ନୂଆଦିଲ୍ଲୀ: ଜଣେ ଯୁବ କଂଗ୍ରେସ କର୍ମୀ , ଉଦୀୟମାନ ରାଜନେତା ଏବଂ ସୋସିଆଲ ମିଡିଆ କ୍ରିଏଟର ହିମାନୀ ନରୱଲଙ୍କୁ ହତ୍ୟା ମାମଲାରେ ହରିୟାଣା ପୁଲିସ ଜଣଙ୍କୁ ଗିରଫ କରିଛି।  ଗିରଫ ହୋଇଥିବା ଅଭିଯୁକ୍ତ ଝାଜ୍ଜର ଜିଲ୍ଲାର।  ସେ ମୋବାଇଲ ଚାର୍ଜର ବ୍ୟବହାର କରି ହିମାନୀଙ୍କୁ ହତ୍ୟା କରିଛି ବୋଲି ପୁଲିସ କହିଛି। ଅଭିଯୁକ୍ତ ବିବାହିତ ଏବଂ ସେ  ଝାଜ୍ଜର‌‌ରେ ଏକ ‌ମୋବାଇଲ ଦୋକାନ ଖୋଲିଛି।  ସୋସିଆଲ ମିଡିଆ ଦ୍ବାରା ହିମାନୀ ଏବଂ ଅଭିଯୁକ୍ତର ଦେଖା ହୋଇଥିଲା। ଅଭିଯୁକ୍ତର ନାଁ ସଚିନ ବୋଲି ଜଣାପଡ଼ିଛି। ହିମାନୀ ବିଜୟ ନଗର ରୋହତକରେ ଏକାକୀ ରହନ୍ତି।

Advertisment

ଫେବ୍ରୁଆରି ୨୭ ତାରିଖରେ ସଚିନ ହିମାନୀଙ୍କ ନିକଟକୁ ତାଙ୍କ ଘରକୁ ଆସିଥିଲେ। ସେମାନଙ୍କ ମଧ୍ୟରେ କ’ଣ ବଚସା ହୋଇଥିଲା ଏବଂ ସଚିନ ତାଙ୍କୁ ମୋବାଇଲ୍‌ ଚାର୍ଜର ତାରରେ ହତ୍ୟା କରିଥିଲା ବୋଲି ପୁଲିସ କହିଛି।  ଅଭିଯୁକ୍ତ ଏହାପ‌ରେ ହିମାନୀଙ୍କ ଫୋନ୍‌, ଗହଣା ଏବଂ ଲାପଟପ୍‌ ନେଇଯାଇଥିଲା। ହିମାନୀଙ୍କ ମର ଶରୀରକୁ ସେ ଏକ ସୁଟ୍‌କେସ୍‌ରେ ପୂରାଇ ସାମ୍ପଲା ବସ୍‌ ଷ୍ଟାଣ୍ଡ୍‌ ନିକଟ ଏକ ବୁଦା ମୂଳରେ ଫୋପାଡ଼ି ଦେଇ ଯାଇଥିଲା।  ପୁଲିସ ସୂଚନାନୁଯାୟୀ ହିମାନୀ ଏବଂ ସଚିନଙ୍କ ମଧ୍ୟରେ ଆର୍ଥିକ କାରବାର ହୋଇଥିଲା।  ସେଦିଗରେ ମଧ୍ୟ ପୁଲିସ ତଦନ୍ତ କରିବ। ପୁଲିସ ଅଭିଯୁକ୍ତର ହାତରେ କାମୁଡ଼ା ଦାଗ ଚିହ୍ନଟ କରିଛି। ଉଲ୍ଳେଖଯୋଗ୍ୟ ଯେ ହରିୟାଣା ପୁଲିସ ଏହି ମାମଲାର ତଦନ୍ତ ପାଇଁ ଏକ ଏସ୍‌ଆଇଟି ଗଠନ କରିଛି।  ଆଜି ପୁଲିସ ସଚିନର ବୟାନ ରେକର୍ଡ କରିବା ସମୟରେ ସେ କହିଛି ଯେ ହିମାନୀ ତାକୁ ବ୍ଲାକମେଲ୍‌ କରିବାରୁ ଏବଂ ଦାବାବଟି ମାଗିବାରୁ ସେ ହତ୍ୟା କରିଦେଇଛି। 

ଅନ୍ୟପକ୍ଷେ ହିମାନୀଙ୍କ ମା’ କହିଛନ୍ତି, ଖୁବ୍‌ କମ୍‌ ସମୟ ମଧ୍ୟରେ ହିମାନୀ ତାଙ୍କ ରାଜନୈତିକ କ୍ୟାରିୟରରେ ଆଗକୁ ବଢ଼ିବାରୁ ଶତ୍ରୁତା କରି ତାଙ୍କୁ ହତ୍ୟା କରାଯାଇଛି। ହିମାନୀ କଂଗ୍ରେସର ଜଣେ ସକ୍ରିୟ କର୍ମୀ ଏବଂ  ରାହୁଲଙ୍କ ଭାରତ ଯୋଡ଼ୋ ଯାତ୍ରାରେ ମଧ୍ୟ ସେ ଯୋଗ ଦେଇଥିଲେ।  ଉକ୍ତ ଘଟଣାରେ ଅନେକ ବିଜେପି ନେତା ଚିନ୍ତା ପ୍ରକଟ କରିଛନ୍ତି ଏବଂ ପୀଡ଼ିତାଙ୍କ ପାଇଁ ନ୍ୟା‌ୟ ଦାବି କରିଛନ୍ତି।