ଢାକା: ବାଂଲାଦେଶର ମଧ୍ୟ ତଙ୍ଗାଇଲ ଜିଲ୍ଲାରେ ୨ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଯିବାରୁ ହିଂସା ପରିସ୍ଥିତି ଉପୁଜିଛି। ଗୋଷ୍ଠୀ ବିବାଦ ଭୟଙ୍କର ହିଂସାରେ ପରିଣତ ହେବା ପରେ ଏକ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରାଯାଇଛି। ବାଂଲାଦେଶୀ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଜିଲ୍ଲାର ବତ୍ରା ଗାଁରେ ୮ରୁ ୯ ଜଣ ଲୋକ ମନ୍ଦିରର ମାଲିକଙ୍କ ପରିବାର ଉପରେ ଆକ୍ରମଣ କରିଛନ୍ତି।
ରିପୋର୍ଟ ଅନୁସାରେ ଚିତ୍ତା ରଂଜନ ଜମି କିଣି ପାଖାପାଖି ୨୦ ବର୍ଷ ପୂର୍ବରୁ ଏଥିରେ ଶିବ ମନ୍ଦିର ନିର୍ମାଣ କରିଥିଲେ। ସେହି ଗାଁର ଜଣେ ସ୍ଥାନୀୟ ନିବାସୀଙ୍କ ନେତୃତ୍ୱରେ ଅସାମାଜିକ ତତ୍ତ୍ୱର ଏକ ଗୋଷ୍ଠୀ ରଂଜନଙ୍କ ଘର ଓ ମନ୍ଦିର ଭଙ୍ଗା ରୁଜା କରିଛନ୍ତି। ସେମାନେ ନିର୍ମାଣ ହୋଇଥିବା ମନ୍ଦିର ଜମିକୁ ଅକ୍ତିଆର କରିବାକୁ ଉଦ୍ୟମ କରିଛନ୍ତି।
ରଂଜନ କହିଛନ୍ତି, ଲୋକ ୨୦ରୁ ଅଧିକ ବର୍ଷରୁ ମନ୍ଦିରରେ ପୂଜାର୍ଚ୍ଚନା କରୁଛନ୍ତି। ସେ କହିଛନ୍ତି, ଅଭିଯୁକ୍ତ ପୂର୍ବରୁ ମଧ୍ୟ ଅନେକ ଥର ଜବରଦସ୍ତି ଜମି ଜବରଦଖଲ କରିବାକୁ ଉଦ୍ୟମ କରିଛନ୍ତି। ଏସଂପର୍କରେ ନାଗରପୁର ପୁଲିସ ଥାନା ପ୍ରଭାରି ଆଲମ ଚନ୍ଦ୍ର କହିଛନ୍ତି, ପୁଲିସ ଘଟଣାସ୍ଥଳକୁ ଯାଇଛି। ମାମଲାରେ କାହାରିକୁ ଗିରଫ କରାଯାଇ ନାହିଁ।