ଗୁଆହାଟୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏକ ଭାଇରାଲ ଭିଡିଓକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ପୁଣି ଥରେ ସମାଲୋଚନା କରିଛନ୍ତି, ଯେଉଁଥିରେ ରାହୁଲ ଗାନ୍ଧି ଏକ କୁକୁର ବିସ୍କୁଟକୁ କୁକୁର ନ ଖାଇବାରୁ କୁକୁର ମାଲିକ ତଥା ଦଳୀୟ କର୍ମୀଙ୍କୁ ଖାଇବାକୁ ଦେଉଥିବା ଦେଖିବାକୁ ମିଳିଛି। ଅପରପକ୍ଷେ ଶର୍ମାଙ୍କ ଅଭିଯୋଗ ଉପରେ ସ୍ପଷ୍ଟୀକରଣ ଦେଇ ରାହୁଲ ଗାନ୍ଧି କହିଛନ୍ତି ଯେ ଭୟାଳୁ କୁକୁରଟି କେବଳ ମାଲିକ ହାତରୁ ଖାଉଥିବାରୁ ସେ ବିସ୍କୁଟକୁ କୁକୁରକୁ ଖୁଆଇବା ପାଇଁ ତା’ ମାଲିକ ହାତକୁ ବଢ଼ାଇଦେଇଥିଲେ। ଭାରତ ଜୋଡୋ ନ୍ୟାୟ ଯାତ୍ରା ଏହାର ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରିଥିବା ଏକ ଭିଡିଓରେ ରାହୁଲ ଗାନ୍ଧି ଝାଡ଼ଖଣ୍ଡରେ ଯାତ୍ରା ସମୟରେ ଏକ କୁକୁରକୁ ଥାପୁଡ଼ଉଥିବା ଦେଖିବାକୁ ମିଳିଛି। ଭିଡିଓରେ ରାହୁଲ ଗାନ୍ଧି ଏକ ବିସ୍କୁଟ ପ୍ୟାକେଟ୍ ମାଗି କୁକୁରକୁ ଦେଉଥିବା ବି ଦେଖିବାକୁ ମିଳିଛି। ତେବେ ଭିଡିଓରେ ରାହୁଲ ଗାନ୍ଧି କୁକୁର ବିସ୍କୁଟକୁ କର୍ମୀଙ୍କୁ ଦେଉଥିବା ଦେଖିବାକୁ ମିଳିନାହିଁ।
ହିମନ୍ତ ବିଶ୍ୱଶର୍ମାଙ୍କ ଦ୍ୱାରା ଟ୍ୱିଟ୍ କରାଯାଇଥିବା ଭାଇରାଲ ଭିଡିଓରେ ରାହୁଲ ଗାନ୍ଧି କୁକୁର ମାଲିକ ତଥା ଦଳୀୟ କର୍ମୀଙ୍କୁ କୁକୁର ବିସ୍କୁଟ ଦେଉଥିବାର ଦେଖିବାକୁ ମିଳୁଛି, ଯାହାକୁ କୁକୁର ଖାଇ ନ ଥିଲା। ଏହାକୁ ନେଇ କଂଗ୍ରେସ ‘ରାଜକୁମାର’ କର୍ମୀଙ୍କୁ କୁକୁର ପରି ବ୍ୟବହାର କରୁଥିବା ବିଜେପି ଅଭିଯୋଗ କରିଛି। ଏକଦା କଂଗ୍ରେସ ସହ ଜଡ଼ିତ ଥିବା ହିମନ୍ତ ବିଶ୍ୱଶର୍ମା ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି କହିଥିଲେ ଯେ, ସେ ଓ ତାଙ୍କ ପରିବାର ତାଙ୍କୁ ବିସ୍କୁଟ ଖାଇବାକୁ ଦେଇପାରିବେ ନାହିଁ। ମୁଁ ଜଣେ ଗର୍ବିତ ଆସାମୀ ଓ ଭାରତୀୟ। ମୁଁ ଖାଇବାକୁ ମନା କରି ଦେଇଥିଲି ଏବଂ କଂଗ୍ରେସରୁ ଇସ୍ତଫା ଦେଇଥିଲି। ହିମନ୍ତ ବିଶ୍ୱଶର୍ମା ଅନେକ ସମୟରେ ପୂର୍ବରୁ ଘଟିଥିବା ଏକ ଘଟଣାକୁ ବର୍ଣ୍ଣନା କରିବା ଦେଖାଯାଇଛି, ଯେଉଁଥିରେ ସେ ଦାବି କରିଛନ୍ତି ଯେ ରାହୁଲ ଗାନ୍ଧିଙ୍କ ସହ ଏକ ସାକ୍ଷାତ ସମୟରେ ତାଙ୍କ ପୋଷା କୁକୁର ପିଡିକୁ ଏକ ପ୍ଲେଟରୁ ବିସ୍କୁଟ ଦିଆଯାଇଥିଲା, ଯାହାକୁ ପରେ ଉପସ୍ଥିତ କଂଗ୍ରେସ ନେତାମାନଙ୍କୁ ଅର୍ପଣ କରାଯାଇଥିଲା। ଆସାମ ମୁଖ୍ୟମନ୍ତ୍ରୀ ଏହି ଘଟଣାକୁ ସେ କଂଗ୍ରେସ ଛାଡ଼ିବାର ଅନ୍ୟତମ କାରଣ ବୋଲି ଦର୍ଶାଇଛନ୍ତି।
ଭାଇରାଲ ଭିଡିଓକୁ ନେଇ ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ‘ରାଜକୁମାର’ ରାହୁଲ ଗାନ୍ଧି ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏହି ଭିଡିଓକୁ ପୋଷ୍ଟ କରି ସେ ଲେଖିଛନ୍ତି, କିଛିଦିନ ତଳେ କଂଗ୍ରେସ ଅଧ୍ୟକ୍ଷ ଖଡଗେଜୀ ଦଳର ବୁଥ୍ ଏଜେଣ୍ଟମାନଙ୍କୁ କୁକୁର ସହ ତୁଳନା କରିଥିଲେ ଏବଂ ଏବେ ରାହୁଲ ଗାନ୍ଧି ତାଙ୍କ ଗସ୍ତ ସମୟରେ କୁକୁର ବିସ୍କୁଟ୍ କର୍ମୀଙ୍କୁ ଖାଇବାକୁ ଦେଉଛନ୍ତି। ବିଜେପିର ସାଂଘାତିକ ଅଭିଯୋଗ ପରେ ରାହୁଲ ଗାନ୍ଧି ସ୍ପଷ୍ଟୀକରଣଦେଇ କହିଛନ୍ତି ଯେ, କୁକୁରଟି ଅତ୍ୟନ୍ତ ଭୟାଳୁ ଥିଲା। ସେ ତାଙ୍କ ହାତରୁ ବିସ୍କୁଟ ଖାଇ ନ ଥିଲା। ତେଣୁ ସେ ବିସ୍କୁଟ୍ଟି କୁକୁରକୁ ଦେବା ପାଇଁ ତା’ ମାଲିକଙ୍କୁ ଦେଇଥିଲେ। ମାଲିକଙ୍କ ହାତରୁ କୁକୁର ବିସ୍କୁଟ୍ ଖାଇଥିଲା। ଏଥିରେ ବିଜେପିର କ’ଣ ଅସୁବିଧା ହେଉଛି ସେ ବୁଝିପାରୁ ନାହାନ୍ତି।