ପ୍ରେମିକାକୁ ଲୁଚି ଲୁଚି ବିବାହ କରିବା ସହ ମୁସ୍‌ଲିମ୍‌ରୁ ହିନ୍ଦୁ ହେଲେ ପ୍ରେମିକ, ହେଲେ…

ରାୟପୁର: ୩୩ବର୍ଷିୟ ଯୁବକ ୨୩ବର୍ଷିୟ ନିଜ ପ୍ରେମିକାଙ୍କୁ ବିବାହ କରିବା ପାଇଁ ନିଜର ଧର୍ମ ପରିବର୍ତ୍ତନ କରିଥିଲେ । ମୁସ୍‌ଲିମ୍‌ରୁ ହିନ୍ଦୁ ହେବା ସହ ନିଜର ନାମ ଇବ୍ରାହିମ୍‌ ସିଦ୍ଦ୍‌କୀରୁ ଆର୍ୟ୍ୟନ ଆର୍ୟ୍ୟା କରିଥିଲେ । ଫେବ୍ରୁଆରି ମାସରେ ଦୁହେଁ ବିବାହ କରିଥିଲେ ମଧ୍ୟ ଘରେ ଜଣାଇ ନଥିଲେ ପ୍ରେମିକା । ଜୁନ୍‌ ମାସରେ ପ୍ରେମିକାଙ୍କ ଘରେ ଏକଥା ଜଣା ପଡ଼ିବା ପରେ ଏବେ ତାଙ୍କ ପରିବାର ଲୋକେ ଏହି ବିବାହକୁ ଅସ୍ୱୀକାର କରିବା ସହ ପ୍ରେମିକାଙ୍କୁ ବନ୍ଦୀ କରି ରଖିଥିବା ଜଣା ପଡ଼ିଛି ।
ଏ ଘଟଣା ପରେ ଆର୍ୟ୍ୟା ଏବେ ନ୍ୟାୟ ପାଇଁ ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତିି । ତାଙ୍କ ପ୍ରେମିକାଙ୍କୁ ପରିବାର ଲୋକେ ଏବଂ ହିନ୍ଦୁବାଦୀ ସଂଗଠନ ତାଙ୍କ ଇଚ୍ଛା ବିରୋଧରେ ମୋ ଠାରୁ ଅଲଗା କରିଥିବା ଅଭିଯୋଗ କରିଛନ୍ତି ଆର୍ୟ୍ୟା । ସୁପ୍ରିମ କୋର୍ଟକୁ ନ୍ୟାୟ ମାଗିବା ପାଇଁ କରିଥିବା ଆବେଦନ ପତ୍ରରେ କହିଛନ୍ତି, ମୁଁ ଯୁବତୀଙ୍କୁ ୫ବର୍ଷ ହେଲା ଜାଣିଥିଲି । ୩ବର୍ଷ ପୂର୍ବରୁ ଆମ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହେବା ପରେ ଦୁହେଁ ବିବାହ କରିବା ପାଇଁ ଭାବିଥିଲୁ । ବିବାହ କରିବାର ନିଷ୍ପତ୍ତି ନେବା ପରେ ଫେବ୍ରୁଆରି ୨୩ରେ ମୁଁ ନିଜର ଧର୍ମ ପରିବର୍ତ୍ତନ କରିଥିଲି । ଏହା ପରେ ଫେବ୍ରୁଆରି ୨୫ରେ ଦୁହେଁ ରାୟପୁରରେ ଥିବା ଆର୍ଯ୍ୟ ସମାଜ ମନ୍ଦିରରେ ହିନ୍ଦୁ ରୀତିନୀତିରେ ବିବାହ କରିଥିଲୁ । କିନ୍ତୁ ମୋ ପ୍ରେମିକା ନିଜ ଘରେ ଏ ନେଇ ଜଣାଇ ନଥିଲେ ।

Times of India

ସମୟ ଦେଖି କହିବେ ବୋଲି କହି ଘର ଲୋକଙ୍କୁ ଅନ୍ଧାରରେ ରଖିଥିଲେ ମୋ ପ୍ରେମିକା । ମାର୍ଚ୍ଚ ୨୨ରେ ବିବାହ ପଞ୍ଜିକରଣ ହେବା ସହ ଅପ୍ରେଲ ୧୭ରେ ରାୟପୁର ନଗର ନିଗମରୁ ବିବାହ ପ୍ରମାଣପତ୍ର ମଧ୍ୟ ମିଳିଗଲା । ଜୁନ୍‌ ମାସରେ ମୋ ପ୍ରେମିକାଙ୍କ ପରିବାର ଲୋକଙ୍କୁ ବିବାହ କଥା ଜଣା ପଡ଼ିବା ପରେ ମୋ ପ୍ରେମିକା ତାଙ୍କ ଘର ଛାଡ଼ି ମୋ ଘରକୁ ଲୁଚି ଚାଲି ଆସିଥିଲେ । କିନ୍ତୁ ତାଙ୍କ ବାପା ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ପୁଲିସକୁ ହାତ କରି ମିଥ୍ୟା ବୟାନ ଦେଇ ତାଙ୍କୁ ନାରୀ ନିକେତନ ନେଇ ଯାଇଥିଲେ । ସେ ନିଜ ବାପାଙ୍କ ସହ ରହିବାକୁ ଚାହୁଁଥିବା କହି ପୁଲିସ ତାଙ୍କୁ ମୋଠାରୁ ନେଇ ଯାଇଥିବା କହିଛନ୍ତି ଆର୍ୟ୍ୟା । ଏହା ସହ ପ୍ରମାଣ ପାଇଁ ସେ ତାଙ୍କ ପ୍ରେମିକାଙ୍କୁ ଡ଼କାଯାଇ ଏ ବିଷୟରେ ପଚରାଯାଉ ବୋଲି ଆବେଦନ ପତ୍ରରେ ଲେଖିଛନ୍ତି । ଆବେଦନ ପତ୍ର ପାଇବା ପରେ ମାମଲାର ସମାଧାନ ପାଇଁ ଅଦାଲତ ଅଗଷ୍ଟ ୨୭କୁ ଯୁବତୀଙ୍କୁ ଅଦାଲତକୁ ଆଣିବାକୁ ଆଦେଶ ଦେଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର