ହିମାଳୟ ଯୋଗୁଁ ଘଟିପାରେ ବଡ଼ ଧରଣର ଭୂମିକମ୍ପ: ଅଧ୍ୟୟନ

ନୂଆଦିଲ୍ଲୀ: ଗୋଟିକ ପରେ ଗୋଟିଏ ବଡ଼ ଧରଣର ଭୂମିକମ୍ପ ଘଟାଇବାକୁ ସମଗ୍ର ହିମାଳୟ ଶ୍ରେଣୀ ପ୍ରସ୍ତୁତ ହୋଇ ରହିଥିବା କଥା ଏକ ଅଧ୍ୟୟନରୁ ଜଣାପଡ଼ିଛି। ୮ରୁ ଅଧିକ ତୀବ୍ରତାସମ୍ପନ୍ନ ପରବର୍ତ୍ତୀ ଭୂମିକମ୍ପ ଆମ ଜୀବଦ୍ଦଶା ମଧ୍ୟରେ ବି ହୋଇପାରେ ବୋଲି ଭୂବିଜ୍ଞାନ ସମ୍ବନ୍ଧୀୟ, ଐତିହାସିକ ଏବଂ ଭୂତାତ୍ତ୍ବିକ ତଥ୍ୟାବଳୀ ସମୀକ୍ଷା କରି ଏହି ଅଧ୍ୟୟନ କହିଛି।

ହିମାଳୟ ଶ୍ରେଣୀ ଅନ୍ତର୍ଗତ ଜନଗହଳିପୂର୍ଣ୍ଣ ଦେଶମାନଙ୍କରେ ଏହି ଭୂମିକମ୍ପ ଯୋଗୁଁ ମୃତ୍ୟୁସଂଖ୍ୟା ଅଭୂତପୂର୍ବ ହେବାର ସମ୍ଭାବନା ଅଛି ବୋଲି ଗବେଷକମାନେ ଏହି ଅଧ୍ୟୟନରେ ଉଲ୍ଲେଖ କରିଛନ୍ତି।

ଭବିଷ୍ୟତର ଏହି ହିମାଳୟ ଭୂମିକମ୍ପ ବିଂଶ ଶତାବ୍ଦୀରେ ଆଲସ୍କା ଉପସାଗରରୁ ଆରମ୍ଭ କରି ସୁଦୂର ପୂର୍ବ ରୁଷ୍‌ର କମ୍‌ଚତ୍‌କ୍‌ ପର୍ଯ୍ୟନ୍ତ ବିସ୍ତୃତ ‘ଆଲୁସିଆନ୍ ସବ୍‌ଡକ୍‌ସନ୍ ଜୋନ୍‌’ରେ ସଂଘଠିତ ହୋଇଥିବା ବଡ଼ ଭୂମିକମ୍ପ ପରି ହୋଇପାରେ।

Image Courtesy of Deccan Herald

‘ସିସ୍‌ମୋଲୋଜିକାଲ୍ ରିସର୍ଚ ଲେଟର୍ସ’ ଜର୍ଣ୍ଣାଲ୍‌ର ଅଗଷ୍ଟ ସଂଖ୍ୟାରେ ପ୍ରକାଶିତ ଏହି ସମୀକ୍ଷା ପ୍ରାଗ୍‌ଐତିହାସିକ ଭୂମିକମ୍ପର ଆକାର ଏବଂ ସମୟ ସୀମା ମୂଲ୍ୟାୟନ କରି ଭବିଷ୍ୟତର ବିପଦ ଆକଳନ କରିବା ନିମନ୍ତେ ‘ଷ୍ଟ୍ରାଟିଗ୍ରାଫିକ୍ ଆନାଲିସିସ୍‌’, ‘ଷ୍ଟ୍ରକ୍‌ଚରାଲ୍‌ ଆନାଲିସିସ୍‌’, ସଏଲ୍‌ସ୍‌ ଆନାଲିସିସ୍‌’ ଏବଂ ‘ରେଡିଓ କାର୍ବନ୍ ଆନାଲିସିସ୍‌’ ଭଳି ମୌଳିକ ଭୂତାତ୍ତ୍ବିକ ନୀତିଗୁଡ଼ିକୁ ବ୍ୟବହାର କରିଛି।

ଏହି ଅଧ୍ୟୟନର ଲେଖକ ଷ୍ଟିଭେନ୍ ଜି. ୱେସ୍‌ନୌସ୍କି ଗଣମାଧ୍ୟମକୁ କହିଛନ୍ତି, ଭାରତର ଅରୁଣାଚଳ ପ୍ରଦେଶର ପୂର୍ବ ସୀମାନ୍ତରୁ ପଶ୍ଚିମରେ ପାକିସ୍ତାନ ପର୍ଯ୍ୟନ୍ତ ବିସ୍ତୃତ ସମୁଦାୟ ହିମାଳୟ ଶ୍ରେଣୀ ଅତୀତରେ ମଧ୍ୟ ବଡ଼ ବଡ଼ ଭୂମିକମ୍ପର ଉତ୍ସ ହୋଇଥିଲା। ପୁନର୍ବାର ଏହି ଭୂମିକମ୍ପ ସବୁ ସଙ୍ଘଠିତ ହେବ। ବୈଜ୍ଞାନିକ ଦୃଷ୍ଟିକ‌ୋଣରୁ ବିଚାର କଲେ, ଯଦି ପରବର୍ତ୍ତୀ ଭୂମିକମ୍ପ ଆମ ଜୀବଦ୍ଦଶା ଭିତରେ ହୁଏ, ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। କିନ୍ତୁ, ଆମ ଅଧ୍ୟୟନର ପ୍ରସ୍ତାବନା ଅନୁସାରେ ଏହି ଭୂମିକମ୍ପ ୧୦୦ ବର୍ଷ ପରେ ହୋଇପାରେ।

ଜିଓଲୋଜି ଏବଂ ସିସ୍‌ମୋଲୋଜିର ପ୍ରଫେସର୍‌ ୱେସ୍‌ନୌସ୍କି ସମ୍ପ୍ରତି ଯୁକ୍ତରାଷ୍ଟ୍ର ଆମେରିକାର ରେନୋ ଅନ୍ତର୍ଗତ ୟୁନିଭର୍ସିଟି ଅଫ୍ ନେଭାଡାର ନିର୍ଦେଶକ ଅଛନ୍ତି।

ସମ୍ବନ୍ଧିତ ଖବର