ଢାକା: ବାଂଲାଦେଶରେ ହିନ୍ଦୁ ବିରୋଧୀ ହିଂସା ଥମୁନଥିବା ବେଳେ ଆଜି ଆଉ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି।  ରାଜଧାନୀ ଢାକାରେ ଜଣେ ହିନ୍ଦୁ ବ୍ୟବସାୟୀ ଲାଲ ଚାନ୍ଦ ସୋହାଗଙ୍କୁ ଇସ୍‌ଲାମିକ କଠୋରପନ୍ଥୀମାନେ ପିଟିପିଟି ହତ୍ୟା କରିଛନ୍ତି।  ହତ୍ୟା ପରେ ଆକ୍ରମଣକାରୀମାନେ ଶବ ଉପରେ ନାଚିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଏଭଳି ଘଟଣା ପଡ଼ୋଶୀ ଦେଶରେ  ହିନ୍ଦୁମାନଙ୍କ ସୁରକ୍ଷା ଉପରେ ବଡ଼ ପ୍ରଶ୍ନଚିହ୍ନ ଲଗାଇ ଦେଇଛି।

Advertisment

ଲାଲ ଚାନ୍ଦ ଜଣେ ସ୍କ୍ରାପ୍ ବ୍ୟବସାୟୀ ଏବଂ ତାଙ୍କର ସଫଳତାକୁ ଘୃଣା କରୁଥିବା କଠୋରପନ୍ଥୀମାନେ ଅଚାନକ ତାଙ୍କୁ ଘେରିଯାଇ ସର୍ବସମ୍ମୁଖରେ ପିଟିପିଟି ମାରିଦେଇଥିଲେ।  ଏହାର ପ୍ରତିବାଦରେ ଶନିବାର ଶତାଧିକ ଛାତ୍ରଛାତ୍ରୀ  ଆନ୍ଦୋଳନକୁ ଓହ୍ଲାଇ ଅନ୍ତରୀଣ ସରକାର ଭିଡ଼ ହିଂସା ରୋକିବାରେ ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି। ସ୍କ୍ରାପ୍ ଡିଲର ଲାଲ ଚାନ୍ଦଙ୍କୁ ହତ୍ୟା ଘଟଣାରେ ପୁଲିସ ୫ ଜଣଙ୍କୁ ଗିରଫ କରିଛି।

ଲାଲ ଚାନ୍ଦଙ୍କ ନୃଶଂସ ହତ୍ୟାକାଣ୍ଡର ଭିଡିଓ ଭାଇରାଲ ହେବା ପରେ ଶନିବାର ବିଭିନ୍ନ ବିଶ୍ବବିଦ୍ୟାଳୟ ଓ କଲେଜ ଛାତ୍ରଛାତ୍ରୀମାନେ ରାସ୍ତାକୁ ଓହ୍ଲାଇଥିଲେ ଏବଂ ଏହାପରେ ହିଁ ପୁଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନ୍‌ପି) ଯୁବ ମୋର୍ଚ୍ଚାର କିଛି କର୍ମକର୍ତ୍ତା ମଧ୍ୟ ଏହି ଭିଡ଼ ହିଂସାରେ ସାମିଲ ଥିବା ଜଣାପଡ଼ିଛି।