ହିନ୍ଦି ଲେଖିକା କୃଷ୍ଣା ସୋବ୍‌ତିଙ୍କୁ ଜ୍ଞାନପୀଠ

ନୂଆଦିଲ୍ଲୀ: ହିନ୍ଦୀ ସାହିତ୍ୟରେ ଅନବଦ୍ୟ ଅବଦାନ ପାଇଁ ପ୍ରଖ୍ୟାତ ଲେଖିକା କୃଷ୍ଣା ସୋବତିଙ୍କୁ ୨୦୧୭ ମସିହାର ୫୩ ତମ ଜ୍ଞାନପୀଠ ପୁରସ୍କାର ପ୍ରଦାନ ପାଇଁ ମନୋନୀତ କରାଯାଇଛି। ତାଙ୍କ ଦ୍ୱାରା ରଚିତ ପୁସ୍ତକ ‘ଜିନ୍ଦଗିନାମା’ରେ ପଞ୍ଜାବ ଗ୍ରାମାଞ୍ଚଳ ଜୀବନର ନିଚ୍ଛକ ଉପସ୍ଥାପନା ପାଇଁ ତାଙ୍କୁ ଦେଶର ଏହି ସର୍ବଶ୍ରେଷ୍ଠ ସାହିତ୍ୟ ସମ୍ମାନ ମିଳିଥିବା କୁହାଯାଇଛି। ସାହିତ୍ୟରେ ନାରୀ ସ୍ୱାଧୀନତା ଏବଂ ସହିଷ୍ଣୁତାର ପ୍ରତିନିଧି ଭାବେ ବିବେଚିତ ୯୧ ବର୍ଷୀୟା କୃଷ୍ଣା ତାଙ୍କ କାହାଣୀରେ ଚରିତ୍ରମାନଙ୍କୁ ଭିନ୍ନ ଶୈଳୀରେ ଉପସ୍ଥାପନା କରିବା ପାଇଁ ଅନେକ ଦୁଃସାହସିକ ପଦକ୍ଷେପ ନେଇଥିବା ପାଇଁ ମଧ୍ୟ ଚର୍ଚ୍ଚିତା। ହିନ୍ଦୀ, ପଞ୍ଜାବୀ ଏବଂ ଊର୍ଦ୍ଦୁ ସଂସ୍କୃତିର ସମିଶ୍ରଣରେ ପରିବେଷିତ ତାଙ୍କ ଭାଷା ଏକ ନିଆରା ଢଙ୍ଗରେ ତାଙ୍କ ଭାବକୁ ପରିପ୍ରକାଶ କରେ।

୧୯୨୫ ଫେବ୍ରୁଆରି ୧୮ରେ ତତ୍କାଳୀନ ଭାରତର ଗୁଜରାଟ ପଞ୍ଜାବ(ବର୍ତ୍ତମାନ ପାକିସ୍ତାନ)ରେ ଜନ୍ମିତା କୃଷ୍ଣାଙ୍କର ଲେଖାଗୁଡ଼ିକ ମୁଖ୍ୟତଃ ଦେଶ ବିଭାଜନ, ପୁରୁଷ-ନାରୀ ସମ୍ପର୍କ, ଭାରତୀୟ ସମାଜର ପରିବର୍ତ୍ତନ ଧାରା ଏବଂ ମାନବିକ ମୂଲ୍ୟବୋଧର ଅବକ୍ଷୟ ଉପରେ ହିଁ ପର୍ଯ୍ୟବସିତ। ତାଙ୍କ ସୃଷ୍ଟି ମଧ୍ୟରୁ ‘ମିତ୍ର ମରଜାଣି’, ‘ ଦାର୍‌ ସେ ବିଛୁଡ଼ି’, ‘ଜିନ୍ଦଗିନାମା’, ‘ବାଦଲୋଁ କେ ଘେରେ’, ‘ଆଇ ଲଡ଼କି’, ‘ଦିଲ୍‌-ଓ-ଦାନିସ’ ଏବଂ ‘ଗୁଜରାଟ ପାକିସ୍ତାନ ସେ ଗୁଜରାଟ ହିନ୍ଦୁସ୍ଥାନ’ ଆଦି ଯଥେଷ୍ଟ ପାଠକୀୟ ଆଦୃତି ଲାଭ କରିସାରିଛି। ସାହିତ୍ୟ ସାଧନର ଏହି ବରେଣ୍ୟ ସ୍ରଷ୍ଟାଙ୍କୁ ପୂର୍ବରୁ ହିନ୍ଦୀ ଏକାଡେମି ସମ୍ମାନ, ସିରୋମଣ ସମ୍ମାନ, ମୈଥଳି ଶରଣ ଗୁପ୍ତ ସମ୍ମାନ, ସାହିତ୍ୟ ଏକାଡେମି ସମ୍ମାନ, ସାହିତ୍ୟ ଏକାଡେମି ଫେଲୋସିପ୍‌ ଏବଂ ପଦ୍ମ ଭୂଷଣ ଆଦି ପ୍ରାପ୍ତ ହୋଇଛି। ଜ୍ଞାନ ପୀଠ ପରି ଏହି ବିରଳ ସମ୍ମାନ ହାସଲ କରିବାରେ ସେ ଦେଶର ଅଷ୍ଟମ ମହିଳା ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର