ବନ୍ୟା ଦୁର୍ଗତଙ୍କୁ ଖାଦ୍ୟ ଓ ଆଶ୍ରୟସ୍ଥଳ ଯୋଗାଉଛି ପାକିସ୍ତାନର ଛୋଟ ଗାଆଁରେ ଥିବା ହିନ୍ଦୁ ମନ୍ଦିର

କରାଚୀ: ପ୍ରଳୟଙ୍କରୀ ବନ୍ୟାରେ ପାକିସ୍ତାନର ଅଧିକାଂଶ ପ୍ରାନ୍ତ ଉବୁଟୁବୁ ହେଉଥିବା ବେଳେ ବାଲୋଚିସ୍ତାନ୍‌ ପ୍ରଦେଶର ଗୋଟାଏ ଛୋଟିଆ ଗାଁରେ ଥିବା ହିନ୍ଦୁ ମନ୍ଦିରଟିଏ ବନ୍ୟା ପ୍ରପୀଡ଼ିତଙ୍କୁ ଭୋଜନ ଓ ଆଶ୍ରୟସ୍ଥଳ ଯୋଗାଇ ଥିବା ଜଣାପଡ଼ିଛି। ମନ୍ଦିର ସହାୟତା କରିଥିବା ୨୦୦/୩୦୦ ଲୋକଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ମୁସଲ୍‌ମାନ ସମ୍ପ୍ରଦାୟର।

ସୂଚନାଯୋଗ୍ୟ, ବାଲୋଚିସ୍ତାନର କାଚ୍ଛି ଜିଲ୍ଲା ଅନ୍ତର୍ଗତ ଜଲାଲ୍‌ ଖାଁ ଗ୍ରାମର ବାବା ମାଧୋଦାସ ମନ୍ଦିର ଉଚ୍ଚଭୂମି ଉପରେ ଅବସ୍ଥିତ ହୋଇଥିବାରୁ ସେଠାକୁ ବନ୍ୟାଜଳ ଯାଇପାରେ ନାହିଁ। ତେଣୁ, ବନ୍ୟା ଦର୍ଗତ ଜନସାଧାରଣଙ୍କୁ ମନ୍ଦିର ତରଫରୁ ସହାୟତା ଯୋଗାଇ ଦିଆଯାଏ।

ନାରୀ, ବୋଲାନ୍‌ ଏବଂ ଲେହରି ନଦୀ ବଢ଼ିବା ଯୋଗୁଁ ଉକ୍ତ ଗାଁ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳଠାରୁ ବିଚ୍ଛିନ୍ନ ହୋଇଯାଏ। ତେଣୁ, ପାଣି ଘେରରେ ଥିବା ସେ ଅଞ୍ଚଳର ଜନସାଧାରଣ ଓ ସେମାନଙ୍କ ପଶୁସମ୍ପଦକୁ ଆଶ୍ରୟ ଦେବା ପାଇଁ ସ୍ଥାନୀୟ ହିନ୍ଦୁ ସମ୍ପ୍ରଦାୟ ବାବା ମାଧୋଦାସ ମନ୍ଦିର ଦ୍ବାର ଖୋଲନ୍ତି ବୋଲି ସମ୍ବାଦପତ୍ର ‘ଡନ୍‌’ ରିପୋର୍ଟ କରିଛି।

ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, ଦେଶ ବିଭାଜନ ପୂର୍ବର ହିନ୍ଦୁ ସନ୍ଥ ବାବା ମାଧୋଦାସଙ୍କ ପ୍ରତି ସେ ଅଞ୍ଚଳର ହିନ୍ଦୁ ଓ ମୁସଲମାନମାନଙ୍କର ଅଗାଧ ସମ୍ମାନ ଥିଲା। ଇଲ୍‌ତ୍‌ଫାର୍‌ ବୁଜ୍‌ଦାର ନାମରେ ଜଣେ ବାସିନ୍ଦା କହିନ୍ତି, ସେ ଓଟଚିଢ଼ି ଯାତାୟାତ କରୁଥିବା ବାବା ଭାଗ ନାରୀ ତହସିଲ୍‌ରୁ ସବୁବେଳେ ଏହି ଗାଁକୁ ଆସୁଥିଲେ।

Image Courtesy of Jammu Links News

ସମଗ୍ର ବାଲୋଚିସ୍ତାନରୁ ଏହି ମନ୍ଦିରକୁ ହିନ୍ଦୁ ସମ୍ପ୍ରଦାୟର ଲୋକମାନେ ସବୁ ବେଳେ ଆସନ୍ତି। ତେଣୁ, ମନ୍ଦିର ପରିସରସ୍ଥ ବ୍ୟାପକ ଅଞ୍ଚଳକୁ କଂକ୍ରିଟ୍‌ କରାଯାଇଛି। ତୀର୍ଥଯାତ୍ରୀଙ୍କ ରହଣି ପାଇଁ ମନ୍ଦିର ପରିଧିରେ ଶତାଧିକ କୋଠରି ରହିଛି।

ଉଚ୍ଚସ୍ଥାନରେ ଥିବାରୁ ଏଠାକୁ ବନ୍ୟାଜଳ ପ୍ରବେଶ କରିପାରେ ନାହିଁ। ତଥାପି କେତେକ କୋଠାରି ବନ୍ୟା ଯୋଗୁଁ ନଷ୍ଟ ହୋଇଯାଇଥିବା କଥା ଆଉ ଜଣେ ସ୍ଥାନୀୟ ବ୍ୟକ୍ତି କହିଛନ୍ତି।

ବନ୍ୟା ଆସିବାରୁ ମନ୍ଦିରରେ ଆଶ୍ରୟ ନେବା ପାଇଁ ସ୍ଥାନୀୟ ହିନ୍ଦୁମାନେ ମାଇକ୍‌ ଯୋଗେ ମୁସଲମାନ୍‌ ସମ୍ପ୍ରଦାୟଙ୍କୁ ଡାକିଥିଲେ। ମୁସଲମାନଙ୍କ ଛଡ଼ା, ହିନ୍ଦୁମାନଙ୍କର ଛେଳି ମେଣ୍ଢା ଓ ଅନ୍ୟାନ୍ୟ ଜୀବଜନ୍ତୁ ମଧ୍ୟ ମନ୍ଦିରରେ ଆଶ୍ରୟ ନେଇଛନ୍ତି। ଜଲାଲ୍‌ ଖାଁ ନାମରେ ଜଣେ ଡାକ୍ତର ମଧ୍ୟ ମନ୍ଦିରରେ ମେଡିକାଲ୍‌ କ୍ୟାମ୍ପ୍‌ ପକାଇଛନ୍ତି।

ସମ୍ବନ୍ଧିତ ଖବର