ପାକିସ୍ତାନର ସିନ୍ଧ୍ ପ୍ରଦେଶରେ ହିନ୍ଦୁ ବ୍ୟବସାୟୀଙ୍କୁ ଗୁଳି ମାରି ହତ୍ୟା

କରାଚୀ: ପାକିସ୍ତାନର ସିନ୍ଧ୍‌ ପ୍ରଦେଶରେ ଅଜ୍ଞାତ ଆତତାୟୀମାନେ ଜଣେ ହିନ୍ଦୁ ବ୍ୟବସାୟୀଙ୍କୁ ଗୁଳି ମାରି ହତ୍ୟା କରାଯାଇଥିବା କଥା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି।

ଘଟଣାଟି ସିନ୍ଧ୍‌ର ଘୋଟ୍‌କି ଜିଲ୍ଲା ଅନ୍ତର୍ଗତ ଦହର୍କି ସହରରେ ସୋମବାର ରାତିରେ ଘଟିଛି। ମୃତ ବ୍ୟବସାୟୀଜଣକ ହେଉଛନ୍ତି ସତନ୍‌ ଲାଲ୍‌। ଖଣ୍ଡେ ଜମି ପାଇଁ ଦହର ସମ୍ପ୍ରଦାୟର ବ୍ୟକ୍ତିମାନେ ତାଙ୍କୁ ଗୁଳିମାରି ହତ୍ୟା କରିଥିବା ‘ଦି ଏକ୍ସପ୍ରେସ୍‌ ଟ୍ରିବ୍ୟୁନ୍‌’ ରିପୋର୍ଟ କରିଛି।

ଘଟଣାସ୍ଥଳରେ ଉପସ୍ଥିତ ଥିବା ଲାଲ୍‌ଙ୍କ ବନ୍ଧୁ ମୁଖି ଅନୀଲ୍‌ କୁମାର ଟେଲିଫୋନ୍‌ ଜରିଆରେ ‘ଦି ଏକ୍ସପ୍ରେସ୍‌ ଟ୍ରିବ୍ୟୁନ୍‌’କୁ କହିଛନ୍ତି, ଲାଲ୍‌ଙ୍କ ସେ ଜମିରେ ଗୋଟାଏ ତୁଳା କାରଖାନା ଏବଂ ଅଟାକଳ ଉଦ୍‌ଘାଟନ ହେଉଥିବା ବେଳେ କେତେକ ବ୍ୟକ୍ତି ତାଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି। ପ୍ରଥମେ ଆମର ମନେହୋଇଥିଲା ଯେ, ସମ୍ପ୍ରଦାୟର ଧାର୍ମିକ ନେତା ସାଏନ୍‌ ସଧ୍ରମ୍‌ ସାହେବଙ୍କୁ ସ୍ବାଗତ କରିବା ଲାଗି ଶୂନ୍ୟକୁ ଗୁଳି ଚଳନା କରାଯାଉଛି।

Image Courtesy of India Today

ସୂଚନାଯୋଗ୍ୟ, କିଛି ମାସ ତଳେ ଭାରଇରାଲ୍‌ ହୋଇଥିବା ଏକ ଭିଡିଓରେ ସତନ୍‌ ଲାଲ୍‌ କହିଥିଲେ: ସେମାନେ ମତେ ମାରି, ମୋ ଆଖି ଛେଚିପକାଇବା ସହ ହାତଗୋଡ଼ ହାଣି ଦେବେ ବୋଲି ଧମକାଉଛନ୍ତି। ସେମାନେ ମତେ ପାକିସ୍ତାନ ଛାଡ଼ି ଚାଲିଯିବାକୁ ଧମକ ଦେଉଛନ୍ତି। ମୁଁ ଏ ଦେଶର। ଏଇଠି ମରିବି ପଛେ ନତମସ୍ତକ ହେବିନାହିଁ।

ଧମକ ଦେଇଥିବା ବ୍ୟକ୍ତିଙ୍କ ନାମ ଉଲ୍ଲେଖ କରି ସ୍ବର୍ଗତ ଲାଲ୍‌ ପାକିସ୍ତାନର ପ୍ରଧାନ ବିଚାରପତି ଏବଂ ଅନ୍ୟ ସରକାରୀ କର୍ତ୍ତୃପକ୍ଷମାନଙ୍କୁ ବିଚାର ପାଇଁ ନିବେଦନ କରିଥିଲେ। ସେ କୁଆଡ଼େ କହିଥିଲେ, ରାସ୍ତାକଡ଼ ଜମିଟି ମୋର। ମୁଁ କାହିଁକି ସେ ଖଣ୍ଡକ ଛାଡ଼ି ଦେବି। ୨ ଏକରବିଶିଷ୍ଟ ଏହି ଜମିଖଣ୍ଡକ ପାଇଁ ୮ ବର୍ଷ ତଳେ କିଛି ଲୋକ ଗୁଳି ମାରି ସତନ୍‌ ଲାଲ୍‌ଙ୍କୁ ଆହତ କରିଥିଲେ।

ହିନ୍ଦୁ ବ୍ୟବସାୟୀଙ୍କୁ ହତ୍ୟା କରାଯିବା ଘଟଣାର ପ୍ରତିବାଦ ସ୍ବରୂପ ମଙ୍ଗଳବାର ଦିନ ବହୁସଂଖ୍ୟକ ପ୍ରତିବାଦକାରୀ ଜାତୀୟ ରାଜପଥ ଅବରୋଧ କରିଥିଲେ। ପରେ ପୁଲିସ ମୁଖ୍ୟ ଆସାମୀ ବଚଲ୍‌ ଦହର ଏବଂ ତାଙ୍କର ସହଯୋଗୀମାନଙ୍କୁ ଗିରଫ କରିଥ‌େିଲ।

ସମ୍ବନ୍ଧିତ ଖବର