ନୂଆଦିଲ୍ଲୀ: ପୁଅ ସହିଦ୍ ହେବା ପରେ ପରେ ବୋହୂ ଆମ ଘର ଛାଡ଼ି ଦେଇଥିଲା। ଏବେ ବୋହୂ ଆମ ସହ ରହୁନି। ହେଲେ ପୁଅର ସବୁ ଟଙ୍କା ସେ ନେଉଛି। ଏବେ ଏଭଳି ଦାବି କରି ଚର୍ଚ୍ଚାରେ ଅଛନ୍ତି ସହିଦ୍ ଅଂଶୁମାନ ସିଂହଙ୍କ ମାତାପିତା। ଗତ ବର୍ଷ ଜୁଲାଇରେ ସିଆଚିନରେ ଅଗ୍ନିକାଣ୍ଡ ଘଟଣାରେ ସହିଦ ହୋଇଥିଲେ କ୍ୟାପଟେନ ଅଂଶୁମାନ ସିଂ। ବିବାହର ମାତ୍ର ୫ମାସ ପରେ ଏହି ଘଟଣା ଘଟିଥିଲା। ଅଂଶୁମାନ ସହିଦ୍ ହେବା ପରେ ପତ୍ନୀ ସ୍ମୃତି ସିଂହ ଶାଶୁ-ଶଶୁରଙ୍କୁ ଛାଡ଼ି ଅଲଗା ରହିବା ଆରମ୍ଭ କରିଥିଲେ। ଏବେ ପରିବାର ପୁଅକୁ ହରାଇବା ସହ ପୁଅକୁ ମିଳୁଥିବା ଅନୁକମ୍ପା ରାଶି ପାଇପାରୁନଥିବା କହିଛନ୍ତି। ଏହା ସହ ସରକାରଙ୍କ ଏକ ନିୟମ ବଦଳାଇବାକୁ ଦାବି କରିଛନ୍ତି।

Advertisment

ଅଂଶୁମାନଙ୍କ ମାତାପିତା କହିଛନ୍ତି ଯେ, ଜଣେ ଯବାନ ସହିଦ୍ ହେବା ପରେ ତାଙ୍କ ପରିବାରକୁ ସବୁ ସୁବିଧା ମିଳେ। ଯଦି ଯବାନଜଣକ ବିବାହିତ, ତେବେ ତାଙ୍କ ପତ୍ନୀଙ୍କୁ ହିଁ ସବୁ ସୁବିଧା ମିଳିଥାଏ। କିନ୍ତୁ ଯଦି ଯବାନଙ୍କ ପତ୍ନୀ ଯବାନଙ୍କ ମାତାପିତାଙ୍କ ସହ ରହୁଛନ୍ତି ଏବଂ ଯବାନଙ୍କ ସନ୍ତାନର ମା’ ଅଟନ୍ତି, ତେବେ ଯାଇ ସହିଦଙ୍କ ପରିବାର ଭାବେ ମିଳୁଥିବା ସୁବିଧା ତାଙ୍କୁ ମିଳିବା ଜରୁରୀ। ଅଂଶୁମାନ ଯିବା ପରେ ସ୍ମୃତି ଆମ ଘରୁ ଚାଲିଯାଇଥିଲା। ବିବାହର ୫ମାସ ହୋଇଥିବାରୁ କୌଣସି ସନ୍ତାନ ‌ବି ହୋଇନଥିଲା। ଏସବୁ ପରେ ବି ସେ ସହିଦଙ୍କ ପରିବାରକୁ ମିଳୁଥିବା ସମସ୍ତ ଲାଭ ନେଉଛନ୍ତି। ସରକାର ଏହି ନିୟମକୁ ବଦଳାଇବା ଜରୁରୀ, ଯାହାଦ୍ବାରା ଆଗକୁ କୌଣସି ସହିଦଙ୍କ ପରିବାର ଅଶାନ୍ତି ହେବେ ନାହିଁ।

କିଛି ଦିନ ତଳେ ଅଂଶୁମାନଙ୍କ ପ୍ରତି ସ୍ମୃତିଙ୍କର ଥିବା ଭଲପାଇବାକୁ ନେଇ ଦେଶରେ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଅଂଶୁମାନଙ୍କ ମାତାପିତାଙ୍କ ବୟାନ ସ୍ମୃତିଙ୍କୁ ବିବାଦୀୟ କରିଛି।