‘ଓଡ଼ିଶା ଇତିହାସ’ର ହିନ୍ଦୀ ସଂସ୍କରଣ ଉନ୍ମୋଚିତ: ମହତାବ ଇତିହାସର ମହତ୍ତ୍ବପୂର୍ଣ୍ଣ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

ଯୁବପିଢ଼ି ସ୍ବାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ଅନୁଭବ କରନ୍ତୁ

ନୂଆଦିଲ୍ଲୀ : ବହୁ ବିଦ୍ବାନଙ୍କଠାରୁ ଶୁଣିଛି, ଯଦି ଆପଣ ମହତାବଙ୍କ ଲିଖିତ ‘ଓଡ଼ିଶା ଇତିହାସ’କୁ ପଢ଼ିଦେଲେ, ତେବେ ଆପଣ ପୂରା ଓଡ଼ିଶାକୁ ଜାଣିଦେଲେ, ଓଡ଼ିଶାକୁ ଜିଇଁ ନେଲେ। ଇତିହାସ କେବଳ ଅତୀତର ଅଧ୍ୟାୟ ନୁହେଁ, ଭବିଷ୍ୟତର ଆଇନା ମଧ୍ୟ। ଏହି ବିଚାରକୁ ନେଇ ଆଜି ଦେଶ ‘ଆଜାଦୀ କି ଅମୃତ ମହୋତ୍ସବ’ରେ ସ୍ବାଧୀନତାର ଇତିହାସକୁ ପୁଣିଥରେ ଜୀବନ୍ତ କରୁଛି। ଦେଶର ଯୁବପିଢ଼ି ଏହାକୁ ଜାଣିବା ସହ ସ୍ବାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ ଓ ବଳିଦାନକୁ ଅନୁଭବ କରି ନୂଆ ସଂକଳ୍ପ ନେଇ ଆତ୍ମବିଶ୍ବାସର ସହ ଆଗକୁ ବଢ଼ନ୍ତୁ। ଶୁକ୍ରବାର ନୂଆଦିଲ୍ଲୀ ଜନପଥସ୍ଥିତ ଆମ୍ବେଦକର ଇଣ୍ଟରନ୍ୟାସନାଲ ସେଣ୍ଟର୍‌ରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବଙ୍କ ଲିଖିତ ‘ଓଡ଼ିଶା ଇତିହାସ’ର ହିନ୍ଦୀ ସଂସ୍କରଣକୁ ଉନ୍ମୋଚନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୁବପିଢ଼ିମାନଙ୍କୁ ଏପରି ଆହ୍ବାନ ଦେଇଛନ୍ତି।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଲେ, ଡ. ହରେକୃଷ୍ଣ ମହତାବଙ୍କ ଭଳି ଐତିହାସିକ ବ୍ୟକ୍ତିତ୍ବ ସମାଜରେ ବିରଳ। ଏମିତି ମହାପୁରୁଷ ଇତିହାସର ମହତ୍ତ୍ବପୂର୍ଣ୍ଣ ଅଧ୍ୟାୟ। ସ୍ବାଧୀନତା ସଂଗ୍ରାମରେ ସେ ନିଜର ଯୌବନ ଓ ଜୀବନ ଉଭୟ ସମର୍ପଣ କରିଦେଇଥିଲେ। ଜୀବନର ଶେଷ ପର୍ଯ୍ୟନ୍ତ ସେ ସ୍ବାଧୀନତା ସଂଗ୍ରାମୀ ହୋଇ ରହିଥିଲେ। ଆଜିର ଜନପ୍ରତିନିଧିମାନଙ୍କୁ ଏହା ଆଶ୍ଚର୍ଯ୍ୟ କରିପାରେ ଯେ ମହତାବ ଯେଉଁ ଦଳରୁ ଜିତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ, ଜାତୀୟ ଜରୁରୀକାଳୀନ ପରିସ୍ଥିତି ସମୟରେ ସେ ସେହି ଦଳକୁ ବିରୋଧ କରି ଜେଲ୍‌ ଯାଇଥିଲେ। ତେଣୁ ମହତାବ ଏମିତି ଜଣେ ବିରଳ ନେତା, ଯିଏ ଦେଶକୁ ସ୍ବାଧୀନ କରିବା ଓ ଦେଶର ଲୋକତନ୍ତ୍ରକୁ ବଞ୍ଚାଇବା ପାଇଁ ଜେଲ୍‌ ଯାଇଥିଲେ।

ମହତାବ ଛାତ୍ର ଜୀବନରୁ ସ୍ବାଧୀନତା ସଂଗ୍ରାମରେ ଝାସ ଦେବା ସହ ସମାଜର କୁ-ପ୍ରଥା ବିରୋଧରେ ମଧ୍ୟ ଲଢ଼େଇ କରିଥିଲେ। ଯେଉଁ ସମୟରେ ଦେଶରେ ଛୁଆଁ ଅଛୁଆଁ, ଜାତିପ୍ରଥାକୁ ନେଇ ସମାଜରେ ବିଭେଦ ଥିଲା, ସେତେବେଳେ ମହତାବ ନିଜର ପୈତୃକ ମନ୍ଦିରକୁ ସବୁ ଜାତିଙ୍କ ପାଇଁ ଖୋଲି ଦେଇଥି‌ଲେ। ଏଥିରୁ ତାଙ୍କର ସାହସର ପରିଚୟ ମିଳେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ଓଡ଼ିଶାର ଇତିହାସ ପ୍ରତି ମଧ୍ୟ ମହତାବଙ୍କ ଆକର୍ଷଣ ବହୁତ ଅଧିକ ଥିଲା। ସେ ଇଣ୍ଡିଆନ୍‌ ହି‌ଷ୍ଟ୍ରି କଂଗ୍ରେସରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଓଡ଼ିଶାରେ ମ୍ୟୁଜିୟମ୍‌, ଆର୍କାଇଭସ୍‌, ପ୍ରତ୍ନତତ୍ତ୍ବ ବିଭାଗର ସ୍ଥାପନା, ସବୁ ମହତାବଙ୍କ ଐତିହାସିକ ଦୃଷ୍ଟିକୋଣ ଓ ଯୋଗଦାନରୁ ହିଁ ସମ୍ଭବ ହୋଇପାରିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଓଡ଼ିଶାର ମହାନ ସ୍ବାଧୀନତା ସଂଗ୍ରାମୀ ପଣ୍ଡିତ ଗୋପବନ୍ଧୁ ଦାସ, ଆଚାର୍ଯ୍ୟ ହରିହର, ବୀର ସୁରେନ୍ଦ୍ର ସାଏ, ରମାଦେବୀ, ମାଳତୀ ଦେବୀ, କୋକିଳା ଦେବୀ, ରାଣୀ ଭାଗ୍ୟବତୀ, ଆଦିବାସୀ ନେତା ଲକ୍ଷ୍ମଣ ନାଏକଙ୍କ ସଂପର୍କରେ ଆଲୋକପାତ କରିଥଲେ। ସେ କହିଥିଲେ ଯେ ମାତୃଭୂମି ପାଇଁ ଏମିତି ଅନେକ ସଂଗ୍ରାମ ରହିଛି, ଯାହାକୁ ଇତିହାସ ଅବହେଳା କରିଛି। ତାହା ଲୋକଲୋଚନକୁ ଆସି ପାରିନାହିଁ। ସେଗୁଡ଼ିକୁ ଉଜାଗର କରିବା ପାଇଁ ସବୁସ୍ତରରେ ଉଦ୍ୟମ ହେବା ଆବଶ୍ୟକ।

ଓଡ଼ିଶାର ଗୌରବୋଜ୍ଜ୍ବଳ ଇତିହାସକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ ଯେ ଓଡ଼ିଶା ସାଂସ୍କୃତିକ ବିବିଧତାର ଏକ ସଂପୂର୍ଣ୍ଣ ଚିତ୍ର। ଏହାର କଳା, ସଂସ୍କୃତି, ଆଧ୍ୟାତ୍ମିକତା, ଆଦିବାସୀ ସଂସ୍କୃତି, ପ୍ରାଚୀନ ନୌବାଣିଜ୍ୟ ପରମ୍ପରା ନିଆରା ତଥା ସମୃଦ୍ଧ। ଏହାକୁ ନୂଆପିଢ଼ି ଜାଣିବା ଆବଶ୍ୟକ। ଆମେ ଓଡ଼ିଶାର ଇତିହାସକୁ ଯେତେ ଗଭୀରତା ସହ ବୁଝିବା, ଦୁନିଆ ସାମ୍ନାକୁ ଆଣିବା; ମାନବତାକୁ ବୁଝିବାର ବ୍ୟାପକ ଦର୍ଶନ ଆମକୁ ମିଳି ପାରିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ।

କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ କହିଲେ ଯେ ଆଜିର ଦିନ ଓଡ଼ିଶା ପାଇଁ ଏକ ନୂତନ ପରିଚୟ ଆଣିଦେବ। କେବଳ ଏହି ବହିର ଉନ୍ମୋଚନ ପାଇଁ ନୁହେଁ, ବରଂ ଏକ ବୁଦ୍ଧିମାନ, ପରାକ୍ରମୀ, ଲଢ଼ୁଆ, ସମ୍ବେଦନଶୀଳ ସମାଜକୁ ଭାରତର ଏପରି ଜଣେ ଲୋକପ୍ରିୟ ନେତୃତ୍ବଙ୍କ ହାତରେ ସ୍ବୀକୃତି ମିଳିବା ପାଇଁ ଏକ ସ୍ମରଣୀୟ ଦିନ ହୋଇ ରହିବ ବୋଲି କହିଥିଲେ।

କାର୍ଯ୍ୟକ୍ରମରେ ସ୍ବର୍ଗତ ମହତାବଙ୍କ ସୁପୁତ୍ର ତଥା ସାଂସଦ ଭର୍ତ୍ତୃହରି ମହତାବ ଅନ୍ୟତମ ଅତିଥି ଭାବେ ଯୋଗଦେଇ ‘ଓଡ଼ିଶା ଇତିହାସ’ର ହିନ୍ଦୀ ସଂସ୍କରଣର ଉଦ୍ଦେଶ୍ୟ, ଆବଶ୍ୟକତା ଓ ଏହା ପଛର କାହାଣୀ ସଂପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ, ଏହି ପୁସ୍ତକଟି ପୂର୍ବରୁ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ପ୍ରକାଶିତ ହୋଇସାରିଛି। ତେବେ ଦେଶରେ ବହୁଳ ବ୍ୟବହାର ହେଉଥିବା ଭାଷା ହିନ୍ଦୀ‌‌ରେ ଏହାର ଏକ ସଂସ୍କରଣ ପ୍ରକାଶ ପାଇଲେ, ଓଡ଼ିଶାର ଗୌରବମୟ ଇତିହାସ, ରାଜନୀତି, ସଂସ୍କୃତି, ପରମ୍ପରା, ଧର୍ମ ସଂପର୍କରେ ବହୁ ଲୋକ ଜାଣିପାରିବେ। ତେଣୁ ଏହାକୁ ହିନ୍ଦୀ ଭାଷାରେ ପ୍ରକାଶ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଉତ୍ସାହିତ କରିଥିଲେ। କରୋନା କାଳରେ ବିଶିଷ୍ଟ ଲେଖକ ଶଙ୍କରଲାଲ ପୁରୋହିତ ଏହାକୁ ହିନ୍ଦୀରେ ଅନୁବାଦ କରିଥିଲେ ବୋଲି ସାଂସଦ ଶ୍ରୀ ମହତାବ ସୂଚନା ଦେଇଥିଲେ।

ଜରୁରୀ ପରିସ୍ଥିତି ପରେ ମହତାବଙ୍କୁ ଭେଟିଥିଲି
ପ୍ରଧାନମନ୍ତ୍ରୀ ନ‌ରେନ୍ଦ୍ର ମୋଦୀ କହିଥିଲେ ଯେ ଦେଶରୁ ଜାତୀୟ ଜରୁରୀକାଳୀନ ପରିସ୍ଥିତି ହଟିବା ପରେ ମୋତେ ଡ. ହରେକୃଷ୍ଣ ମହତାବଙ୍କୁ ଭେଟିବାର ସୌଭାଗ୍ୟ ମିଳିଥିଲା। ଏକ ଗବେଷଣା ପାଇଁ ତାଙ୍କଠାରୁ କିଛି ତଥ୍ୟ ସଂଗ୍ରହ ଆଶାରେ ମୁଁ ଓଡ଼ିଶା ଯାଇଥିଲି। ସେତେବେଳେ ରାଜନୀତିରେ ମୁଁ ସେମିତି ଚିହ୍ନାମୁହଁ ନଥିଲି। ମୋର ଏବେ ବି ମନେ ଅଛି, ଭେଟିବା ପାଇଁ ମୋତେ ସେ ମଧ୍ୟାହ୍ନଭୋଜନ ପୂର୍ବ ସମୟ ଦେଇଥିଲେ। କିନ୍ତୁ ସେ ଖାଇବାକୁ ନ ଯାଇ ମୋ ସହ ପାଖାପାଖି ଦୁଇରୁ ଅଢ଼େଇ ଘଣ୍ଟା ପର୍ଯ୍ୟନ୍ତ ଲମ୍ବା ବାର୍ତ୍ତାଳାପ କରିଥିଲେ ଏବଂ ଅନେକ ବିଷୟରେ ମୋତେ ଜ୍ଞାନ ଦେଇଥିଲେ।

ଏହି ଅବସରରେ ସାଂସଦ ଭର୍ତ୍ତୃହରିଙ୍କ ପ୍ରଶଂସା କରି ଶ୍ରୀ ମୋଦୀ କହିଥିଲେ ଯେ ମୋର ଯାହା ଅନୁଭବ, ବଡ଼ ପରିବାର ବିଶେଷକରି ରାଜନୈତିକ ପରିବାରରେ ଯେଉଁ ସନ୍ତାନମାନେ ଜନ୍ମ ନିଅନ୍ତି, ସେମାନଙ୍କ ଚାଲିଚଳଣ, ଆଚାର ବ୍ୟବହାର, ଗୁଣକୁ ନେଇ ଆମର ବେଳେ‌ବେଳେ ସନ୍ଦେହ ହୁଏ। କିନ୍ତୁ ଭର୍ତ୍ତୃହରିଙ୍କୁ ଦେଖିବା ପରେ ଜମାରୁ ସେମିତି ଅନୁଭବ ହୁଏ ନାହିଁ। ଏହାର କାରଣ ହରେକୃଷ୍ଣ ମହତାବଙ୍କ ପାରିବାରିକ ଅନୁଶାସନ। ସେ ସଂସ୍କାରକୁ ବି ସେତିକି ମହତ୍ତ୍ବ ଦେଇଥିଲେ, ଯେଉଥିପାଇଁ ଆମକୁ ସଂସଦରେ ଭର୍ତ୍ତୃହରିଙ୍କ ପରି ସାଥୀ ମିଳିଛନ୍ତି।

ସମ୍ବନ୍ଧିତ ଖବର