ହାଇକୋର୍ଟ ଓକିଲରୁ ମୁଖ୍ୟମନ୍ତ୍ରୀ ଆସନ, କେମିତି ଥିଲା ହିମନ୍ତ ବିଶ୍ୱଶର୍ମାଙ୍କ ଯାତ୍ରା

ଗୌହାଟୀ:ଆସାମରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହିମନ୍ତ ବିଶ୍ୱଶର୍ମା | ଆଜି ବିଜେପି ବିଧାୟକ ଦଳ ବୈଠକରେ ହିମନ୍ତ ବିଶ୍ୱଶର୍ମାଙ୍କୁ ନେତା ଭାବେ ଚୟନ କରାଯାଇଥିବା ଜଣାପଡିଛି । ତେବେ ଜଣେ ହାଇକୋର୍ଟ ଓକିଲରୁ କେମିତି ଥିଲା ଯାତ୍ରା ସେ ବିଷୟରେ ଜାଣନ୍ତୁ | ଆସାମର ଜାଲୁକବରୀ ବିଧାନସଭା ଆସନରୁ କ୍ରମାଗତ ପଞ୍ଚମ ଥର ପାଇଁ ହିମନ୍ତ ବିଶ୍ୱଶର୍ମା ଜିତିବାରେ ସଫଳ ହୋଇଛନ୍ତି। ବିଧାନସଭା ନିର୍ବାଚନରେ ​​କଂଗ୍ରେସର ରୋମେନ ଚନ୍ଦ୍ର ବୋରଠାକୁରଙ୍କୁ ସେ ୧,୦୧,୯୧୧ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ | ୨୦୧୫ ରେ ହିମନ୍ତ ବିଶ୍ୱଶର୍ମା ବିଜେପିରେ ଯୋଗ ଦେଇଥିଲେ। ୨୦୧୬ ବିଧାନସଭା ନିର୍ବାଚନ ଏବଂ ୨୦୧୯ ଲୋକସଭା ନିର୍ବାଚନରେ ​ହିମନ୍ତ ବିଶ୍ୱଶର୍ମା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।

ସମ୍ପ୍ରତି ବିଧାନସଭା ନିର୍ବାଚନ ପୂର୍ବରୁ ମଧ୍ୟ ଯେତେବେଳେ ରାଜ୍ୟରେ ସିଏଏ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିଲା, ସେତେବେଳେ ହିମନ୍ତ ଜୋରଦାର ପ୍ରଚାର କରି ଭୋଟରଙ୍କ ସହ କଥା ହୋଇଥିଲେ। ହିମନ୍ତ ବିଶ୍ୱଶର୍ମା ୧ ଫେବୃଆରୀ ୧୯୬୯ ରେ ଗୁଆହାଟୀରେ ଜନ୍ମଗ୍ରହଣ କରିଥିଲେ। ହିମନ୍ତ କଟନ କଲେଜ ଗୁଆହାଟୀରୁ ତାଙ୍କର ପ୍ରାଥମିକ ଶିକ୍ଷା କରିଥିଲେ | ଏହା ପରେ ହିମନ୍ତ ବିଶ୍ୱଶର୍ମା ରାଜନୀତି ବିଜ୍ଞାନରେ ପିଜି କରିଥିଲେ। ୧୯୯୧-୯୨ ମସିହାରେ ହିମନ୍ତ କଟନ କଲେଜ ଗୁଆହାଟିର ସାଧାରଣ ସମ୍ପାଦକ ହୋଇଥିଲେ।

ଏହା ପରେ ହିମନ୍ତ ବିଶ୍ୱଶର୍ମା ସରକାରୀ ଆଇନ ମହାବିଦ୍ୟାଳୟରୁ ଏଲଏଲବି କରିଥିଲେ ଏବଂ ଗୁଆହାଟି କଲେଜରୁ ପିଏଚଡି ଡିଗ୍ରୀ ହାସଲ କରିଥିଲେ। ଆଇନ ଡିଗ୍ରୀ ହାସଲ କରିବା ପରେ ହିମନ୍ତ ଗୁଆହାଟି ହାଇକୋର୍ଟରେ ୫ ବର୍ଷ ଯାଏଁ ଓକିଲାତି କରିଥିଲେ। ମେ ୨୦୦୧ ରେ, ହିମନ୍ତ ବିଶ୍ୱଶର୍ମା ପ୍ରଥମ ଥର ପାଇଁ ଜାଲୁକବରୀ ଆସନ ଜିତିଥିଲେ | ଏହା ପରେ ସେ ଆସାମର ପୂର୍ବ ସରକାରରେ ଅର୍ଥ, କୃଷି ଏବଂ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ସହ ବିବାଦ ପରେ ସେ ଜୁଲାଇ ୨୦୧୪ ରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ।

ସମ୍ବନ୍ଧିତ ଖବର