‘ଭାରତକୁ ହିନ୍ଦୁ ରାଷ୍ଟ୍ର ରୂପେ ଘୋଷଣା କରିବା ଉଚିତ୍ ଥିଲା’ ବୋଲି ମେଘାଳୟ ହାଇକୋର୍ଟ ବିଚାରପତିଙ୍କ ମନ୍ତବ୍ୟକୁ ନେଇ ସୃଷ୍ଟି ହେଲା ତୀବ୍ର ପ୍ରତିକ୍ରିୟା
ସିଲଂ: ‘୧୯୪୭ରେ ଦେଶର ବିଭାଜନ ପରେ ଭାରତକୁ ଏକ ହିନ୍ଦୁ ରାଷ୍ଟ୍ର ରୂପେ ଘୋଷଣା କରିଦେବା ଉଚିତ୍ ଥିଲା’ ବୋଲି ମେଘାଳୟ ହାଇକୋର୍ଟର ଅନ୍ୟତମ ବିଚାରପତି ଜଷ୍ଟିସ୍ ସୁଦୀପ୍ ସେନ୍ ବୁଧବାର ଦିନ ନିଜର ଏକ ରାୟରେ ଉଲ୍ଲେଖ କରିବା ପରେ ଏହାକୁ ନେଇ ଏବେ ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ରାଜନୈତିକ ବିତର୍କ ସୃଷ୍ଟି ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ, ଜଣେ ଯବାନଙ୍କର ଏକ ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ସଂପର୍କିତ ଏକ ମାମଲାର ଶୁଣାଣି କରି ଜଷ୍ଟିସ୍ ସେନ୍ ତାଙ୍କ ରାୟରେ କହିଛନ୍ତି, ‘ପାକିସ୍ତାନ ନିଜକୁ ଏକ ମୁସଲମାନ ରାଷ୍ଟ୍ର ଭାବେ ଘୋଷଣା କରିଛି ଏବଂ ସେହିଦିନ ଠାରୁ ଧର୍ମ ଭିତ୍ତିରେ ବିଭାଜିତ ହୋଇଥିବା ଭାରତ ନିଜକୁ ଏକ ହିନ୍ଦୁ ରାଷ୍ଟ୍ର ଭାବେ ଘୋଷଣା କରିବା ଉଚିତ ଥିଲା। କିନ୍ତୁ ତା’ନକରି ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ହୋଇ ରହିଲା। ତେବେ, ମୁଁ ଏଠାରେ ସ୍ପଷ୍ଟ କରିଦେବାକୁ ଚାହେଁ ଭାରତକୁ କେହି ଆଉ ଗୋଟିଏ ମୁସଲମାନ ରାଷ୍ଟ୍ରରେ ପରିଣତ କରିବାକୁ ଉଦ୍ୟମ ନକରୁ; ନଚେତ ଏହା ଉଭୟ ଭାରତ ଏବଂ ବିଶ୍ୱ ପାଇଁ ପ୍ରଳୟର ଦିନ ହେବ’ ବୋଲି ଏହି ମାମଲାର ରାୟରେ ଉଲ୍ଲେଖ କରିଛନ୍ତି ଜଷ୍ଟିସ୍ ସେନ୍।
ଏତିକିରେ ଅଟକି ନାହାନ୍ତି ଜଷ୍ଟିସ୍ ସେନ୍। ତାଙ୍କ ରାୟରେ ପୁଣି ଉଲ୍ଲେଖ କରିଛନ୍ତି ଯେ ତାଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବିଶ୍ୱାସ ଓ ଭରସା ଅଛି। ଆଉ ଗୋଟିଏ ମୁସଲମାନ ରାଷ୍ଟ୍ରରେ ପରିଣତ ହେବା ପୂର୍ବରୁ ସେ ଭାରତକୁ ବଞ୍ଚାଇବେ। ଏଥିସହ ଜଷ୍ଟିସ୍ ସେନ୍ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ନୂତନ ଆଇନ୍ ପ୍ରଣୟନ କରିବାକୁ ପ୍ରସ୍ତାବ ଦେଇଛନ୍ତି, ଯେଉଁ ଆଇନ୍ ବଳରେ ପାକିସ୍ତାନ, ବାଂଲାଦେଶ ଏବଂ ଆଫ୍ଗାନିସ୍ତାନରେ ଥିବା ଅଣ ମୁସଲମାନମାନଙ୍କୁ ଭାରତ ଆସିବା ପାଇଁ ଅନୁମତି ଦେବାକୁ ଏବଂ ଭାରତର ନାଗରିତ୍ୱ ପ୍ରଦାନ କରିବାକୁ।
ତେବେ, ବିଚାରପତି ଜଷ୍ଟିସ୍ ସେନ୍ଙ୍କ ଏ ମନ୍ତବ୍ୟକୁ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ ଓ ଶିବସେନା ସମର୍ଥନ କରିଥିବା ବେଳେ ନ୍ୟାସନାଲ କନଫରେନ୍ସ ସୁପ୍ରିମୋ ଫାରୁକ୍ ଅବଦୁଲ୍ଲା ଓ ଏଆଇଏମ୍ଆଇଏମ୍ ମୁଖ୍ୟ ଅସାବୁଦ୍ଦିନ୍ ଓଓ୍ଵାସୀ ଏହାର ଘୋର ବିରୋଧ କରିଛନ୍ତି। ଜଷ୍ଟିସ୍ ସେନ୍ଙ୍କର ଏପ୍ରକାରର ମନ୍ତବ୍ୟକୁ ବିରୋଧ କରି ଫାରୁକ୍ ଅବଦୁଲ୍ଲା କହିଛନ୍ତି, ‘ଏହା ହେଉଛି ଏକ ଧର୍ମନିରପେକ୍ଷ ରାଷ୍ଟ୍ର ଏବଂ ସବୁକାଳ ପାଇଁ ଧର୍ମନିରପେକ୍ଷ ରାଷ୍ଟ୍ର ହୋଇ ରହିବ। ଯେଉଁମାନେ ଏଥିରେ ଏକମତ ନହୋଇ ଅନ୍ୟ କିଛି କହିବାକୁ ଚାହାନ୍ତି, ସେମାନେ କହିପାରନ୍ତି; କାରଣ ଏହା ଏକ ଗଣତାନ୍ତ୍ରିକ ରାଷ୍ଟ୍ର ସମସ୍ତଙ୍କର ବାକ୍ ସ୍ୱାଧୀନତା ରହିଛି। ତେବେ, ଏହା କିଛି ଫରକ୍ ପକାଇବ ନାହିଁ। ଆମ ରାଷ୍ଟ୍ର ହେଉଛି ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର। ଆମ ପୂର୍ବପୁରୁଷମାନେ ଏହାକୁ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ରୂପେ ଗଠନ କରିଛନ୍ତି ଏବଂ ଆମେ ସମସ୍ତେ ମିଶି ଏହାର ଧର୍ମନିରପେକ୍ଷତାକୁ ବଜାୟ ରଖିବା ଉଚିତ। କାରଣ ବିବିଧତା ମଧ୍ୟରେ ଏକତା ହେଉଛି ଆମର ଚରିତ୍ର’, ବୋଲି କହିଛନ୍ତି ଫାରୁକ୍।
ଅନ୍ୟପକ୍ଷରେ ଜଷ୍ଟିସ୍ ସେନ୍ଙ୍କ ଏମନ୍ତବ୍ୟକୁ ସ୍ୱାଗତ କରିଛି ଶିବସେନା। ଶିବସେନା ପ୍ରବକ୍ତା ସଞ୍ଜୟ ରାଉତ୍ କହିଛନ୍ତି, ‘ଆମ ଦଳ ଏହାକୁ ସବୁବେଳେ ଏକ ହିନ୍ଦୁ ରାଷ୍ଟ୍ର ବୋଲି କହି ଆସୁଥିଲା। କାରଣ ୧୯୪୭ରେ ଯେଉଁ ବିଭାଜନ ହୋଇଥିଲା, ତାହା ହୋଇଥିଲା ଧର୍ମ ଭିତ୍ତିରେ।’
କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି, ‘ଜଷ୍ଟିସ୍ ସେନ୍ଙ୍କ ଏ ମନ୍ତବ୍ୟ ସହ ମୁଁ ସଂପୂର୍ଣ୍ଣ ଏକମତ। ଏକ ସାମ୍ବିଧାନିକ ପଦବୀରେ ରହି ସୁଦ୍ଧା ସଂଖ୍ୟାଧିକ ଲୋକଙ୍କ ମତ ସହ ସହମତ ହୋଇ ଏମନ୍ତବ୍ୟ ଦେଇଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି।’
ଏନ୍ସିପି ନେତା ମଜିଦ୍ ମେମୋନ୍ ଜଷ୍ଟିସ୍ ସେନ୍ଙ୍କ ଏ ମନ୍ତବ୍ୟକୁ ବିରୋଧ କରି କରିଛନ୍ତି, ‘ବିଭାଜନ ସମୟରେ କେଉଁ ପ୍ରକାରର ପରିସ୍ଥିତି ସୃଷ୍ଟି ହୋଇଥିଲା, ତାହା ବୋଧହୁଏ ବିଚାରପତି ଜାଣି ନାହାନ୍ତି। ଯାହାଲାଗୁଛି ଜଷ୍ଟିସ୍ ସେନ୍ ବୋଧହୁଏ ଇତିହାସ ପଢ଼ି ନାହାନ୍ତି’ ବୋଲି କହିଛନ୍ତି ଏନ୍ସିପି ନେତା ମେମୋନ୍।