ନୂଆଦିଲ୍ଲୀ: ‘ରାଷ୍ଟ୍ରଭାଷା ଭାବେ ହିନ୍ଦୀ’ ଶୀର୍ଷକ ବିତର୍କରେ ଭାଗ ନେଇ ଆଜି ସକାଳେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀ ହାସ୍ୟାସ୍ପଦ ଆଚରଣ ଲାଗି ଅଭିନେତା ଅଜୟ ଦେବଗନଙ୍କୁ କେତେଗୁଡ଼ିଏ ଟୁଇଟ୍‌ରେ ତୀବ୍ର ସମାଲୋଚନା କରିଛନ୍ତି।

Advertisment

ସେ କହିଛନ୍ତି, ଅଜୟ ଦେବଗନ କେବଳ ସ୍ବଭାବରେ ଅତିରିକ୍ତ ନୁହନ୍ତି, ରାଷ୍ଟ୍ରଭାଷା ଭାବେ ହିନ୍ଦୀ ଉପରେ ତାଙ୍କର ମନ୍ତବ୍ୟ ତାଙ୍କ ହାସ୍ୟାସ୍ପଦ ଆଚରଣର ପ୍ରତିପାଦନ କରୁଛି।

publive-image Image Courtesy of India Today

ହିନ୍ଦୀ ଆମର ମାତୃଭାଷା ଓ ରାଷ୍ଟ୍ରଭାଷା ଥିଲା ଏବଂ ରହିବ ବୋଲି ଅଜୟ ଦେବଗନ ହିନ୍ଦୀ ଭାଷାରେ ଟୁଇଟ୍‌ କରିବାର ଦିନକ ପରେ କୁମାରସ୍ବାମୀ ଏଭଳି ମନ୍ତବ୍ୟ ଦେଇଛନ୍ତି। ହିନ୍ଦୀ ଆଉ ରାଷ୍ଟ୍ରଭାଷା ହୋଇ ନାହିଁ ବୋଲି ‘କର୍ଣ୍ଣାଟକ ତକ୍‌’ ସହିତ ସାକ୍ଷାତ୍‌କାର ବେଳେ ଦକ୍ଷିଣ ଭାରତ ଚଳଚ୍ଚିତ୍ର ଅଭିନେତା କିଚା ସୁଦୀପ ଦେଇଥିବା ବିବୃତିର ଉତ୍ତର ଦେବାକୁ ଯାଇ ଦେବଗନ ଏକଥା ଲେଖିଥିଲେ।

publive-image Image Courtesy of The Economic Times

କିଚା ସୁଦୀପଙ୍କୁ ସମର୍ଥନ କରି ଏଚ୍‌.ଡି. କୁମାରସ୍ବାମୀ ଟୁଇଟ୍‌ କରିଛନ୍ତି, ହିନ୍ଦୀ ରାଷ୍ଟ୍ରଭାଷା ନୁହେଁ ବୋଲି କିଚି ସୁଦୀପ କହିଥିବା କଥା ଠିକ୍। ତାଙ୍କ ବିବୃତିରେ କୌଣସି ତ୍ରୁଟି ନାହିଁ। ଅଭିନେତା ଅଜୟ ଦେବଗନ କେବଳ ସ୍ବଭାବରେ ଅତିରିକ୍ତ ନୁହନ୍ତି, ତାଙ୍କର ହାସ୍ୟାସ୍ପଦ ଆଚରଣ ବି ପ୍ରଦର୍ଶନ କରୁଛନ୍ତି।

କୁମାରସ୍ବାମୀ ପୁଣି କହିଛନ୍ତି, କନ୍ନଡ଼, ତେଲୁଗୁ, ତାମିଲ, ମାଲୟାଲମ୍‌ ଏବଂ ମରାଠି ପରି ହିନ୍ଦୀ ମଧ୍ୟ ଗୋଟିଏ ଭାଷା। ଭାତର ଅନେକ ଭାଷାର ବଗିଚାଟିଏ। ବହୁବିଧ ସଂସ୍କୃତିର ଦେଶ। ଏଥିରେ ବିଭ୍ରାଟ ପାଇଁ ଉଦ୍ୟମ କରିବା ଅନୁଚିତ।

ଉଭୟ ‘ବିଜେପି’ ଏବଂ ‘କଂଗ୍ରେସ’କୁ ଉଦ୍ଦେଶ୍ୟ କରି କୁମାରସ୍ବାମୀ କହିଛନ୍ତି: ପ୍ରାରମ୍ଭରୁ କେନ୍ଦ୍ରରେ ହିନ୍ଦୀଭିତ୍ତିକ ରାଜନୈତିକ ଦଳ ସବୁ ଆଞ୍ଚଳିକ ଭାଷାଗୁଡ଼ିକୁ ନଷ୍ଟ କରିଦେବାକୁ ଉଦ୍ୟମ ଚଳାଇଛନ୍ତି। କଂଗ୍ରେସଦ୍ବାରା ଆଞ୍ଚଳିକ ଭାଷାଗୁଡ଼ିକ ଉପରେ ଆରମ୍ଭ ହୋଇଥିବା ଆକ୍ରମଣକୁ ‘ବିଜେପି’ ଚାଲୁ ରଖିଛି।

‘‘ଏକ ଦେଶ, ଏକ ଟିକସ, ଏକ ଭାଷା ଏବଂ ଏକ ସରକାର’’ ଧାରା ଚଳାଇଥିବା ‘ବିଜେପି’ର ମୁଖପାତ୍ର କହି ‌କୁମାରସ୍ବାମୀ ଅଜୟ ଦେବଗନଙ୍କୁ ଦୋଷାରୋପ କରିଛନ୍ତି।