ଏବେ ଦେଶବ୍ୟାପୀ ଏନ୍‌ଆର୍‌ସି, ବିଭିନ୍ନ ରାଜ୍ୟରେ ପର୍ଯ୍ୟାୟ କ୍ରମେ ଲାଗୁ ହେବ

ହିନ୍ଦୀକୁ ଦ୍ବିତୀୟ ଭାଷା ଭାବେ ଗ୍ରହଣ କରାଯାଉ: ଅମିତ ଶାହ

ନୂଆଦିଲ୍ଲୀ : ଦେଶରେ ବେଆଇନ ଭାବେ ରହୁଥିବା ବିଦେଶୀ ନାଗରିକଙ୍କୁ ଚିହ୍ନଟ କରିବା ଲାଗି ଉଦ୍ଦିଷ୍ଟ ଜାତୀୟ ନାଗରିକ ପଂଜିକା (ଏନ୍‌ଆର୍‌ସି) କେବଳ ଆସାମରେ ସୀମିତ ରହିବ ନାହିଁ। ପର୍ଯ୍ୟାୟକ୍ରମେ ଏହାକୁ ସାରା ଦେଶରେ ଲାଗୁ କରାଯିବ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଏକ ସାକ୍ଷାତକାରରେ ଏହି ସୂଚନା ଦେଇଛନ୍ତି। ରାଞ୍ଚିରେ ଏଚ୍‌ଟି ମିଡିଆ ଗ୍ରୁପ୍‌ର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶାହ କହିଛନ୍ତି, ସରକାର ଦେଶବ୍ୟାପୀ ଏନ୍‌ଆର୍‌ସି ଲାଗୁ କରିବା ପାଇଁ ଚାହୁଛନ୍ତି ଏବଂ ଏଥିପାଇଁ ପର୍ଯ୍ୟାୟକ୍ରମେ ପଦକ୍ଷେପ ନିଆଯାଉଛି। ଦେଶରେ ବେଆଇନ ଭାବେ ରହୁଥିବା ବିଦେଶୀ ନାଗରିକମାନଙ୍କୁ ଚିହ୍ନଟ କରିବା ଜରୁରୀ। ଭାରତୀୟମାନେ ଆମେରିକା, ବ୍ରିଟେନ୍‌, ରୁଷିଆ ଆଦି କୌଣସି ରାଷ୍ଟ୍ରକୁ ଯାଇ ବେଆଇନ ଭାବେ ରହିପାରୁଛନ୍ତି କି ବୋଲି ପ୍ରଶ୍ନ କରି ଶାହ କହିଥିଲେ ଯେ ପ୍ରତ୍ୟେକ ରାଷ୍ଟ୍ରରେ ବିଦେଶୀ ନାଗରିକଙ୍କୁ ଚିହ୍ନଟ କରିବା‌ର ବ୍ୟବସ୍ଥା ରହିଛି। ଭାରତ ମଧ୍ୟ ନିଜର ସୁରକ୍ଷା ଦୃଷ୍ଟିରୁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବ। ଅଗଷ୍ଟ ୩୧ରେ ଆସାମରେ ଏନ୍‌ଆର୍‌ସି ପ୍ରକ୍ରିୟା ଶେଷ ହୋଇଛି ଏବଂ ପର୍ଯ୍ୟାୟକ୍ରମେ ଏହା ଅନ୍ୟ ରାଜ୍ୟରେ ଆରମ୍ଭ ହେବ।

ହିନ୍ଦୀ ଭାଷାକୁ ନେଇ ତାଙ୍କର ବୟାନକୁ ବିରୋଧ କରାଯିବା ସଂପର୍କରେ ଶାହ କହିଛନ୍ତି ଯେ ହିନ୍ଦୀକୁ ଲଦିବାର ପ୍ରଶ୍ନ ଉଠୁନାହିଁ ଏବଂ କେବଳ ଏହାର ବହୁଳ ବ୍ୟବହାରକୁ ସେ ଗୁରୁତ୍ବ ଦେଉଛନ୍ତି। ହିନ୍ଦୀକୁ ଦେଶର ଦ୍ବିତୀୟ ଭାଷା ଭାବେ ଗ୍ରହଣ କରାଯିବା ଉଚିତ। ଆଞ୍ଚଳିକ ଭାଷା ପ୍ରଥମ ସରକାରୀ ଭାଷା ହୋଇରହୁ। କିନ୍ତୁ ଦେଶକୁ ଯୋଡ଼ି ରଖିବାଲାଗି ହିନ୍ଦୀକୁ ଦ୍ବିତୀୟ ଭାଷାର ମର୍ଯ୍ୟାଦା ମିଳିବା ଉଚିତ।

ମୁଁ ନିଜେ ଏକ ଅଣ ହିନ୍ଦୀ ରାଜ୍ୟରୁ ଆସୁଛି ଏବଂ ଅନ୍ୟ କୌଣସି ରାଜ୍ୟ ଉପରେ ହିନ୍ଦୀ ଭାଷାକୁ ଲଦି ଦେବାକୁ କଦାପି ଚାହୁନାହିଁ। ଯେଉଁମାନେ ତାଙ୍କ ବୟାନକୁ ନେଇ ରାଜନୀତି କରୁଛନ୍ତି, ସେମାନଙ୍କୁ ରାଜନୀତି କରିବାକୁ ଦିଆଯାଉ ବୋଲି ଶାହ କହିଛନ୍ତି।

ଜମ୍ମୁ କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ଦେଉଥିବା ଧାରା ୩୭୦ ହଟାଯିବା ପରେ କଶ୍ମୀରରେ ବିକାଶର ରାସ୍ତା ଉନ୍ମୁକ୍ତ ହୋଇଛି ଏବଂ ଦେଶକୁ ଏକଜୁଟ୍‌ ରଖିବା ପାଇଁ ଏହା ଅତି ଜରୁରୀ ଥିଲା ବୋଲି ଶାହ କହିଛନ୍ତି। ଦେଶର ୧୦୬ଟି ଆଇନ ୩୭୦ ପାଇଁ କଶ୍ମୀରରେ ଲାଗୁ ହୋଇପାରୁ ନଥିଲା

ଏବଂ ଏହାଦ୍ବାରା ରାଜ୍ୟକୁ ବହୁତ କ୍ଷତି ସହିବାକୁ ପଡ଼ୁଥିଲା। କେନ୍ଦ୍ର ସରକାର କଶ୍ମୀରର ବିକାଶ ପାଇଁ ୨ ଲକ୍ଷ ୭୨ ହଜାର କୋଟି ଟଙ୍କା ପଠାଇଛନ୍ତି, କିନ୍ତୁ ସେହି ଅନୁପାତରେ କଶ୍ମୀରରେ ବିକାଶ ହୋଇନାହିଁ। ଧାରା ୩୭୦କୁ ଆଳ କରି ସେଠାରେ ଚାଲିଥିବା ଦୁର୍ନୀତି ଯୋଗୁଁ ରାଜ୍ୟ ବହୁତ ପଛରେ ରହିଥିଲା। ଏବେ ୩୭୦ ହଟିବା ସହ ଏହା କେନ୍ଦ୍ର ଶାସିତ ଅଂଚଳ ହୋଇଥିବାରୁ କଶ୍ମୀରବାସୀଙ୍କୁ ଏହାର ସୁଫଳ ମିଳିବ। କଶ୍ମୀରରେ କଟକଣା ହଟିବାରେ ଲାଗିଛି ଏବଂ ଫାରୁକ୍‌ ଅବୁଦଲ୍ଲାଙ୍କ ସମେତ କୌଣସି ନେତାଙ୍କୁ ମଧ୍ୟ ଦୁଇ ବର୍ଷ ପର୍ଯ୍ୟନ୍ତ ଅଟକ ରଖିବା ପାଇଁ କୌଣସି ଯୋଜନା ନାହିଁ ବୋଲି ଶାହ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର