ନୂଆଦିଲ୍ଲୀ: ବନ୍ଦ ହେବ ହିଣ୍ଡେନ୍ବର୍ଗ । ଅଦାନୀ ଗ୍ରୁପ୍ ବିରୋଧରେ ରିସର୍ଚ୍ଚ ରିପୋର୍ଟ ପ୍ରସ୍ତୁତ କରି ସାରା ବିଶ୍ବରେ ଚହଳ ସୃଷ୍ଟି କରିଥିବା ଆମେରିକୀୟ କମ୍ପାନୀ ହିଣ୍ଡେନ୍ବର୍ଗ ଖୁବଶୀଘ୍ର ବନ୍ଦ ହେବାକୁ ଯାଉଛି। କମ୍ପାନୀ ପ୍ରତିଷ୍ଠାତା ନାଥାନ ଏଣ୍ଡରର୍ସନ ଗତକାଲି ବିଳମ୍ବିତ ରାତିରେ ହିଣ୍ଡେନ୍ବର୍ଗ ବନ୍ଦ ହେବ ବୋଲି ଘୋଷଣା କରିଛନ୍ତି । ନିଜ କର୍ମଚାରୀଙ୍କୁ ଏକ ମେସେଜ୍ ସେୟାର କରି ନାଥାନ କହିଛନ୍ତି, ଅନେକ ଆଲୋଚନା ବିଚାର ବିମର୍ଷ ପରେ ଏହି ନିଷ୍ପତ୍ତି ନିଆଯାଇଛି ।
ତେବେ କାହିଁକି ସେ ନିଜ କମ୍ପାନୀ ବନ୍ଦ କରୁଛନ୍ତି, ଏହାର ନିର୍ଦ୍ଧିଷ୍ଟ କାରଣ ଦର୍ଶାଇ ନାହାଁନ୍ତି ହିଣ୍ଡେନବର୍ଗ ସିଇଓ । ୨୦୧୭ ମସିହାରୁ ହିଣ୍ଡେନବର୍ଗ ରିସର୍ଚ୍ଚ ଆରମ୍ଭ ହୋଇଥିଲା। ନାଥାନ ଆହୁରି ମଧ୍ୟ ଲେଖିଛନ୍ତି, 'ଗତ ବର୍ଷ ଶେଷ ବେଳକୁ ଯାହା ମୁଁ ମୋ ପରିବାର ଓ ସହଯୋଗୀଙ୍କ ସହ ଆଲୋଚନା କରିଥିଲି ତାହା ଏବେ କରିବାକୁ ଯାଉଛି । ମୁଁ ହିଣ୍ଡେନବର୍ଗ ରିସର୍ଚ୍ଚକୁ ଭାଙ୍ଗିବାକୁ ନିଷ୍ପତ୍ତି ନେଇଛି। ପୂର୍ବ ଯୋଜନା ଅନୁସାରେ ଏବେ ଚାଲୁ ରହିଥିବା ସବୁ ରିସର୍ଚ୍ଚ ସମାପ୍ତ ହେଲେ କମ୍ପାନୀ ବନ୍ଦ ହୋଇଯିବ।' ମୁଁ ଏ ସବୁ ବହୁତ ଖୁସିରେ ଲେଖୁଛି ବୋଲି ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ନାଥାନ ଏଣ୍ଡରର୍ସନ୍। ସେୟାର ମାର୍କେଟ୍, ଇକ୍ବିଟି, କ୍ରେଡିଟ୍ ଆଦି ବିଷୟରେ ରିସର୍ଚ୍ଚ କରିବା ହିଣ୍ଡେନବର୍ଗ କମ୍ପାନୀର ପ୍ରମୁଖ କାମ।