ହିନ୍ଦୀ ବିବାଦ ତେଜିଲା: ଅଜୟ ଦେବଗନଙ୍କ ବିରୋଧରେ କର୍ଣ୍ଣାଟକର ସବୁ ଦଳ ଏକାଠି

ବେଙ୍ଗାଲୁରୁ: ବଲିଉଡ ସୁପରଷ୍ଟାର ଅଜୟ ଦେବଗନ ଓ କନ୍ନଡ଼ ଅଭିନେତା କିଚ୍ଚା ସୁଦୀପଙ୍କ ମଧ୍ୟରେ ରାଷ୍ଟ୍ରଭାଷାକୁ ନେଇ ଟ୍ବିଟର ଲଢ଼େଇ ଚାଲିଥିବା ବେଳେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ସୁଦୀପଙ୍କ ପକ୍ଷ ନେଇଛନ୍ତି। ସେ କହିଛନ୍ତି- ଭାଷା ଭିତ୍ତିରେ ଆମ ରାଜ୍ୟ ଗଠିତ ହୋଇଛି। ଆଞ୍ଚଳିକ ଭାଷାକୁ ଗୁରୁତ୍ବ ଦିଆଯାଇ ଆସୁଛି। ସୁଦୀପଙ୍କ ବକ୍ତବ୍ୟ ଠିକ୍ ଓ ସମସ୍ତେ ତାକୁ ସମ୍ମାନ କରିବା ଉଚିତ। ଏହା ପୂର୍ବରୁ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରାମେୟା କହିଥିଲେ- ହିନ୍ଦୀ କେବେ ବି ଆମର ରାଷ୍ଟ୍ରଭାଷା ନ ଥିଲା କି ଭବିଷ୍ୟତରେ ହୋଇପାରିବ ନାହିଁ। ପ୍ରତ୍ୟେକ ଭାରତୀୟଙ୍କ ଦାୟିତ୍ବ ଦେଶର ଭାଷାଗତ ବିବିଧତାକୁ ସମ୍ମାନ ଦେବା। ପ୍ରତ୍ୟେକ ଭାଷାର ନିଜସ୍ବ ସମୃଦ୍ଧ ଇତିହାସ ରହିଛି, ଯେଉଁଥିପାଇଁ ସେହି ଭାଷାଭାଷୀ ଲୋକମାନେ ଗର୍ବ କରିପାରିବେ। ସେ ପୁଣି କହିଥିଲେ ଯେ, ସେ ଜଣେ କନ୍ନଡ଼ ଓ କଂଗ୍ରେସୀ ଭାବେ ଗର୍ବିତ। କଂଗ୍ରେସ ହିଁ ଭାଷାଭିତ୍ତିକ ରାଜ୍ୟ ଗଠନ କରିଥିଲା, ଯାହାଦ୍ବାରା କୌଣସି ଗୋଟିଏ ଭାଷା ଅନ୍ୟ ଭାଷା ଉପରେ ଆଧିପତ୍ୟ ବିସ୍ତାର କରିପାରିବ ନାହିଁ।

ସୂଚନାଯୋଗ୍ୟ, ସୁଦୀପ କେଜିଏଫ୍‌-୨କୁ ଏକ ସର୍ବଭାରତୀୟ ଚଳଚ୍ଚିତ୍ର ଭାବେ ଅଭିହିତ କରାଯିବା ସମ୍ପର୍କିତ ଏକ ପ୍ରଶ୍ନର ଯେଉଁ ଉତ୍ତର ଦେଇଥିଲେ ତାହାକୁ ନେଇ ବିତର୍କ ସୃଷ୍ଟି ହୋଇଥିଲା। ସେ କହିଥିଲେ ଯେ ହିନ୍ଦୀ ଆମର ରାଷ୍ଟ୍ରଭାଷା ନୁହେଁ ଏବଂ ବଲିଉଡ ସାରା ଦେଶ ପାଇଁ ଫିଲ୍ମ ତିଆରି କରିବା ଉଚିତ, ଅର୍ଥାତ୍ ସେମାନଙ୍କ ଫିଲ୍ମଗୁଡ଼ିକୁ ଅନ୍ୟ ଭାଷାରେ ଡବିଂ କରାଯିବା ଦରକାର। ଏହାର ଉତ୍ତରରେ ଅଜୟ ଦେବଗନ ହିନ୍ଦୀରେ ଟ୍ବିଟ୍ କରି କହିଥିଲେ, ହିନ୍ଦୀ ଯଦି ରାଷ୍ଟ୍ରଭାଷା ନୁହଁ ତା’ହେଲେ କନ୍ନଡ଼ ଫିଲ୍ମକୁ କାହିଁକି ହିନ୍ଦୀରେ ଡବିଂ କରାଯାଉଛି? ହିନ୍ଦୀ ଆମର ମାତୃଭାଷା ଓ ରାଷ୍ଟ୍ରଭାଷା ଥିଲା, ଅଛି ଓ ରହିବ। ଦେବଗନଙ୍କ ଟ୍ବିଟ୍ ପଢ଼ି କିଚ୍ଚା ସୁଦୀପ ଟିକେ ନରମିଥିଲେ। ସେ କହିଥିଲେ ଯେ ସେ ଭିନ୍ନ ପ୍ରସଙ୍ଗରେ ଏ କଥା କହିଥିଲେ, ସେ ତର୍କ ବଢ଼େଇବାକୁ ଚାହୁନାହାନ୍ତି ଏବଂ ସେ ଦେବଗନଙ୍କୁ ସମ୍ମାନ କରନ୍ତି। ଏହାପରେ ଅଜୟ ଦେବଗନ କହିଥିଲେ ଯେ ସେ ସମଗ୍ର ଫିଲ୍ମ ଇଣ୍ଡଷ୍ଟ୍ରିକୁ ଗୋଟିଏ ବୋଲି ଭାବନ୍ତି। ଅନୁବାଦରେ କିଛି ମୌଳିକତା ହରେଇବାକୁ ପଡ଼େ। ବିବାଦକୁ ଏଇଠି ଶେଷ କରାଯାଉ।

ତେବେ ବିବାଦକୁ ସେଇଠି ଛିଣ୍ଡିବାକୁ ନ ଦେଇ ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ତଥା ଜେଡି(ଏସ୍) ନେତା ଏଚ୍‌ଡି କୁମାରସ୍ବାମୀ ସୁଦୀପଙ୍କ ପଟରେ ବାହାରିପଡ଼ିଲେ। ସେ କହିଲେ ଯେ ହିନ୍ଦୀ ରାଷ୍ଟ୍ରଭାଷା ନୁହେଁ ବୋଲି ସୁଦୀପ ଯାହା ଲେଖିଛନ୍ତି ତାହା ଠିକ୍। ଅଜୟ ଦେବଗନ ନିଜର ବଡ଼ିମା ଦେଖାଉଛନ୍ତି। ବହୁଲୋକ ଗୋଟିଏ ଭାଷା ବ୍ୟବହାର କଲେ ବୋଲି ତାହା କେବେ ରାଷ୍ଟ୍ରଭାଷା ହୋଇଯିବ ନାହିଁ। କାଶ୍ମୀରରୁ କନ୍ୟାକୁମାରୀ ଯାଏ ୯ଟିରୁ କମ୍ ରାଜ୍ୟରେ ହିନ୍ଦୀ ହେଉଛି ୨ୟ ବା ୩ୟ ଭାଷା ବା ସେତିକି ବି ନୁହେଁ। ତେଣୁ ଅଜୟ ଦେବଗନଙ୍କ କଥାରେ ସତ୍ୟତା କେଉଁଠି ଅଛି? ସେ ପୁଣି କହିଥିଲେ ଯେ, କନ୍ନଡ଼ ସିନେମା ହିନ୍ଦୀ ଫିଲ୍ମ ଶିଳ୍ପକୁ ଟପିବାକୁ ବସିଲାଣି। ଦେବଗନ ଏହା ଭୁଲିବା ଉଚିତ ନୁହେଁ ଯେ ତାଙ୍କ ପ୍ରଥମ ଫିଲ୍ମ ‘ଫୁଲ ଔର କାଣ୍ଟେ’ ବେଙ୍ଗାଲୁରୁରେ ବର୍ଷେ କାଳ ଚାଲିଥିଲା। ଶେଷରେ ଓମାର ଅବଦୁଲ୍ଲା ଟ୍ବିଟ୍ କରିଥିଲେ ଯେ ଭାରତ ସବୁ ଭାଷାକୁ ସମ୍ମାନ ଦିଏ। ଗୋଟିଏ ଭାଷାକୁ କାହିଁକି ରାଷ୍ଟ୍ରଭାଷା ଭାବେ ଆମେ ମାନିବା ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର