ଇସଲାମାବାଦ : ମସଜିଦ୍ ପରିସରରେ ଥିବା ପାଣିଟ୍ୟାପରୁ ପାଣି ନେବାରୁ ନିର୍ଯାତନାର ଶିକାର ହୋଇଛନ୍ତି ଏକ ଗରିବ ହିନ୍ଦୁ ପରିବାର । ସୂଚନା ମୁତାବକ, ପାକିସ୍ତାନର ପଂଜାବ ପ୍ରଦେଶର ରହିମୟାର ଖାନ ସହରରେ ରହୁଥିବା ଆଲାମ ରାମ ଭିଲ୍ ତାଙ୍କ ପତ୍ନୀ ଓ ଅନ୍ୟ ପରିବାର ସଦସ୍ୟଙ୍କ ସହ କ୍ଷେତରୁ କପା ତୋଳୁଥିଲେ । ଶୋଷ ଲାଗିବ‌ାରୁ ପାଣି ପିଇବାକୁ ନିକଟରେ ଥିବା ଏକ ମସଜିଦ ପରିସରକୁ ଯାଇଥିଲେ । ହେଲେ ହିନ୍ଦୁଙ୍କ ପ୍ରବେଶ ଫଳରେ ମସଜିଦ୍ ପବିତ୍ରତା ନଷ୍ଟ ହୋଇଥିବା ଅଭିଯୋଗ କରି କିଛି ସ୍ଥାନୀୟ ଜମିମାଲିକ ପରିବାରର ସମସ୍ତ ସଦସ୍ୟଙ୍କୁ ନିସ୍ତୁକ ମାଡ ମାରିବା ପରେ ଦୀର୍ଘ ସମୟ ଯାଏଁ ବନ୍ଧକ ରଖିଥବା ଖବର ‘ଡନ୍’ ଖବରକାଗଜରେ ପ୍ରକାଶ ପାଇଛି।

Advertisment

ଏ ନେଇ ଆଲାମ ରାମ ଭିଲ୍ ପୁଲିସରେ ଅଭିଯୋଗ କରିଥିଲେ ବି ପୁଲିସ କିଛି ପଦକ୍ଷେପ ନେଇ ନ ଥିଲା । ଆକ୍ରମଣକାରୀ ଶାସକ ଦଳ ତେହରିକି-ଇ ଇନସାଫର ଜନୈକ ସାଂସଦଙ୍କ ପରିଚିତ ଥିବାରୁ ପୁଲିସ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବା ଅଭିଯୋଗ ହୋଇଛି । ଏହାପରେ ଆଲାମ ରାମ ନ୍ୟାୟ ପାଇଁ ଜିଲ୍ଲା ଶାନ୍ତି କମିଟିର ଦ୍ୱାରସ୍ଥ ହୋଇଥିଲେ ବି ଆକ୍ରମଣକାରୀଙ୍କ ବିରୋଧରେ କୌଣସି ପଦକ୍ଷେପ ନିଆଯାଇନାହିଁ ।

ପାକିସ୍ତାନର ସମୁଦାୟ ଜନସଂଖ୍ୟା ୨୨ କୋଟି ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୭୦ ଲକ୍ଷ ହିନ୍ଦୁ ରହୁଛନ୍ତି। ହିନ୍ଦୁଙ୍କ ସୁରକ୍ଷା ନେଇ ପାକିସ୍ତାନ ସରକାର ସବୁବେଳେ ଉଦାସୀନ ବାଲି ବାରମ୍ବାର ଅଭିଯୋଗ ହୋଇଆସୁଛି।

ପୂର୍ବରୁ ଜଣେ ହିନ୍ଦୁଙ୍କ ଦୋକାନ ଭାଙ୍ଗିବା ସହ ତାଙ୍କୁ ବିଚ୍ ରାସ୍ତାରେ ମାଡ ମାରିଥିଲେ କିଛି ସ୍ଥାନୀୟ ଲୋକେ । ଏହି ଘଟଣାକୁ ନେଇ ସେସମୟରେ ଦୁର୍ବୃତ୍ତଙ୍କ ବିରୋଧରେ ପ୍ରଦର୍ଶନ କରି ନ୍ୟାୟ ମାଗିଥିଲା ହିନ୍ଦୁ ସମିତି । ହେଲେ ପାକିସ୍ତାନ ସରକାର କୌଣସି ପଦକ୍ଷେପ ନେଇ ନଥିଲେ । ଏହିପରି ଅନେକ ଥର ହିନ୍ଦୁଙ୍କ ଉପରେ ଆକ୍ରମଣ ହେବାର ନଜିର ଥିଲେ ବି ସରକାର କୌଣସି ସ୍ଥାୟୀ ସମାଧାନ କରୁ ନଥିବାରୁ ଏଠିକାର ହିନ୍ଦୁ ସମୁଦାୟକୁ ଅତିଷ୍ଠ କରୁଛି।