ପାକିସ୍ତାନରେ ହିନ୍ଦୁ ମହିଳା, ନାବାଳିକାଙ୍କୁ ଅପହରଣ

ବଳପୂର୍ବକ ଧର୍ମ ପରିବର୍ତ୍ତନ କରି ମୁସଲିମ ବ୍ୟକ୍ତିଙ୍କ ସହ ବିବାହ କରାଇଲେ

ଇସଲାମାବାଦ : ପାକିସ୍ତାନ‌ରେ ସଂଖ୍ୟାଲଘୁ ସମ୍ପ୍ରଦାୟ ବିରୋଧରେ ଅତ୍ୟାଚାର ବଢ଼ୁଛି। ହିନ୍ଦୁ ମହିଳାଙ୍କ ବିରୋଧରେ ପୁଣି ଏକ ଅତ୍ୟାଚାର ଖବର ଆସିଛି। ପାକିସ୍ତାନର ସିନ୍ଧ ପ୍ରଦେଶରେ ଜଣେ ମହିଳା ଏବଂ ୨ ଜଣ ନାବାଳିକାଙ୍କୁ ଅପହରଣ କରାଯାଇଛି ଏବଂ ବଳପୂର୍ବକ ସେମାନଙ୍କ ଧର୍ମ ପରିବର୍ତ୍ତନ କରି ସେମାନଙ୍କୁ ମୁସଲିମ ବ୍ୟକ୍ତିଙ୍କ ସହ ବିବାହ କରାଯାଇଛି। ମିରପୁରଖାସ ସହରର ନାସରପୁର ଅଞ୍ଚଳରେ ୧୪ ଓ ୧୫ ବର୍ଷ ବୟସର ଦୁଇ ନାବାଳିକା ବଜାରରୁ ଘରକୁ ଫେରୁଥିବା ବେଳେ ସେମାନଙ୍କୁ ଅପହରଣ କରାଯାଇଥିଲା।

ଅନ୍ୟ ଏକ ଘଟଣାରେ ଜଣେ ବିବାହିତ ହିନ୍ଦୁ ମହିଳା ତଥା ୩ଟି ସନ୍ତାନଙ୍କ ମା’ ମିରପୁରଖାସରୁ ନିଖୋଜ ହୋଇଯାଇଥିଲେ। ପରେ ଜାଣିବାକୁ ମିଳିଲା ଯେ ତାଙ୍କର ବଳପୂର୍ବକ ଧର୍ମ ପରିବର୍ତ୍ତନ କରି ତାଙ୍କୁ ଜଣେ ମୁସଲିମ ବ୍ୟକ୍ତିଙ୍କ ସହ ବାହା କରିଦିଆଯାଇଛି। ପୁଲିସ ଏହି ମାମଲାର ତଦନ୍ତ କରୁଛି। ଉଲ୍ଲେଖଯୋଗ୍ୟ, ପାକିସ୍ତାନର ସିନ୍ଧ ପ୍ରଦେଶରେ ହିନ୍ଦୁ ମହିଳା ଏବଂ ନାବାଳିକାଙ୍କୁ ଅପହରଣ ଏବଂ ବଳପୂର୍ବକ ଧର୍ମ ପରିବର୍ତ୍ତନ କରି ବିବାହ କରାଯିବା ଘଟଣା ଗମ୍ଭୀର ରୂପ ନେଇଛି। ପୂର୍ବରୁ ଗତ ଜୁନ୍‌ରେ ଜଣେ ହିନ୍ଦୁ ନାବାଳିକା କରିନା କୁମାରୀଙ୍କର ମଧ୍ୟ ବଳପୂର୍ବକ ଧର୍ମ ପରିବର୍ତ୍ତନ କରାଯାଇଥିଲା ଏବଂ ତାଙ୍କୁ ଜଣେ ମୁସଲିମ ଯୁବକଙ୍କୁ ବିବାହ କରିବାପାଇଁ ବାଧ୍ୟ କରାଯାଇଥିଲା। ମାର୍ଚ୍ଚ ମାସରେ ମଧ୍ୟ ୩ ଜଣ ହିନ୍ଦୁ ନାବାଳିକାଙ୍କୁ ଅପହରଣ କରିବାପରେ ସେମାନଙ୍କର ବଳପୂର୍ବକ ଧର୍ମ ପରିବର୍ତ୍ତନ କରି ମୁସଲିମ ବ୍ୟକ୍ତିଙ୍କ ସହ ବିବାହ କରାଯାଇଥିଲା।

ସମ୍ବନ୍ଧିତ ଖବର