ହିମାଚଳ ପ୍ରଦେଶ ବିଧାନସଭା ଭିତରେ ରାଜ୍ୟପାଳଙ୍କୁ ଠେଲାପେଲା କରି ୫ କଂଗ୍ରେସ ବିଧାୟକ ନିଲମ୍ବିତ

ସିିମଲା: ହିମାଚଳ ପ୍ରଦେଶ ବିଧାନସଭା ଭିତରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ବିଧାନସଭା କମ୍ପ୍ଲେକ୍ସ ମଧ୍ୟରେ ହିମାଚଳ ପ୍ରଦେଶ ରାଜ୍ୟପାଳ ବୃନ୍ଦାବନ ଦତ୍ତାତ୍ରୟଙ୍କୁ କିଛି କଂଗ୍ରେସ ବିଧାୟକ ଠେଲାପେଲା କରିଥିବା ଅଭିଯୋଗ ହୋଇଛି।

ବାଚସ୍ପତି ବିପିନ ପରମାର କହିଛନ୍ତି ଯେ ସଂସଦୀୟ ବ୍ୟାପାର ମନ୍ତ୍ରୀ ସୁରେଶ ଭରଦ୍ୱାଜଙ୍କ ପ୍ରସ୍ତାବ ଅନୁଯାୟୀ ‘ରାଜ୍ୟପାଳଙ୍କ ଉପରେ ଆକ୍ରମଣ’ ଅଭିଯୋଗରେ ବିରୋଧୀ ଦଳର ନେତା ମୁକେଶ ଅଗ୍ନିହୋତ୍ରୀଙ୍କ ସମେତ ପାଞ୍ଚ ଜଣ କଂଗ୍ରେସ ବିଧାୟକଙ୍କୁ ନିଲମ୍ବିତ କରାଯାଇଛି।

ସୋମବାର ଦିନ ହିମାଚଳ ପ୍ରଦେଶ ବିଧାନସଭାର ବଜେଟ୍‌ ଅଧିବେଶନର ଉଦଘାଟନୀ ଦିବସରେ ବିଧାନସଭାକୁ ସମ୍ବୋଧିତ କରିସାରିବା ପରେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଏବଂ ବାଚସ୍ପତି ବିପିନ ପାରମାରଙ୍କ ଗହଣରେ ରାଜ୍ୟପାଳ ତାଙ୍କ ମୋଟରକେଡ ଆଡକୁ ଯାଉଥିବାବେଳେ ବାଚସ୍ପତିଙ୍କ ଚାମ୍ବର ସମ୍ମୁଖରେ କଂଗ୍ରେସ ଦଳର ବିଧାୟକମାନେ ରାଜ୍ୟପାଳଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ଏବଂ ତାଙ୍କୁ ଠେଲାପେଲା କରିବା ସହ ଆକ୍ରମଣ କରିଥିଲେ।

ଏହି ଘଟଣା ପରେ ସୋମବାର ଅପରାହ୍ନ ୨ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିବା ଗୃହକାର୍ଯ୍ୟକୁ ଆଜି (ଶୁକ୍ରବାର) ଅପରାହ୍ନ ୧ଟାରେ ପୁନଃ ଆରମ୍ଭ କରାଯାଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ସୁରେଶ ଭରଦ୍ୱାଜଙ୍କ ପ୍ରସ୍ତାବ ବିଚାର କରାଯାଇଥିଲା। ଗୃହରେ ଏହି ପ୍ରସ୍ତାବ ଉପରେ ଆଲୋଚନାରେ ଅଂଶଗ୍ରହଣ କରି ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଏହି ଘଟଣାକୁ ‘ରାଜ୍ୟପାଳଙ୍କ ଉପରେ ଆକ୍ରମଣ’ ବୋଲି କହଥିଲେ। ସମ୍ପ୍ରତି ପଞ୍ଚାୟତ ନିର୍ବାଚନରେ ଦଳର ପରାଜୟ ପରେ ଏହା କଂଗ୍ରେସ ବିଧାୟକଙ୍କ ନିରାଶାକୁ ପ୍ରତିଫଳିତ କରିଛି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ଭରଦ୍ୱାଜ କହିଛନ୍ତି।

ସଂସଦୀୟ ମନ୍ତ୍ରୀଙ୍କ ପ୍ରସ୍ତାବ ଉପରେ ବିରୋଧୀ ଦଳର ନେତା ମୁକେଶ ଅଗ୍ନିହୋତ୍ରୀଙ୍କ ସମେତ କଂଗ୍ରେସ ଦଳର ବିଧାୟକ ହର୍ଷବର୍ଦ୍ଧନ ଚୌହାନ, ସୁନ୍ଦର ସିଂ ଠାକୁର, ସତ୍ୟପାଲ ରାଇଜଡା ଏବଂ ବିନୟ କୁମାରଙ୍କୁ ମଧ୍ୟ ବଜେଟ ଅଧିବେସନର ଅବଶିଷ୍ଟ ଦିନଗୁଡ଼ିକ ପାଇଁ ଗୃହରୁ ନିଲମ୍ବିତ କରାଯାଇଛି। ମାର୍ଚ୍ଚ ୨୦ରେ ବିଧାନସଭାର ବଜେଟ ଅଧିବେସନ ଶେଷ ହେବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର