ନୂଆଦିଲ୍ଲୀ: ଜେଏନୟୁ ହିଂସାକାଣ୍ଡ ପାଇଁ ନିଜକୁ ଦାୟୀ କରିଛି ହିନ୍ଦୁ ରକ୍ଷା ଦଳ । ହିନ୍ଦୁ ରକ୍ଷା ଦଳ ସଭାପତି ପିଙ୍କୁ ଚୌଧୁରୀ ଏହା ସ୍ୱୀକାର କରିଛନ୍ତି । ସେ କହିଛନ୍ତି, ଦେଶ ବିରୋଧୀଙ୍କ ଆଡ୍ଡାସ୍ଥଳରେ ଜେଏନୟୁ ପରିସର ପରିଣତ ହୋଇଥିଲା। ତାଙ୍କ ସଂଗଠନ ଏହାକୁ କୌଣସି କ୍ରମେ ସହ୍ୟ କରିବ ନାହିଁ। ତେଣୁ ହିନ୍ଦୁ ରକ୍ଷା ଦଳର ସଦସ୍ୟମାନେ ଏହି କାଣ୍ଡ କରିଛନ୍ତି। ଯଦିଓ ପୁଲିସ ଚୌଧୁରୀଙ୍କ ବୟାନ ନେଇ ଅବଗତ ଅଛି, କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ।
ସେପଟେ ଜବାହାରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ଛାତ୍ରସଂଘର ସଭାପତି ଐଶୀ ଘୋଷଙ୍କ ସମେତ ୧୯ଜଣ ଛାତ୍ରଙ୍କ ବିରୋଧରେ ଦିଲ୍ଲୀ ପୁଲିସ ଏତଲା ରୁଜୁ କରିଛି। ଜେଏନୟୁ ପ୍ରଶାସନ ଜାନୁଆରି ୪ ତାରିଖରେ ବିଶ୍ୱବିଦ୍ୟାଳୟ ସର୍ଭର ରୁମ୍ରେ ହୋଇଥିବା ଭଙ୍ଗାରୁଜା ଓ ସୁରକ୍ଷାକର୍ମୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ଏହି ଛାତ୍ରଙ୍କ ବିରୋଧରେ ଜାନୁଆରି ୫ ତାରିଖରେ ଅଭିଯୋଗ କରିଥିଲେ। ପୁଲିସ ୧୯ଜଣ ଛାତ୍ରଙ୍କ ବିରୋଧରେ ଆଜି ଏକ ମାମଲା ରୁଜୁ କରିଛି। ଆଇପିସି ଧାରା ୩୨୩, ୩୪୧ ଏବଂ ୫୦୬ ଆଧାରରେ ଏହି ମାମଲା ରୁଜୁ ହୋଇଛି। ଏଥିସହିତ ଜେଏନୟୁ ପ୍ରଶାସନ ଜାନୁଆରି ୩ ତାରିଖରେ ଘଟିଥିବା ଘଟଣାକୁ ନେଇ ମଧ୍ୟ ଅନ୍ୟ ଏକ ଅଭିଯୋଗ କରିଛନ୍ତି, ଯେଉଁଥିରେ ଐଶୀ ଘୋଷଙ୍କ ନାମ ନ ଥିବା ଜଣାପଡ଼ିଛି। ତେବେ ଏ ଯାବତ୍ ଏହି ଏତଲା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।
ଜେଏନୟୁ ହିଂସାକାଣ୍ଡ ଘଟଣାରେ ସାମ୍ନାକୁ ଆସୁଛି ନୂଆ ତଥ୍ୟ । ଜେଏନ୍ୟୁ ହିଂସାକାଣ୍ଡରେ ମୁଖାପିନ୍ଧା ଦୁର୍ବୃତ୍ତମାନେ ପରସ୍ପର ମଧ୍ୟରେ ସାଙ୍କେତିକ ଭାଷା ବା କୋଡ୍ ୱାର୍ଡରେ କଥାବାର୍ତ୍ତା ହୋଇ ହିଂସା ସୃଷ୍ଟି କରିଥିବା ଭଳି କିଛି ତଥ୍ୟ ସାମ୍ନାକୁ ଆସିଛି। ତଦନ୍ତ ସମୟରେ ଦିଲ୍ଲୀ ପୁଲିସର ଏହି ତଥ୍ୟ ହସ୍ତଗତ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/bc575d10-3116-11ea-866e-f0adb255fbdd.jpg)