେଲେ। ଆମକୁ ସୁରକ୍ଷା ଦେଇଥିବା ବ୍ୟକ୍ତିଙ୍କୁ ସୁରକ୍ଷା ଦେବା ଆମର ଦାୟିତ୍ବ ଅଟେ। ଆମକୁ ଏବେ ଦଳକୁ ସୁରକ୍ଷା ଦେବାକୁ ପଡିବ।
ବିରୋଧୀ ଦଳ କଂଗ୍ରେସ ଉପରେ ଆକ୍ରମଣ କରି ନଡ୍ଡା କହିଛନ୍ତି, ସୋନିଆ ଗାନ୍ଧୀଙ୍କ ସରକାର ୧୦ବର୍ଷ କ୍ଷମତାରେ ରହି ବି ଅଟଲ ଟନେଲ ମାତ୍ର ୧୩୦୦ମିଟର ନିର୍ମିତ ହୋଇପାରିଥିଲା। ଯେତେବେଳେ ନରେନ୍ଦ୍ର ମୋଦୀଜୀଙ୍କ ସରକାର କେନ୍ଦ୍ରକୁ ଆସିଲେ, ମାତ୍ର ୩ବର୍ଷ ମଧ୍ୟରେ ୧୦କିଲୋମିଟର ଟନେଲ ତିଆରି କରି ବିକାଶର ଏକ ନୂଆ କାହାଣୀ ଲେଖାଯାଇଥିଲା। ଏଭଳି ଦେଶକୁ ବିକାଶର ପଥରେ ନେବାକୁ ଆମକୁ ସାହାଯ୍ୟ କରନ୍ତୁ।
ତେବେ ହିମାଚଳ ପ୍ରଦେଶର ସମସ୍ତ ଆସନରେ ନଭେମ୍ବର ୧୨ରେ ମତଦାନ ହେବ। ମତଦାନର ପାଞ୍ଚ ଦିନ ପୂର୍ବରୁ ୪୧ଟି କେନ୍ଦ୍ରୀୟ ପୁଲିସ ଫୋର୍ସ କମ୍ପାନି ହିମାଚଳରେ ପହଞ୍ଚିବେ। ଅତିରିକ୍ତ କମ୍ପାନିର ଆଗମନ ସହିତ ନଭେମ୍ବର ୫ ପରେ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ।