ଦିଲ୍ଲୀ ଡାକ୍ତରଖାନାରେ ଶବ ଅଦଳ ବଦଳ ହୋଇଯିବାରୁ ମୁସଲମାନ ମହିଳାଙ୍କ ଶବ ସତ୍କାର କଲେ ହିନ୍ଦୁ ପରିବାର

ନୂଆଦିଲ୍ଲୀ: ଭାରତର ସର୍ବୋଚ୍ଚ ଡାକ୍ତରୀ ପ୍ରତିଷ୍ଠାନ ଦିଲ୍ଲୀସ୍ଥିତ ‘ଏମ୍‌ସ୍’ର ଚରମ ଅବହେଳା କାରଣରୁ ଦୁଇଜଣ କୋଭିଡ୍-୧୯ ରୋଗୀଙ୍କର ଶବ ଅଦଳ ବଦଳ ହୋଇଯିବାରୁ ଏକ ହିନ୍ଦୁ ପରିବାର ଜଣେ ମୁସଲମାନ ମହିଳାଙ୍କ ଶବ ହିନ୍ଦୁ ରୀତିନୀତି ଅନୁସାରେ ସଂସ୍କାର କରିଛନ୍ତି।

ସୂଚନା ଅନୁସାରେ, ସ୍ବାସ୍ଥ୍ୟ ଅବନତି ‌ଘଟିଥିବା ଜଣେ କୁସୁମଲତା ନାମ୍ନା ଜଣେ ୫୨ ବର୍ଷୀୟ ମହିଳା ଦିଲ୍ଲୀ ଏମ୍‌ସ୍‌ରେ ଭର୍ତ୍ତି ହୋଇଥିଲେ। ରବିବାର ଦିନ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତହିଁ ଆର ଦିନ ତାଙ୍କ ପରିବାର ଲୋକଙ୍କୁ ଶବ ଅର୍ପଣ କରାଯାଇଥିଲା। ତାଙ୍କ ନମୁନା କୋଭିଡ୍-୧୯ ପଜିଟିଭ୍ ହୋଇଥିବାରୁ ଏବଂ ହିନ୍ଦୁ ହୋଇଥିବାରୁ ଆତ୍ମୀୟମାନେ ହିନ୍ଦୁ ପ୍ରଥା ଅନୁଯାୟୀ ପଞ୍ଜାବୀ ବାଗ ଶ୍ମଶାନରେ ଶବ ସତ୍କାର କରିଦେଲେ।

ପୁଣି ମଙ୍ଗଳବାର ସନ୍ଧ୍ୟାରେ ସେ ପରିବାରକୁ ଏମ୍‌ସ୍‌ରୁ ଫୋନ୍ ଆସିଲା ଯେ, ‌ଭୁଲ୍‌କ୍ରମେ ସେମାନେ ଅନ୍ୟ ଜଣଙ୍କ ଶବ ଦେଇ ଦେଇଥିଲେ। ତାଙ୍କ ପରିବାର ସଦସ୍ୟଙ୍କ (କୁସୁମଲତା) ଶବ ଏବେ ମଧ୍ୟ ଡାକ୍ତରଖାନାରେ ଅଛି। ଅବାକ୍ ହୋଇଯାଇଥିବା ପରିବାରର ସଦସ୍ୟମାନେ ତୁରନ୍ତ ଏମ୍‌ସ୍‌ରେ ପହଞ୍ଚିଲେ ଓ ଶବ ଆଣି ସତ୍କାର କଲେ।

ପରେ ସରକାରୀ ଚିଠିରୁ ଜଣାପଡ଼ିଲା ଯେ, ପୂର୍ବରୁ କୁସୁମଲତାଙ୍କ ପରିବାରକୁ ଅର୍ପଣ କରାଯାଇଥିବା ଶବଟି ଥିଲା ବରେଲିବାସିନୀ ମୁସଲମାନ ମହିଳା ଅଞ୍ଜୁମ୍‌ଙ୍କ ଶବ।

ସମ୍ବନ୍ଧିତ ଖବର