ପୁନେ: ପୁନେ-ସ୍ଥିତ ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟ୍ରପିକାଲ ମେଟେରୋଲୋଜି (ଆଇଆଇଟିଏମ୍)ର ଏକ ଗବେଷଣା ତଥ୍ୟ ଅନୁସାରେ ହିମାଳୟର ବରଫ ଏବେ କଳା ପଡ଼ୁଛି ଏବଂ ଶୀଘ୍ର ତରଳୁଛି। ଉତ୍ତରାଖଣ୍ଡ, ପଞ୍ଜାବ, ହରିୟାଣା, ଗାଙ୍ଗେୟ ସମତଳ ଅଞ୍ଚଳ, ପାକିସ୍ତାନ ଓ ମଧ୍ୟପ୍ରାଚ୍ୟରେ ଜୈବ ଇନ୍ଧନ ଦହନ, ଜଙ୍ଗଲ ପୋଡ଼ି ଏବଂ କୃଷି ବର୍ଜ୍ୟ ବା ନଡ଼ା ପୋଡ଼ି ଯୋଗୁ ଯେଉଁ ଧୂଆଁ ଆକାଶକୁ ଉଠୁଛି, ତା’ର ଝୁଲ (ବ୍ଲାକ୍ କାର୍ବନ ବା ବିସି) ହିମାଳୟର ବରଫ ଉପରେ ପଡ଼ିବା ଯୋଗୁ ବରଫ କଳା ପଡ଼ୁଛି ବୋଲି ଆଇଆଇଟିଏମ୍ର ବୈଜ୍ଞାନିକମାନେ କହିଛନ୍ତି। ଏହି କାରଣରୁ ବାୟୁମଣ୍ଡଳର ପ୍ରଦୂଷଣ ଓ ତାପମାତ୍ରା ବୃଦ୍ଧି ପାଇବା ସହ ହିମାଳୟର ବରଫ ଶୀଘ୍ର ତରଳୁଛି ବୋଲି ସେମାନେ ମତ ଦେଇଛନ୍ତି। ଆଇଆଇଟିଏମ୍ ଦ୍ବାରା ଜୁନ୍ରୁ ଅକ୍ଟୋବର ୨୦୧୯ ଭିତରେ କେନ୍ଦ୍ରୀୟ ହିମାଳୟର ସତୋପନ୍ଥ ଓ ଭଗୀରଥ-ଖଡ଼କ ହିମଶୈଳ ଉପରେ ବିସି (ବ୍ଲାକ୍ କାର୍ବନ)ର ପରିମାପ କରାଯାଇଥିଲା। ୨୦୨୧ ଅନ୍ତିମ ଭାଗରେ ସେମାନଙ୍କର ଏହି ଗବେଷଣା ତଥ୍ୟ ଏନ୍ଭାର୍ଣ୍ଣମେଣ୍ଟାଲ ରସର୍ଚ୍ଚ ନାମକ ଅନ୍ତର୍ଜାତୀୟ ପତ୍ରିକାରେ ପ୍ରକାଶ ପାଇଛି।
![Sambad Whatsapp](https://cdn-icons-png.flaticon.com/512/2504/2504957.png)
Sambad is now on WhatsApp
Join and get latest news updates delivered to you via WhatsApp
ଆଇଆଇଟିଏମ୍ର ଜନୈକ ବରିଷ୍ଠ ବୈଜ୍ଞାନିକ ଅଭିଳାଷ ପାନିକରଙ୍କ କହିବା ଅନୁସାରେ, ଜୁନ୍, ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ଯେଉଁ ମାତ୍ରାଧିକ ବିସି ଜମା ହୋଇଛି ତାହା ଗାଡ଼ିଗୁଡ଼ିକର ଧୂଆଁ ଓ ବନାଗ୍ନି ଯୋଗୁ ହୋଇଛି। ଶୀତଦିନେ ଉତ୍ତରଭାରତରେ ଯେଉଁ ନଡ଼ାପୋଡ଼ି ହେଉଛି ତାହା ବି ବିସି ଜମା ହେବାର ଅନ୍ୟତମ ପ୍ରମୁଖ କାରଣ। ଏହି ବିସି ବା ଅଙ୍ଗାରର ଝୁଲଗୁଡ଼ିକ ଯୋଗୁ ହିମାଳୟର କେତେକ ଅଞ୍ଚଳରେ ବରଫ ଉପର କଳା ପଡ଼ିଯାଇଛି। ଯେହେତୁ କଳାରଙ୍ଗ ଅଧିକ ସୂର୍ଯ୍ୟତାପ ଅବଶୋଷଣ କରିଥାଏ, ତେଣୁ ଏହାଦ୍ବାରା ଶୀଘ୍ର ବରଫ ତରଳୁଛି। ତା’ଛଡ଼ା ଅଙ୍ଗାରକାମ୍ଳ ପ୍ରଭୃତି ସବୁଜଗୃହ ବାଷ୍ପ ନିର୍ଗମନ ବୃଦ୍ଧି ପାଇବା ଯୋଗୁ ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି ପାଉଥିବାରୁ ତାହା ମଧ୍ୟ ଶୀଘ୍ର ବରଫ ତରଳିବାର ଅନ୍ୟତମ କାରଣ। ଏହି ପ୍ରକ୍ରିୟା ଜାରି ରହିଲେ ଭବିଷ୍ୟତରେ ସମୁଦ୍ରର ଜଳସ୍ତର ବୃଦ୍ଧି ପାଇ କେତେକ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ ହେବାର ମଧ୍ୟ ଆଶଙ୍କା ରହିଛି ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି।