ଶ୍ରୀନଗର: ଗତ କିଛି ମାସ ମଧ୍ୟରେ ଜମ୍ମୁ-କଶ୍ମୀରରେ ହିନ୍ଦୁ ବା କଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ କରାଯାଉଛି। ତହସିଲଦାର ଅଫିସରେ ରାହୁଲ ଭଟଙ୍କ ସହ ଶିକ୍ଷୟତ୍ରୀ ରଜନୀଙ୍କୁ ହତ୍ୟା କରାଯିବା ପରେ ଏବେ ବଡ଼ ନିଷ୍ପତ୍ତି ନେଇଛି ପ୍ରଶାସନ। ବର୍ତ୍ତମାନ କଶ୍ମୀରରେ କାର୍ଯ୍ୟ କରୁଥିବା ହିନ୍ଦୁ ସମ୍ପ୍ରଦାୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ଜିଲ୍ଲା ମୁଖ୍ୟାଳୟରେ ପୋଷ୍ଟିଂ କରାଯିବ ବୋଲି ଘୋଷଣା କରାଯାଇଛି।। ମଙ୍ଗଳବାର ଦିନ କୁଲଗାମରେ ଜଣେ ହିନ୍ଦୁ ଶିକ୍ଷୟତ୍ରୀ ରଜନୀ ବାଲାଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିଲେ। ଗତ ୫ ମାସ ମଧ୍ୟରେ ଏହା ୧୬ତମ 'ଟାର୍ଗେଟ୍ କିଲିଂ' ହୋଇଥିବାରୁ ପ୍ରଶାସନର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି।
ଟାର୍ଗେଟ୍ କିଲିଂ ପରେ କର୍ମଚାରୀମାନେ ନିରନ୍ତର ଦାବି କରୁଥିଲେ ଯେ ସେମାନଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ସ୍ଥାନାନ୍ତର କରାଯିବା ସହ ନୂତନ ପୋଷ୍ଟିଂ ଜିଲ୍ଲା ମୁଖ୍ୟାଳୟରେ ହିଁ କରାଯାଉ। ଏଭଳି ଦାବି ପରେ ବୁଧବାର ଦିନ ଉପରାଜ୍ୟପାଳ ମନୋଜ ସିହ୍ନା ଶ୍ରୀନଗରର ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକ କରି ଏହି ନିଷ୍ପତ୍ତି ନେଇଛନ୍ତି। ସରକାରୀ ସୂତ୍ର ଅନୁଯାୟୀ, ଏହି ସମସ୍ତ କର୍ମଚାରୀଙ୍କୁ ଜୁନ୍ ୬ ସୁଦ୍ଧା ସୁରକ୍ଷିତ ସ୍ଥାନରେ ପୋଷ୍ଟିଂ ଦିଆଯିବ। ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ହିନ୍ଦୁ, ଶିଖ କିମ୍ବା ସଂଖ୍ୟାଲଘୁ ସମ୍ପ୍ରଦାୟର କୌଣସି କର୍ମଚାରୀଙ୍କୁ କଶ୍ମୀରର ଦୁର୍ଗମ ଅଞ୍ଚଳରେ ପୋଷ୍ଟିଂ ଦିଆଯିବ ନାହିଁ ଯେଉଁଠାରେ ସୁରକ୍ଷା ବ୍ୟବସ୍ଥା ଦୁର୍ବଳ ଅଟେ।
କେବଳ ଏତିକି ନୁହେଁ, ଏହି କର୍ମଚାରୀଙ୍କ ସମସ୍ୟାର ସମାଧାନ ପାଇଁ ଏକ ଇମେଲ୍ ଆଇଡି ତିଆରି କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ଯାହା ଦ୍ବାରା ସେମାନଙ୍କ ସମସ୍ୟାଗୁଡିକ ଠିକ୍ ସମୟରେ ସାମ୍ନାକୁ ଆସିବା ସହ ତୁରନ୍ତ ତାହାର ସମାଧାନ କରାଯିବ। ସମସ୍ତ ବିଭାଗରେ ନିମ୍ନ ସ୍ତରର କର୍ମଚାରୀଙ୍କ ସୁରକ୍ଷା ସହ ଜଡିତ ସମସ୍ୟାର ସମାଧାନ କରିବାର ଆବଶ୍ୟକତା ରହିଛି। ଯଦି ସେମାନେ କୌଣସି ଅଭିଯୋଗ କରନ୍ତି ତେବେ ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/ସ-6.jpg)