ନୂଆଦିଲ୍ଲୀ: ଚଳିତବର୍ଷ ରଙ୍ଗର ପର୍ବ ହୋଲିକୁ ମାର୍ଚ୍ଚ ୧୪ରେ ପାଳନ କରାଯିବ। ସାରା ଦେଶରେ ହୋଲି ପର୍ବ ପାଇଁ ପ୍ରସ୍ତୁତି ଚାଲିଛି। ଅନେକ ସମୟରେ ପାକିସ୍ତାନରେ ଥିବା ହିନ୍ଦୁମାନଙ୍କୁ ହୋଲି ଉତ୍ସବ ପାଳନ କରିବାରୁ ବାରଣ କରାଯାଇଥାଏ ବୋଲି ଖବର ଆସିଥାଏ।

Advertisment

ଏହି ଘଟଣାକୁ ନେଇ ପାକିସ୍ତାନର କରାଚିର ରତ୍ନେଶ୍ବର ମନ୍ଦିରକୁ ଆସିଥିବା ହିନ୍ଦୁ ନାଗରିକ ନୀତୁ ହୋଲି ପାଳନ ସମ୍ପର୍କରେ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ମୁଁ ଜଣେ ହିନ୍ଦୁ। ପାକିସ୍ତାନରେ ବସବାସ କରେ। ସରକାର ପାକିସ୍ତାନରେ ହୋଲି ପାଳନ କରିବାରେ ଲୋକମାନଙ୍କୁ କୌଣସି ପ୍ରକାର ବାଧା ଦିଅନ୍ତି ନାହିଁ।

ମୁଁ ଏଠାରେ କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ହୁଏ ନାହିଁ। ଆମେ ସମ୍ପୂର୍ଣ୍ଣ ସ୍ୱାଧୀନତା ସହିତ ରହୁ, ଆମର ପର୍ବ ପାଳନ କରୁ ଏବଂ ଉପଭୋଗ କରୁ। ଏଠାକାର ସରକାର ଆମ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରନ୍ତି ଏବଂ ସୁରକ୍ଷା ମଧ୍ୟ ଯୋଗାଇ ଦିଅନ୍ତି। ଆମ ଚାରିପାଖରେ ଅନେକ ମୁସଲମାନ ରହୁଛନ୍ତି, କିନ୍ତୁ ସେମାନଙ୍କ ଯୋଗୁଁ ଆମେ କେବେ କୌଣସି ସମସ୍ୟାର ସମ୍ମୁଖୀନ ହେଉନାହୁଁ।"


ଅନ୍ୟପକ୍ଷରେ ଫେବୃଆରି ୨୩ ତାରିଖରେ ଖବର ଆସିଥିଲା କରାଚିର ଦାଉଦ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ହିନ୍ଦୁ ପର୍ବ ହୋଲି ପାଳନ କରିଥିବା ଛାତ୍ରମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ବିଶ୍ୱବିଦ୍ୟାଳୟ ପରିସରରେ ରାଜ୍ୟ ବିରୋଧୀ ସ୍ଲୋଗାନ ଦେବା ଅଭିଯୋଗରେ ଅନେକ ହିନ୍ଦୁ ଛାତ୍ରଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ କରାଯାଇଥିଲା।