ଆସାମରେ ବି ୧୫ରୁ ୧୬ କଂଗ୍ରେସ ବିଧାୟକ ଦ୍ରୌପଦୀଙ୍କୁ ଦେଇଛନ୍ତି ଭୋଟ; ଦାବି କଲେ ମୁଖ୍ୟମନ୍ତ୍ରୀ ଶର୍ମା

ଗୌହାଟୀ: ରାଷ୍ଟ୍ରପତି ନିର୍ବାଚନରେ ଆସାମରେ ବି କଂଗ୍ରେସ ବିଧାୟକମାନେ କ୍ରସ ଭୋଟିଂ କରିଛନ୍ତି। ଦଳୀୟ ନିର୍ଦ୍ଦେଶକୁ ଅବମାନନା କରି ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଶୁକ୍ରବାର ଦିନ ଦାବି କରିଛନ୍ତି ଯେ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ମନୋନୀତ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍‌ ଦେଇଥିବା ରାଜ୍ୟର ୨୨ ଜଣ ବିରୋଧୀ ବିଧାୟକଙ୍କ ମଧ୍ୟରୁ ୧୫ରୁ ୧୬ ଜଣ କଂଗ୍ରେସ ବିଧାୟକ ମଧ୍ୟ ଏନଡିଏ ପ୍ରାର୍ଥୀଙ୍କ ସପକ୍ଷରେ କ୍ରସ ଭୋଟିଂ କରିଛନ୍ତି।

ଜୁଲାଇ ୧୮ରେ ହୋଇଥଇବା ରାଷ୍ଟ୍ରପତି ନିର୍ବାଚନରେ ୧୨୬ ସଦସ୍ୟ ବିଶିଷ୍ଟ ଆସାମ ବିଧାନସଭାର ମୋଟ ୧୨୪ ଜଣ ବିଧାୟକ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିବାବେଳେ ଏଆଇୟୁଡିଏଫର ଦୁଇ ଜଣ ବିଧାୟକ ଦେଶ ବାହାରେ ଥିଲେ। ବିଧାନସଭାରେ ଏନଡିଏର ୭୯ ଜଣ ବିଧାୟକ ଅଛନ୍ତି। ତେବେ, ଏନଡିଏ ମନୋନୀତ ପ୍ରାର୍ଥୀ ମୁର୍ମୁ ୧୦୪ଟି ଭୋଟ୍‌ ପାଇଥିବାବେଳେ ମିଳିତ ବିରୋଧୀ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କୁ ମିଳିଛି ୨୦ଟି ଭୋଟ୍‌।

ରାଜ୍ୟ ବିଧାନସଭାରେ ୪୪ ଜଣ ବିରୋଧୀ ବିଧାୟକ ଅଛନ୍ତି। ଏନଡିଏ ପ୍ରାର୍ଥୀ ପାଇଥିବା ୨୨ଟି ଅତିରିକ୍ତ ଭୋଟ୍‌ ମଧ୍ୟରୁ ୧୫ରୁ ୧୬ଟି ଭୋଟ କଂଗ୍ରେସରୁ ଆସିଛି। ଏବଂ ଅବଶିଷ୍ଟ ଏଆଇୟୁଡିଏଫ୍‌ କିମ୍ବା ସ୍ୱାଧୀନ ପ୍ରାର୍ଥୀଙ୍କ ଠାରୁ ଆସି ପାରିଥାଏ ବୋଲି ମୁଖ୍ୟମନ୍ତ୍ରୀ ଶର୍ମା ସାମ୍ବାଦିକମାନଙ୍କୁ କହିଛନ୍ତି।

ଆସାମ ରାଜ୍ୟ କଂଗ୍ରେସ ସଭାପତି ଭୁପେନ ବୋରା ସ୍ୱୀକାର କରିଛନ୍ତି ଯେ ରାଷ୍ଟ୍ରପତି ନିର୍ବାଚନରେ କ୍ରସ ଭୋଟିଂ ହୋଇଛି ଏବଂ ଦାବି କରିଛନ୍ତି ଯେ ତାଙ୍କ ଦଳର ଅତି କମରେ ଛଅ ଜଣ ବିଧାୟକ ମୁର୍ମୁଙ୍କ ସପକ୍ଷରେ ଭୋଟ ଦେଇଛନ୍ତି।

ଅନ୍ୟପକ୍ଷରେ ରାଷ୍ଟ୍ରପତି ନିର୍ବାଚନରେ ବିଧାୟକ ଏବଂ ସାଂସଦମାନେ ସେମାନଙ୍କ ବିବେକ ଅନୁଯାୟୀ ଭୋଟ୍‌ ଦିଅନ୍ତି ଏବଂ ସେମାନଙ୍କ ଦଳର ସମ୍ପୃକ୍ତି ଅନୁଯାୟୀ ନୁହେଁ। ମୁଁ ଅଧିକ କିଛି କହିବାକୁ କିମ୍ବା ଭୋଟ୍‌ ଢାଞ୍ଚାରେ କୌଣସି ରାଜନୈତିକ ବିବାଦ ସୃଷ୍ଟି କରିବାକୁ ଚାହେଁ ନାହିଁ। ମୁଁ ମଧ୍ୟ ବିଶ୍ୱାସ କରେ ନାହିଁ ଯେ ଏହି ପ୍ରସଙ୍ଗରେ କୌଣସି ରାଜନୈତିକ ଦଳରେ କୌଣସି ବିଭାଜନ ହେବ ବୋଲି ମୁଖ୍ୟମନ୍ତ୍ରୀ ଶର୍ମା କହିଛନ୍ତି।

ସମ୍ବନ୍ଧିତ ଖବର