ହିନ୍ଦୁମାନେ ଦୁଷ୍କର୍ମ କରନ୍ତି ନାହିଁ : ନିଜକୁ ନିର୍ଦ୍ଦୋଷ କହିଲେ ବିଲକିସ ମାମଲାର ଦୋଷୀ

ଦାହୋଦ (ଗୁଜୁରାଟ) : ଜେଲରୁ ମୁକ୍ତ ହୋଇଥିବା ବିଲକିସ୍ ବାନୋଙ୍କ ୧୧ ଜଣ ଗଣଦୁଷ୍କର୍ମକାରୀଙ୍କୁ ସମୟ ପୂର୍ବରୁ ମୁକ୍ତ କରାଯିବାକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଥିବାବେଳେ ସେମାନେ ନିଜ ଗାଁକୁ ଫେରିଛନ୍ତି ।

ତେବେ ସେମାନେ ନିଜକୁ ନିର୍ଦୋଷ ବୋଲି କହିଛନ୍ତି । ଏହି ୧୧ ଜଣ ଦୋଷୀଙ୍କ ମଧ୍ୟରୁ ଅନ୍ୟତମ ଗୋବିନ୍ଦ ନାଇ କହିଛନ୍ତି ଯେ ସେ ନିର୍ଦ୍ଦୋଷ । ସେ ପ୍ରଶ୍ନ କରିଛନ୍ତି ଯେ, କଣ କକା ପୁତୁରା ପରସ୍ପର ସାମନାରେ ଦୁଷ୍କର୍ମ କରନ୍ତି ? ହିନ୍ଦୁ ସମାଜରେ ଏପରି ହୁଏ ନାହିଁ ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଗୋବିନ୍ଦ ନାଇ ଏବଂ ଅନ୍ୟମାନେ ପାରୋଲରେ ବାହାରକୁ ଆସିବା ସମୟରେ ସାକ୍ଷୀମାନଙ୍କୁ ଧମକ ଦେଇଥିଲେ। ତଥାପି ସେମାନଙ୍କୁ “ଭଲ ଆଚରଣ” ପାଇଁ ମୁକ୍ତ କରାଯାଇଥିଲା | ଏହି ସ୍ବାଧୀନତା ଦିବସରେ ସମ୍ପୂର୍ଣ୍ଣ ମୁକ୍ତ ହେବା ପୂର୍ବରୁ ସେମାନେ ପ୍ରାୟ ତିନି ବର୍ଷ ଏହିପରି ପାରୋଲରେ ବିତାଇଥିଲେ ।

ଜୁଲାଇ ୨୦୧୭ରେ ତାଙ୍କ ବିରୋଧରେ ସାକ୍ଷ୍ୟ ଦେଇଥିବା ଦୁଇ ଜଣଙ୍କୁ ଗୋବିନ୍ଦ ନାଇ ପାରୋଲରେ ଆସି ଧମକ ଦେଇଥିଲେ ବୋଲି ଅଭିଯୋଗ ହୋଇଛି ।

ଏହି ଗଣଦୁଷ୍କର୍ମ ତଥା ବିଲକିସ୍ ବାନୋଙ୍କ ପରିବାରର ୭ଜଣ ସଦସ୍ୟଙ୍କ ହତ୍ୟା ମାମଲାରେ ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ ଦ୍ୱାରା ଦୋଷୀମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ସେମାନେ ୧୪ ବର୍ଷ ଜେଲରେ ରହିବା ପରେ ଚଳିତ ବର୍ଷ ସେମାନଙ୍କୁ ମୁକ୍ତ କରାଯାଇଥିଲା ।

ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ସିପିଏମ୍ ପଲିଟବୁରୋ ସଦସ୍ୟ ସୁଭାଷିନୀ ଅଲି, ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମିତ୍ର ଏବଂ ଅନ୍ୟ ଜଣେ ଦୋଷୀମାନଙ୍କ ମୁକ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

ସମ୍ବନ୍ଧିତ ଖବର