ମୁସ୍‌ଲିମଙ୍କୁ ଗ୍ରହଣ ନକଲେ ‘ହିନ୍ଦୁତ୍ୱ’ ରହିବ ନାହିଁ

ସମ୍ବିଧାନ ଦେଖାଇଥିବା ରାସ୍ତାରେ ଚାଲିଛି ଆରଏସ୍‌ଏସ୍‌:ଅଡ଼ୁଆରେ ବିଜେପି!

ନୂଆଦିଲ୍ଲୀ: ‘ହିନ୍ଦୁତ୍ୱ’ର ଅର୍ଥ ସମସ୍ତଙ୍କର କଲ୍ୟାଣ ଏବଂ ମୁସ୍‌୍‌ଲମାନଙ୍କୁ ଗ୍ରହଣ କରିବା ଏହାର ଏକ ଅଂଶ। ହିନ୍ଦୁରାଷ୍ଟ୍ରର ଅର୍ଥ ଏହା ନୁହେଁ ଯେ ଏଥିରେ ମୁସ୍‌୍‌ଲିମ୍‌ଙ୍କ ପାଇଁ ସ୍ଥାନ ରହିବ ନାହିଁ। ଯଦି ଆମେ ମୁସ୍‌୍‌ଲିମଙ୍କୁ ଗ୍ରହଣ ନକରିବା ତାହେଲେ ହିନ୍ଦୁତ୍ୱ ରହିବ ନାହିଁ ବୋଲି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ କହିଛନ୍ତି। ଦିଲ୍ଲୀରେ ଆୟୋଜିତ ସଂଘର ‘ଭବିଷ୍ୟତର ଭାରତ’ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ଭାଗବତ କହିଛନ୍ତି ଯେ ସଂଘ ସମ୍ବିଧାନ ଦେଖାଇଥିବା ରାସ୍ତାରେ ହିଁ ଚାଲିଛି ଏବଂ କେବେ ବି ସମ୍ବିଧାନର ଉଲ୍ଲଂଘନ କରିନାହିଁ। ସମସ୍ତ ଭାରତୀୟ ଶାନ୍ତି ଓ କଲ୍ୟାଣର ମାର୍ଗରେ ପରିଚାଳିତ ହେବା ହିଁ ହିନ୍ଦୁତ୍ୱର ପରିଭାଷା ବୋଲି ସେ କହିଛନ୍ତି। ସମ୍ବିଧାନକୁ କେବେ ଅସମ୍ମାନ କଲାଭଳି କୌଣସି କାର୍ଯ୍ୟ କେବେ ଆର୍‌ଏସ୍‌ଏସ୍‌ କରିଥିବା କେହି ଉଦାହରଣ ଦେଇପାରିବେ ନାହିଁ ବୋଲି ସେ କହିଛନ୍ତି। ସଂଘ ରାଷ୍ଟ୍ର ପାଇଁ ବ୍ୟକ୍ତି ନିର୍ମାଣ କରୁଛି ଏବଂ ଏହା ସରକାରଙ୍କ କାର୍ଯ୍ୟରେ ଆଦୌ ହସ୍ତକ୍ଷେପ କରୁନାହିଁ। ଏ ନେଇ କେତେକ ମହଲ କରୁଥିବା ଆଲୋଚନା ଭିତ୍ତିହୀନ ଏବଂ କଳ୍ପନା ଆଧାରିତ ବୋଲି ଭାଗବତ କହିଛନ୍ତି। ନାଗପୁରରୁ କେବେ କୌଣସି ନିର୍ଦ୍ଦେଶ କିମ୍ବା ଫୋନ୍‌ ସରକାରଙ୍କୁ ଯାଇନାହିଁ ବୋଲି ଭାଗବତ ସ୍ପଷ୍ଟ କରିଛନ୍ତି। କେନ୍ଦ୍ର ସରକାରରେ କାମ କରୁଥିବା ଅନେକ ବ୍ୟକ୍ତି ନିଜେ ସ୍ୱୟଂସେବକ ରହିଛନ୍ତି। ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ମଧ୍ୟ ସ୍ୱୟଂସେବକ ରହିଥିବାରୁ ସଂଘ ସେମାନଙ୍କୁ କୌଣସି ପରାମର୍ଶ ଦେବାର ଆବଶ୍ୟକ ନାହିଁ ବୋଲି ଭାଗବତ କହିଛନ୍ତି।
ଆର୍‌ଏସ୍‌ଏସ ଦ୍ୱାରା ଦିଲ୍ଲୀରେ ଆୟୋଜିତ ୩ ଦିନିଆ ସମ୍ମିଳନୀର ପ୍ରଥମ ଦିବସରେ ମୋହନ ଭାଗବତ ଦେଶର ସ୍ୱାଧୀନତା ସଂଗ୍ରାମରେ କଂଗ୍ରେସର ଭୂମିକାକୁ ପ୍ରଶଂସା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟରେ ପକାଇଦେଇଛନ୍ତି। ଦେଶକୁ କଂଗ୍ରେସ ମୁକ୍ତ ପାଇଁ ଅଭିଯାନ ଚଳାଇଥିବା ବିଜେପିକୁ ଏହା ଅଡ଼ୁଆରେ ପକାଇଦେଇଛି। ଏହା ପୂର୍ବରୁ ମଧ୍ୟ ଭାଗବତ ଅନେକବାର ବିଜେପି ପାଇଁ ଅଡ଼ୁଆ ସୃଷ୍ଟି କରିଥିବା କୁହାଯାଉଛି। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ନେତାମାନେ ଦଳିତଙ୍କ ଘରେ ଯାଇ ଭୋଜନ କରିବା କାର୍ଯ୍ୟକ୍ରମକୁ ଭାଗବତ କଡ଼ା ସମାଲୋଚନା କରିଥିଲେ ଏବଂ ଏହାକୁ ‘ନାଟକ’ ବୋଲି କହିଥିଲେ। ଗତବର୍ଷ ଏପ୍ରିଲରେ ପୁନେରେ ଏକ ପୁସ୍ତକ ଉନ୍ମୋଚନ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘କଂଗ୍ରେସ ମୁକ୍ତ ଭାରତ’ ସ୍ଲୋଗାନକୁ ଭାଗବତ ସମାଲୋଚନା କରି ଏହା କେବଳ ଏକ ରାଜନୈତିକ ସ୍ଲୋଗାନ ବୋଲି କହିଥିଲେ। ସଂଘର ଶବ୍ଦକୋଷରେ କଂଗ୍ରେସ ମୁକ୍ତ ବୋଲି କିଛି ନଥିବା ସେ କହିଥିଲେ। ୨୦୧୫ରେ ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଦେଶରେ ସଂରକ୍ଷଣ ବ୍ୟବସ୍ଥାର ପୁନଃ ସମୀକ୍ଷା କରାଯିବା ଆବଶ୍ୟକ କହି ବିଜେପିକୁ ଅଡ଼ୁଆରେ ପକାଇଥିଲେ। ୨୦୧୪ ନିର୍ବାଚନରେ ବିଜେପିର ବିଶାଳ ବିଜୟ ପାଇଁ କେବଳ ଜଣେ ବ୍ୟକ୍ତି (ନରେନ୍ଦ୍ର ମୋଦୀ)ଙ୍କୁ ଶ୍ରେୟ ଦିଆଯାଇପାରିବ ନାହିଁ ବୋଲି ସେ କହିଥିଲେ । ସେ କହିଥିଲେ ଯେ ଦେଶବାସୀ ପରିବର୍ତନ ଚାହିଁବାରୁ ଏହା ସମ୍ଭବ ହେଲା।

ସମ୍ବନ୍ଧିତ ଖବର