ଆଧିପତ୍ୟ ପାଇଁ ଇଚ୍ଛା ରଖନ୍ତିନି ହିନ୍ଦୁ

ସିକାଗୋରେ ବିଶ୍ୱ ହିନ୍ଦୁ ସଭା

ସିକାଗୋ: ସମାଜରେ ଆଧିପତ୍ୟ ହାସଲ ପାଇଁ ହିନ୍ଦୁମାନେ ଆଦୌ ଇଚ୍ଛା ରଖନ୍ତି ନାହିଁ। ସେମାନେ ବଂଚିବା ପାଇଁ ବି ବିରୋଧ କରିବାକୁ ପସନ୍ଦ କରନ୍ତି ନାହିଁ। ବିଶ୍ୱ ହିନ୍ଦୁ ପରିଷଦ ଏବଂ ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ ସିକାଗୋରେ ଆୟୋଜିତ ବିଶ୍ୱ ହିନ୍ଦୁ ସଭାରେ ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ଏଭଳି କହିଛନ୍ତି। ସେ କହିଛନ୍ତି, ସମଗ୍ର ବିଶ୍ୱକୁ ଗୋଟିଏ ଟିମ୍‌ରେ ପରିଣତ କରାଯିବା ଆବଶ୍ୟକ। ଏଥିପାଇଁ ସମସ୍ତଙ୍କୁ ଅହଂଭାବ ଉପରେ ନିୟନ୍ତ୍ରଣ ରଖିବା ଉଚିତ। ସେହିଭଳି ସାର୍ବଜନୀନ ଭାବେ ଯାହା ଗ୍ରହଣ କରାଯାଉଛି ସେଥିରେ ନିଜକୁ ସାମିଲ କରିବା ଦରକାର। ଏହାଦ୍ୱାରା ବିଶ୍ୱରେ ବିଭିନ୍ନତା ରହିବ ନାହିଁ। ହିନ୍ଦୁମାନଙ୍କୁ ଆହ୍ଵାନ ଦେଇ ସେ କହିଛନ୍ତି, ଯଦି ସିଂହ ଏକୁଟିଆ ପଡ଼ିଯାଏ, ବଣୁଆ କୁକୁରମାନେ ତା’ ଉପରେ ଆକ୍ରମଣ କରି ତାକୁ ମାରିଦିଅନ୍ତି। ଏହି ତତ୍ତ୍ୱକୁ ଭୁଲିବା ଅନୁଚିତ। ବିଶ୍ୱକୁ ସୁନ୍ଦର କରି ଗଢ଼ିତୋଳିବାକୁ ହେବ। ଆଧିପତ୍ୟ ପାଇଁ ଆମର କୌଣସି ଆକାଙ୍‌କ୍ଷା ନାହିଁ। କାହା ଉପରେ ବିଜୟ ଲାଭ କରିବା କିମ୍ବା କୌଣସି ଉପନିବେଶ ସୃଷ୍ଟି କରିବା ଆମର ଲକ୍ଷ୍ୟ ହେବା ଉଚିତ ନୁହେଁ। କିନ୍ତୁ ନିଜକୁ ରକ୍ଷା କରିବା କଳା ଶିଖିବାକୁ ପଡ଼ିବ ବୋଲି ଭାଗବତ କହିଛନ୍ତି। ତା’ଛଡ଼ା ହିନ୍ଦୁ ସମାଜ ଯଦି ଗୋଟିଏ ସମାଜ ଭାବେ କାର୍ଯ୍ୟ କରେ ତା’ହେଲେ ସମୃଦ୍ଧି ପାଇପାରିବ ବୋଲି ସେ ଦର୍ଶାଇଛନ୍ତି।

ଉଲ୍ଲେଖଯୋଗ୍ୟ, ୧୮୯୩ ମସିହାରେ ସିକାଗୋରେ ଅନୁଷ୍ଠିତ ବିଶ୍ୱ ସର୍ବଧର୍ମ ସଭାରେ ସ୍ୱାମୀ ବିବେକାନନ୍ଦ ନିଜ ବକ୍ତବ୍ୟରେ ବିଶ୍ୱବାସୀଙ୍କୁ ସ୍ତମ୍ଭୀଭୂତ କରିଦେଇଥିଲେ। ତାଙ୍କ ଭାଷଣର ୧୨୫ ବର୍ଷ ପୂର୍ତ୍ତି ପରିପ୍ରେକ୍ଷୀରେ ବିଶ୍ୱ ହିନ୍ଦୁ ସଭା ଆୟୋଜିତ ହୋଇଥିଲା। ଦୁଇବର୍ଷ ହେଲା ଏହି ସଭା ଆୟୋଜିତ ହେଉଛି।

ସମ୍ବନ୍ଧିତ ଖବର