ନୂଆଦିଲ୍ଲୀ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଆହୁରି ୮ ମାସ ଥିବାବେଳେ ରାଜ୍ୟରେ ଏବେଠାରୁ ରାଜନୈତିକ ଉଷ୍ମତା ପ୍ରକାଶ ପାଇଛି । କିନ୍ତୁ ଏକ ଜନସଭାରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା କମଲନାଥଙ୍କ ବୟାନ ରାଜ୍ୟରେ ବଡ଼ ବିବାଦ ସୃଷ୍ଟି କରିଛନ୍ତି । ସେ କହିଛନ୍ତି ଯେ ଆଚ୍ଛା ହିସାବ ଲିଆ ଜାଏଗା ( ଭଲ ହିସାବ ନବୁ) । ରାଜ୍ୟର ପୁଲିସ କର୍ମୀଙ୍କୁ ଧମକ ଦେଇ ସେ ଏପରି କହିଥିବା ଅଭିଯୋଗ ହେଉଛି ।
ସେ କହିଛନ୍ତି ଯେ ଆଠ ମାସରେ ନିର୍ବାଚନ ହେବ । ସମସ୍ତଙ୍କୁ କହିବାକୁ ଚାହୁଁଛି ଯେ ସେମାନେ ଆକ୍ରାମକ କିମ୍ବା ପ୍ରତିଶୋଧ ପରାୟଣ ହୁଅନ୍ତୁ ନାହିଁ । କିନ୍ତୁ ପୁଲିସ ଅଧିକାରୀମାନେ କାନ ଖୋଲି ଶୁଣିନିଅନ୍ତୁ ଯେ ସମସ୍ତଙ୍କର ଗୋଟି ଗୋଟି କରି ହିସାବ ନିଆଯିବ ।
ଏହାକୁ ନେଇ ବିବାଦ ଦେଖାଦେଇଛି । ବିଜେପି ପକ୍ଷରୁ ଏହାର ଜବାବ ଆସିଛି । ବିଜେପି ମୁଖପାତ୍ର ଶେହଜାଦ ପୁନାବାଲା କହିଛନ୍ତି ଯେ ଏହା କମଲନାଥଙ୍କ ଜରୁରୀକାଳୀନ ସମୟର ମାନସିକତାକୁ ପୁଣି ପଦାରେ ପକାଇଦେଇଛି ।
ଏହା ପ୍ରଥମ ଥର ପାଇଁ ନୁହେଁ, ଯେତେବେଳେ କମଳନାଥ ପୁଲିସ କର୍ମଚାରୀଙ୍କୁ ଧମକ ଦେଇଛନ୍ତି । ୨୦୨୧ରେ ସେ ମଧ୍ୟ ଏପରି କରିଥିଲେ । ଏହାଛଡ଼ା ତାଙ୍କର ନିଆଁ ଲଗାଇଦିଅ ମନ୍ତବ୍ୟ କଥା ବି ମନେ ଅଛି ବୋଲି ପୁନାଓ୍ବାଲା କହିଛନ୍ତି ।