ମେଣ୍ଢା ମାଂସ ଲେବେଲ୍‌ ଲଗା ଗୋମାଂସ ଖାଇବା ପରେ ଆତ୍ମଶୁଦ୍ଧି ଲାଗି ଭାରତ ଫେରିବାକୁ ସୁପର୍‌ମାର୍କେଟ୍‌ଠାରେ ଖର୍ଚ୍ଚ ଦାବି କରୁଛନ୍ତି ହିନ୍ଦୁ ବ୍ୟକ୍ତି

ବ୍ଲେନ୍‌ହିମ୍‌ ଟାଉନ୍‌: ସ୍ଥାନୀୟ ସୁପର୍‌ମାର୍କେଟ୍‌ର ଭୁଲ୍‌ ଯୋଗୁଁ ଗୋମାଂସ ଖାଇ ଦେଇଥିବା ନିଉଜ୍‌ଲାଣ୍ଡ୍‌ର ଜଣେ ହିନ୍ଦୁ ବ୍ୟକ୍ତି ଉକ୍ତ ଷ୍ଟୋର୍‌ ବିରୋଧରେ ଲଢୁଛନ୍ତି। ଦୁଇ ଦଶନ୍ଧି ତଳେ ନିଉଜ୍‌ଲାଣ୍ଡ୍‌କୁ ଉଠି ଯାଇଥିବା ଭାରତୀୟ ବ୍ୟକ୍ତି ଯଶବୀନ୍ଦରର୍‌ ପଲ୍‌ ସରଳିଆ ଅନୁରୋଧ କରିଛନ୍ତି। ତାହା ହେଉଛି, ଗୋମାଂସ ଭକ୍ଷଣ ଯୋଗୁଁ ନଷ୍ଟ ହୋଇଥିବା ଆତ୍ମାକୁ ‘ଶୁଦ୍ଧ’ କରିବାକୁ ଭାରତ ଯାତାୟାତ ନିମନ୍ତେ ବିମାନ ମାସୁଲ ସୁପର୍‌ମାର୍କେଟ ବହନ କରୁ।

ଯଶବୀନ୍ଦର କହନ୍ତି: ହିନ୍ଦୁବାଦ ଅନୁସାରେ, ଏବେ ସେ ଜନ୍ମଭୂମିକୁ ଫେରି ୪ରୁ ୬ ସପ୍ତାହ ପବିତ୍ର କାର୍ଯ୍ୟ କରି ପୁରୋହିତମାନଙ୍କ ଦ୍ୱାରା ଆତ୍ମଶୁଦ୍ଧି କରାଇବେ। ଏଇଟା ସମୟ ସାପେକ୍ଷ ପ୍ରକ୍ରିୟା।

ଗତ ସେପ୍ଟେମ୍ବର ମାସରୁ ପଲ୍‌ ସୁପରମାର୍କେଟ୍‌ ବିରୋଧରେ ଲଢ଼େଇ କରୁଛନ୍ତି। ସେଠାରୁ ସେ ଗୋଟିଏ ପ୍ୟାକେଟ୍‌ ଭଜା ମେଣ୍ଢାମାଂସ ଖରିଦ କରିଥିଲେ। ସେଲୁନ୍‌ ଖୋଲିଥିବା ପଲ୍‌ କହନ୍ତି ଏହାକୁ ରାନ୍ଧି ଖାଇବା ପରେ ସେ ଜାଣିଲେ ଏହା ମେଣ୍ଢା ମାଂସ ନୁହେଁ ଗୋମାଂସ। କିନ୍ତୁ ପ୍ୟାକେଟ୍‌ ଉପରେ ମେଣ୍ଢାମାଂସ ବୋଲି ଲେବେଲ୍‌ ଲଗାଯାଇଥିଲା।

ସେବେଠାରୁ ତା’ ପରିବାର ଲୋକେ ତାଙ୍କ ସହ କଥାବାର୍ତ୍ତା କରୁ ନାହାନ୍ତି।

ନିଜ ଧର୍ମପଥରେ ଚଳିବା ଲାଗି ତାଙ୍କୁ ଆତ୍ମଶୁଦ୍ଧି କରିବାକୁ ପଡ଼ିବ ବୋଲି ପଲ୍‌ ଅନୁଭବ କରୁଛନ୍ତି। ତେଣୁ ନିଉଜ୍‌ଲାଣ୍ଡ୍‌ର ବ୍ଲେନ୍‌ହିମ୍‌ ଟାଉନ୍‌ସ୍ଥିତ ସୁପର୍‌ମାର୍କେଟ କାଉଣ୍ଟ୍‌ଡାଉନ୍‌କୁ ଯାଇ ତାଙ୍କୁ ବିମାନ ଯାତ୍ରା ଖର୍ଚ୍ଚ ମାଗୁଛନ୍ତି।

ଭୁଲ୍‌ ପାଇଁ ସୁପର୍‌ମାର୍କେଟ କ୍ଷମା ମାଗିଥିଲେ ଓ ତାଙ୍କୁ ଗୋଟାଏ ଗିଫ୍‌ଟ୍‌ ଭାଉଚର୍‌ ଯାଚି ଥିଲେ ବୋଲି ସୁପରମାର୍କେଟ୍‌ର ଜଣେ ମୁଖପାତ୍ର କହିଛନ୍ତି।

କିନ୍ତୁ ପଲ୍‌ ତାହା ଅଗ୍ରାହ୍ୟ କରି ଭାରତ ଯାତାୟାତ ଲାଗି ବିମାନ ଭଡ଼ା ଦାବି କରିଥିଲେ। କିନ୍ତୁ, ସୁପର୍‌ମାର୍କେଟ୍‌ ତାହା କରି ନାହିଁ।
ଶେଷରେ ନିଜର ଅନିଚ୍ଛା ସତ୍ତ୍ୱେ ପଲ୍‌ ଏଥିପାଇଁ ଅଦାଲତକୁ ଯାଇଛନ୍ତି।

ସମ୍ବନ୍ଧିତ ଖବର