ପାକିସ୍ତାନରେ ୧୦୦ ବର୍ଷର ପୁରାତନ ମନ୍ଦିରରେ ପୂଜାର୍ଚ୍ଚନା କଲେ ଭାରତ, ଆମେରିକା ଓ ‘ୟୁଏଇ’ର ହିନ୍ଦୁ ଜନସାଧାରଣ

ପେଶାୱାର୍‌: ଉତ୍ତରପଶ୍ଚିମ ପାକିସ୍ଥାନରେ ନବିକରଣ କରାଯାଇଥିବା ୧୦୦ ବର୍ଷ ପୁରାତନ ମହାରାଜ ପରମହଂସଜୀ ମନ୍ଦିରରେ କଡ଼ା ସୁରକ୍ଷା ବ୍ୟବସ୍ଥାରେ ଶନିବାର ଦିନ ଭାରତ, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଉପସାଗରୀୟ ଅଞ୍ଚଳରୁ ଆସିଥିବା ତୀର୍ଥଯାତ୍ରୀମାନେ ପୂଜାର୍ଚ୍ଚନା କରିଛନ୍ତି।

୧୯୯୭ ମସିହାରେ ଉକ୍ତ ମନ୍ଦିରକୁ ଭାଙ୍ଗି ଦିଆଯାଇଥିଲା। ୨୦୨୦ ଡିସେମ୍ବର ୩୦ ତାରିଖରେ ‘ଜାମିଆତ୍‌ ଉଲେମା-ଇ-ଇସ୍‌ଲାମ୍‌’ର ଦଳେ ଉତ୍ତ୍ୟକ୍ତ ସଦସ୍ୟ ମଧ୍ୟ ମହାରାଜ ପରମହଂସଜୀଙ୍କ ସମାଧିକୁ ଭାଙ୍ଗି ପକାଇଥିଲେ। ଏହି ଘଟଣାକୁ ବିଶ୍ବପ୍ୟାପୀ ସମସ୍ତେ ନିନ୍ଦା କରିଥିଲେ।

ଭାରତୀୟ ଯାତ୍ରୀମାନେ ଲାହୋର୍‌ ନିକଟ ୱାଘା ସୀମାନ୍ତ ଦେଇ ଯାତ୍ରା କରିବା ପରେ ସଶସ୍ତ୍ର ବଳ ସେମାନଙ୍କୁ ସୁରକ୍ଷା ଦେଇ ମନ୍ଦିର ପର୍ଯ୍ୟନ୍ତ ନେଇ ଯାଇଥିଲେ।

ଖାଇବର୍‌ ପଖ୍‌ତୁନ୍‌ଖ୍ବାର କରକ ଜିଲ୍ଲା ଅନ୍ତର୍ଗତ ଟେରୀ ଗ୍ରାମରେ ଥିବା ଉକ୍ତ ମନ୍ଦିର ଓ ପରମହଂସଜୀଙ୍କ ସମାଧିରେ ବ୍ୟାପକ ମରାମତି କରାଯାଇ ନବିକରଣ କରାଯାଇଛି। ଏଥିପାଇଁ ପ୍ରାଦେଶିକ ସରକାର ‘ଜାମିଆତ୍‌ ଉଲେମା-ଇ-ଇସ୍‌ଲାମ୍‌’ର ସମ୍ପୃକ୍ତ ଉତ୍ତ୍ୟକ୍ତ ସଦସ୍ୟମାନଙ୍କ ଠାରୁ ୩.୩ କୋଟି ଟଙ୍କା ଆଦାୟ କରିଥିଲେ। ‘ପାକିସ୍ତାନ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଏୟାର୍‌ଲାଇନ୍‌ସ୍‌’ର ସହଯୋଗରେ ‘ପାକିସ୍ତାନୀ ହିନ୍ଦୁ ପରିଷଦ୍‌’ ଶନିବାର ଦିନର ଦର୍ଶନ ବ୍ୟବସ୍ଥା କରିଥିଲା।

Image Courtesy of Hindustan

ଏଥିପାଇଁ ଜଣେ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ପାହ୍ୟାର ଅଧିକାରୀଙ୍କ ନେତୃତ୍ବରେ ଉପରୋକ୍ତ ସାମଧି ମନ୍ଦିର ଏବଂ ଟେରୀ ଗ୍ରାମର ସୁରକ୍ଷା ନିମନ୍ତେ ରେଞ୍ଜର୍‌, ଇଣ୍ଟେଲିଜେନ୍ସ୍‌ ଏବଂ ଏୟାର୍‌ପୋର୍ଟ ସିକ୍ୟୁରିଟି ଫୋର୍ସଙ୍କ ସମେତ ପ୍ରାୟ ୬୦୦ ବ୍ୟକ୍ତିଙ୍କୁ ମୁତୟନ କରାଯାଇଥିଲା।

ସୂଚନାଯୋଗ୍ୟ, ୧୯୧୯ରେ ଟେରୀ ଗ୍ରାମରେ ମହାରାଜ ପରମହଂସଜୀଙ୍କର ଦେହାନ୍ତ ହୋଇଥିଲା।

ରବିବାର ଅପରାହ୍ଣ ପର୍ଯ୍ୟନ୍ତ ମନ୍ଦିରରେ ଦର୍ଶନ ଚାଲିବ ବୋଲି ‘ହିନ୍ଦୁ ପରିଷଦ୍‌’ର କର୍ମକର୍ତ୍ତାମାନେ କହିଛନ୍ତି। ତୀର୍ଥ ଯାତ୍ରୀଙ୍କ ବିଶ୍ରାମ ପାଇଁ ‘ହୁଜ୍‌ରା’ ବା ମୁକ୍ତାକାଶ ଆତିଥ୍ୟ ପ୍ରକୋଷ୍ଠଗୁଡ଼ିକୁ ଆଶ୍ରସ୍ଥଳୀରେ ପରିଣତ କରାଯାଇଛି।

ସମ୍ବନ୍ଧିତ ଖବର