ପାକିସ୍ତାନରେ ହିନ୍ଦୁ ଡାକ୍ତରଙ୍କୁ ଗୁଳି କରି ହତ୍ୟା

ଲାହୋର: ପାକିସ୍ତାନରେ ଆଉ ଜଣେ ହିନ୍ଦୁ ଡାକ୍ତରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣାରେ ଡାକ୍ତରଙ୍କ ସହାୟକ ଆହତ ହୋଇଛନ୍ତି। ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କରାଚି ମ୍ୟୁନିସିପାଲିଟି କର୍ପୋରେସନର ଅବସରପ୍ରାପ୍ତ ନିର୍ଦ୍ଦେଶକ ତଥା ଚକ୍ଷୁ ବିଶେଷଜ୍ଞ ଡାକ୍ତର ବିରବଲ ଜେନାନୀଙ୍କୁ ଲିଆରି ଏକ୍ସପ୍ରେସୱେ ନିକଟରେ ଗୁଳି କରି ହତ୍ୟା କରାଯାଇଛି। ଗୁରୁବାର ସନ୍ଧ୍ୟାରେ ସହରର ଗାର୍ଡେନ୍ ଅଞ୍ଚଳରେ ଥିବା ତାଙ୍କ ଘରୋଇ କ୍ଲିନିକରୁ ବାହାରକୁ ଆସୁଥିବା ବେଳେ ଆକ୍ରମଣକାରୀମାନେ ଡାକ୍ତରଙ୍କ କାର ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ | ଆଉ ଏଥିରେ ଡାକ୍ତରଙ୍କର ମୃତ୍ୟୁ ହୋଇଯାଇଥିଲା | ତେବେ ହତ୍ୟାକାଣ୍ଡର ପୁରା ଭିଡିଓ ନିକଟରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଡାକ୍ତରଙ୍କ ମୁଣ୍ଡରେ ଦୁଇଟି ଗୁଳି ବାଜିଥିବା ପୁଲିସ କହିଛି। ସୂଚନା ମୁତାବକ ଗୁରୁବାର ସନ୍ଧ୍ୟାରେ ଏହି ହତ୍ୟାକାଣ୍ଡ ଘଟିଥିବାବେଳେ ଡାକ୍ତରଙ୍କୁ ସନ୍ଧ୍ୟା ୬ଟା ୪୬ରେ ଡାକ୍ତରଖାନାକୁ ଅଣାଯିବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା ।

ଏନେଇ ପୁଲିସ କହିଛି ଯେ ପ୍ରାଥମିକ ତଦନ୍ତରୁ ଏହା ଟାର୍ଗେଟ କିଲିଂ ବୋଲି ଜଣାପଡିଛି | କିନ୍ତୁ ଏହାର ପ୍ରକୃତ ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ଜଣାପଡି ନାହିଁ। ଅନ୍ୟପଟେ ପାକିସ୍ତାନ ମେଡିକାଲ ଆସୋସିଏସନ (ପିଏମଏ) ର ସେକ୍ରେଟେରୀ ଡାକ୍ତର ଅବଦୁଲ ଗଫୁର ଶୋରୋ ଏହି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ଉଲ୍ଲେଖ ଥାଉ କି ଏହି ମାସରେ ପାକିସ୍ତାନର ଜଣେ ହିନ୍ଦୁ ଡାକ୍ତରଙ୍କ ଉପରେ ଆକ୍ରମଣର ଏହା ଦ୍ୱିତୀୟ ଘଟଣା। ଏହାପୂର୍ବରୁ ପାକିସ୍ତାନର ହାଇଦ୍ରାବାଦର ଡାକ୍ତର ଧର୍ମଦେବ ରାଠିଙ୍କୁ ତାଙ୍କ ଡ୍ରାଇଭର ହତ୍ୟା କରିଥିଲେ |

ସମ୍ବନ୍ଧିତ ଖବର