ମାନବିକତା ଆଗରେ ହାର ମାନିଲା ଜାତିଧର୍ମ: ହିନ୍ଦୁ-ମୁସଲିମ୍ ମହିଳା ପରସ୍ପରର ସ୍ବାମୀଙ୍କୁ କିଡନି ଦେଲେ

ମୁମ୍ବାଇ: ଧର୍ମ ନାଆଁରେ ସମାଜରେ ଘୃଣାଭାବ ସୃଷ୍ଟି କରିବା କେବେ ଚିରସ୍ଥାୟୀ ହୋଇ ରହିନପାରେ। ମାତ୍ର ମାନବିକତା ଯୁଗେ ଯୁଗେ ପ୍ରତିଟି ଘୃଣା, ବିଦ୍ବେଷ ଉପରେ ବିଜୟ ଜାହିର କରି ଆସିଛି। ମୁମ୍ବାଇ ସହର ସ୍ଥିତ ଏକ ଡାକ୍ତରଖାନାରେ ଅଜଣା ଅଚିହ୍ନା ହୋଇ ବି ଭିନ୍ନ ସମ୍ପ୍ରଦାୟର ଦୁଇ ଜଣ ମହିଳା ପରସ୍ପରର ସ୍ବାମୀଙ୍କ ପାଇଁ ନିଜର କିଡନି ଦାନ କରିବା ଘଟଣା ଏହାକୁ ପ୍ରମାଣିତ କରିବା ସହ ଚର୍ଚ୍ଚାର ବିଷୟ ହୋଇଛି। ସୂଚନାନୁଯାୟୀ, ବିହାରର ରାମସ୍ବାର୍ଥ ଯାଦବ(୫୩) ଏବଂ ଥାନେର ନଦିମ୍(୫୧) ନିଜର କିଡନି ଜନିତ ସମସ୍ୟାର ଉପଶମ ପାଇଁ ମୁମ୍ବାଇ ସ୍ଥିତ ସୈଫି ହସ୍ପିଟାଲକୁ ଆସିଥିଲେ। ସେମାନେ କେହି କାହାରିକୁ ଜାଣିନଥିବା ବେଳେ ଏକ ବିରଳ ଘଟଣାଚକ୍ର ସେମାନଙ୍କୁ ଅତି ନିବିଡ଼ କରିଦେଇଥିଲା। ଦୀର୍ଘ ଚାରିବର୍ଷ ଧରି ଡାଇଲିସିସ୍ କରି ଆସୁଥିବା ନଦିମଙ୍କର ବୃକକ୍ ପ୍ରତିରୋପଣ ନିହାତି ଜରୁରୀ ହୋଇପଡ଼ିଥିଲା। ରାମସ୍ବାର୍ଥଙ୍କର ମଧ୍ୟ ବୃକକ୍ ପ୍ରତିରୋପଣ ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ମାତ୍ର ନଦିମଙ୍କର ରକ୍ତ ସହ ସାଙ୍ଗରେ ଆସିଥିବା ପତ୍ନୀ ନଜରିନ୍ ପଟେଲ(୫୧)ଙ୍କର ମେଳ ହୋଇନଥିଲା। ସେହିପରି ରାମସ୍ବାର୍ଥଙ୍କ କ୍ଷେତ୍ରରେ ମଧ୍ୟ ପତ୍ନୀ ସତ୍ୟଦେବୀ(୪୫)ଙ୍କର ରକ୍ତ ଖାପ ଖାଇନଥିଲା। ତେଣୁ ସେମାନଙ୍କ ବୃକକ୍ ସ୍ବାମୀଙ୍କ କାମରେ ଲାଗିପାରିବନି ବୋଲି ଦୁହେଁ ନିରାଶ ହୋଇପଡ଼ିଥିଲେ। ତଥାପି ସେମାନେ ନିଜ ନିଜର ଆତ୍ମୀୟସ୍ବଜନଙ୍କ ସମେତ ଅନ୍ୟ ଅନ୍ତରଙ୍ଗ ବନ୍ଧୁବାନ୍ଧବଙ୍କୁ ଏଥିପାଇଁ ନିବେଦନ କରିଥିଲେ। ମାତ୍ର ବହୁ ଚେଷ୍ଟା କରି ବିଫଳ ହୋଇଥିଲେ। ତେବେ ସଂଯୋଗବଶତଃ ନଦିମଙ୍କ ରକ୍ତ ସହ ସତ୍ୟଦେବୀଙ୍କର ଏବଂ ରାମସ୍ବାର୍ଥଙ୍କ ରକ୍ତ ସହ ନଜରିନଙ୍କର ମେଳ ଖାଉଥିବା ଡାକ୍ତର ଜଣାଇଥିଲେ। ପରେ ସେମାନଙ୍କୁ ପରାମର୍ଶ କରିବାରୁ ନଜରିନ୍ ଓ ସତ୍ୟଦେବୀ କିଛି ଆଗପଛ ନ ବିଚାରି ପରସ୍ପରର ସ୍ବାମୀଙ୍କୁ ବୃକକ୍ ଦେବା ପାଇଁ ରାଜି ହୋଇଥିଲେ। ଗତ ୧୪ ତାରିଖରେ ରାମସ୍ବାର୍ଥ ଏବଂ ନଦିମଙ୍କ ଠାରେ ସଫଳତାର ସହ ବୃକକ୍ ପରିରୋପଣ ହୋଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର