ବାୟୁ ପ୍ରଦୂଷଣ କମାଇବାକୁ ୧୦୮ କୁଣ୍ଡୀୟ ନବଦିନ ଯଜ୍ଞରେ ପୋଡ଼ାଯିବ ୫୦୦ କୁଇଣ୍ଟାଲ୍‌ ଆମ୍ବକାଠ

ମିରଟ: ନବ ଦିନ ବ୍ୟାପୀ ଏକ ମହାଯଜ୍ଞ ପାଇଁ ମିରଟ ସହରର ଭୈଶାଂଳୀ ପଡ଼ିଆରେ ଏକତ୍ର ହୋଇଛନ୍ତି ବାରାଣସୀରୁ ଆସିଥିବା ପ୍ରାୟ ୩୫୦ ଜଣ ବ୍ରାହ୍ମଣ। ପ୍ରଦୂଷଣ ହ୍ରାସ କରାଇବାକୁ ସେମାନେ ଯଜ୍ଞକୁଣ୍ଡମାନଙ୍କରେ ୫୦୦ କୁଇଣ୍ଟାଲ୍‌ ଆମ୍ବ କାଠ ପୋଡ଼ିବେ। ଏ ପ୍ରକାର ଅଦ୍ଭୁଦ ଅନୁଷ୍ଠାନର ଆୟୋଜକ ଶ୍ରୀ ଅୟୁତଚଣ୍ଡୀ ମହାଯଜ୍ଞ ସମିତି ୧୨୫X୧୨୫ ବର୍ଗ ଫୁଟ୍‌ ବିଶିଷ୍ଟ ଯଜ୍ଞଶାଳାରେ ୧୦୮ଟି ଯଜ୍ଞକୁଣ୍ଡ ପ୍ରସ୍ତୁତ କରିଛନ୍ତି। ଏକ ନିର୍ଦ୍ଦିଷ୍ଟ ଧର୍ମର ହୋଇଥିବାରୁ ଉତ୍ତର ପ୍ରଦେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରି ଦେଇଛି। ଏ ମାମଲାରେ ତଦନ୍ତ କରାଇବାକୁ ମଧ୍ୟ କୌଣସି ନୀତି ନାହିଁ।

ମିରଟସ୍ଥିତ ୟୁପିପିସିବିର ଆଞ୍ଚଳିକ ଅଧିକାରୀ ଆର୍‌ କେ ତ୍ୟାଗୀ କହିଛନ୍ତି, ଏତେ ପରିମାଣର କାଠ ଜାଳିବା ନିଶ୍ଚୟ ପ୍ରଦୂଷଣର କାରଣ ହେବ। କିନ୍ତୁ, ଏ ମାମଲାର ତଦନ୍ତ କରିବାକୁ କୌଣସି ନୀତି ନାହିଁ। ତେଣୁ ଆମ୍ଭେ କିଛି କରି ପାରିବୁ ନାହିଁ। ଏ ଘଟଣା ଉପରେ କୌଣସି ମନ୍ତବ୍ୟ ଦେବା ମଧ୍ୟ ଉଚିତ ହେବନାହିଁ।

ଧୂଅାଁରେ ଆଖି ଲାଲ୍‌ ପଡ଼ି ଲୁହ ଗଡୁ ପଛକେ ଗୈରିକ ବସନ ପରିହିତ ହିନ୍ଦୁ ସଂଗଠନର ସଦସ୍ୟମାନେ ଯଜ୍ଞକୁଣ୍ଡ ଚାରି ପଟେ ବସି ମନ୍ତ୍ର ଉଚ୍ଚାରଣ କରୁଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି କେତେକ ୧୬ ବର୍ଷିୟ କିଶୋର।

ଶ୍ରୀ ଅୟୁତଚଣ୍ଡୀ ମହାଯଜ୍ଞ ସମିତିର ଉପସଭାପତି ଗିରୀଶ ବଂଶଲ କହନ୍ତି: ୧୦୮ କୁଣ୍ଡରେ ପୋଡ଼ା ହେବା ପାଇଁ ଆମେ ଆମ୍ବକାଠ ଓ ଗୁଆଘିଅ ଆଣିଛୁ। ହିନ୍ଦୁବାଦରେ ବିଶ୍ୱାସ ଚଳେ, ଯଜ୍ଞ ଦ୍ୱାରା ବାୟୁ ନିର୍ମଳ ହୁଏ। ଏ ପର୍ଯ୍ୟନ୍ତ ଗବେଷଣା ହୋଇ ନ ଥିବାରୁ ଏହାର କୌଣସି ବୈଜ୍ଞାନିକ ସିଦ୍ଧାନ୍ତ ନାହିଁ। ଯଜ୍ଞ ସମ୍ପନ୍ନ ହେବା ପରେ ସହରବାସୀ ଶୁଦ୍ଧ ବାୟୁ ଅନୁଭବ କରି ପାରିବେ।

ଏକ କୋଟି ଆହୂତି ପରେ ହିଁ ଯାଇ ଯଜ୍ଞରେ ପୂର୍ଣ୍ଣାହୂତି ଦିଆଯିବ। ଯଜ୍ଞ ପାଇଁ ଆବଶ୍ୟକ ୧୦୦ କୁଇଣ୍ଟାଲ୍‌ କଳାଖସା, ୬୦ କୁଇଣ୍ଟାଲ୍‌ ଚାଉଳ, ୩୦ କୁଇଣ୍ଟାଲ୍‌ ଯବ ଏବଂ ୧୫୦ ଟିଣ ଗୁଆଘିଅ ଦାନ କରିବାକୁ ଜନସାଧାରଣଙ୍କୁ ଲିଫ୍‌ଲେଟ୍‌ ମାଧ୍ୟମରେ ନିବେଦନ କରିଛି। ଆଗ୍ରହୀ ଲୋକେ ନିଜ ସାମର୍ଥ୍ୟ ଅନୁସାରେ ଏ ସବୁ ଦାନ କରି ପାରିବେ।

ସଙ୍ଗଠନର ସଭାପତି ଜ୍ଞାନେନ୍ଦ୍ର ଅଗ୍ରଓ୍ଵାଲ୍‌ କହନ୍ତି: ଶୁଦ୍ଧ ଗୁଆଘିଅରେ ଆମ୍ବକାଠ ପୋଡ଼ିଲେ ପ୍ରଦୂଷଣ ହୁଏ ନାହିଁ। ସେଥିରେ ଆମେ ଖସା, ଚାଉଳ ଏବଂ ଯବ ଆଦି ଆହୂତି ଦେଉଥିବାରୁ ତାହା ଶୋଧନ ପ୍ରକ୍ରିୟାରେ ସହାୟକ ହେବ।

ସମ୍ବନ୍ଧିତ ଖବର