ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ହୀରାବେନ ମୋଦୀଙ୍କର ଆଜି ୧୦୦ ବର୍ଷ ବୟସରେ ପରଲୋକ ଘଟିଛି। ହୀରାବେନ ମୋଦୀ ଜୀବନ ତମାମ ସଂଘର୍ଷ କରିଛନ୍ତି। ପୁଅ ଜଣେ ରାଜନେତା ଏବଂ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ ସୁଦ୍ଧା ହୀରାବେନଙ୍କୁ ଖୁବ୍ କମ୍ ସମୟ ତାଙ୍କ ପୁଅଙ୍କ ସହ ଦେଖିବାକୁ ମିଳିଛି। ହୀରାବେନ ସର୍ବସାଧାରଣ କାର୍ଯ୍ୟକ୍ରମରୁ ଦୂରେଇ ରହୁଥିଲେ। କେବଳ ୨ ଥର ତାଙ୍କୁ ମୋଦୀଙ୍କ ସହ ସର୍ବସାଧାରଣ ଏବଂ ସରକାରୀ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି। ୧୯୯୨ରେ ମୋଦୀ ଏକତା ଯାତ୍ରାରୁ ଫେରିବା ସମୟରେ ହୀରାବେନଙ୍କୁ ପ୍ରଥମ ଥର ପାଇଁ ସର୍ବସାଧାରଣରେ ଦେଖିବାକୁ ମିଳିଥିଲା ଏବଂ ଦ୍ବିତୀୟ ଥର ସେ ୨୦୦୧ରେ ଗୁଜରାଟର ମୁଖ୍ୟମନ୍ତ୍ରୀ ହେବାପରେ ତାଙ୍କୁ ସର୍ବସାଧାରଣରେ ଦେଖିବାକୁ ମିଳିଥିଲା। ମା’ଙ୍କ ୧୦୦ ତମ ଜନ୍ମଦିନରେ ମୋଦୀ ତାଙ୍କ ମା’ଙ୍କ ସମ୍ପର୍କରେ ଏକ ଭାବପ୍ରବଣ ବ୍ଲଗ୍ ଲେଖିଥିଲେ। ମୋଦୀ କହିଥିଲେ, କୌଣସି ସରକାରୀ ଏବଂ ସର୍ବସାଧାରଣ କାର୍ଯ୍ୟକ୍ରମରେ ମା’ଙ୍କୁ ମୋ ସହ କେବେ ଆପଣ ଦେଖିନଥିବେ ।
ସେ କେବଳ ମୋ ସହ ୨ ଥର ଥିଲେ। ଥରେ ଅହମଦାବାଦରେ ମୁଁ ଏକତା ଯାତ୍ରାରୁ ଫେରିବା ସମୟରେ ସେ ମୋ ମଥାରେ ତିଳକ ଲଗାଇ ଦେଇଥିଲେ ଏବଂ ଦ୍ବିତୀୟରେ ୨୦୦୧ରେ ମୁଁ ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ଥର ଶପଥ ନେବା ସମୟରେ ମୋ ସହ ଥିଲେ। ଶେଷ ଥର ପାଇଁ ମା’ଙ୍କୁ ମୋ ସହ ଏହି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା। ସେବେଠାରୁ ମା’ ମୋ ସହ କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଇନାହାନ୍ତି। ମୋଦୀ କହିଥିଲେ, ମୁଖ୍ୟମନ୍ତ୍ରୀ ହେବାପରେ ମୁଁ ମୋର ସମସ୍ତ ଶିକ୍ଷକଙ୍କୁ ସର୍ବସାଧାରଣରେ ସମ୍ମାନିତ କରିବାକୁ ଚାହିଥିଲି। ମା’ ମୋ ଜୀବନରେ ସବୁଠାରୁ ବଡ଼ ଗୁରୁ। ତାଙ୍କୁ ମଧ୍ୟ ମୁଁ ସମ୍ମାନିତ କରିବାକୁ ଚାହିଥିଲି ଏବଂ କାର୍ଯ୍ୟକ୍ରମରେ ଯୋଗ ଦେବାକୁ କହିଥିଲି। କିନ୍ତୁ ମୋ ମା’ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ମା’ କହିଥିଲେ, ‘ ମୁଁ ଜଣେ ସାଧାରଣ ବ୍ୟକ୍ତି। ମୁଁ ତତେ ଜନ୍ମ ଦେଇଥାଇପାରେ, କିନ୍ତୁ ଭଗବାନ ତତେ ଶିକ୍ଷା ଦେଇଛନ୍ତି ଏବଂ ଆଗକୁ ବଢ଼ାଇଛନ୍ତି।