ଏଥର ଇଣ୍ଡିଗୋ କର୍ମଚାରୀଙ୍କ ଆକ୍ରୋଶର ଶିକାର ହେଲେ ଐତିହାସିକ ରାମଚନ୍ଦ୍ର ଗୁହା

ଥରେ ନୁହେଁ ସପ୍ତାହକ ମଧ୍ୟରେ ତିନି ଥର

ନୂଆଦିଲ୍ଲୀ: ନିଜ ଯାତ୍ରୀମାନଙ୍କ ପ୍ରତି ଅଶାଳୀନ ଆଚରଣ ପ୍ରଦର୍ଶନ ସହ ସେମାନଙ୍କୁ ଦୁର୍ବବ୍ୟହାର, ଏବେ ସତେ ଯେପରି ଘରୋଇ ବିମାନ କମ୍ପାନି ଇଣ୍ଡିଗୋର ଏକ ଅଘୋଷିତ ନୀତି ଓ ଆଦର୍ଶରେ ପରିଣତ ହୋଇଛି! ଆଜି ଇଣ୍ଡିଗୋ ବିମାନରେ ଯାତ୍ରା କାଳରେ ବିମାନ କର୍ମଚାରୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ଖ୍ୟାତନାମା ଐତିହାସିକ, ଲେଖକ ତଥା ସ୍ତମ୍ଭକାର ରାମଚନ୍ଦ୍ର ଗୁହା। ଆଜି ଇଣ୍ଡିଗୋ ବିମାନରେ ଯାତ୍ରା କାଳରେ ତାଙ୍କ ସହ ଘଟିଥିବା ଘଟଣା ସଂପର୍କରେ ଶ୍ରୀ ଗୁହା ତାଙ୍କ ଟୁଇଟର ପୃଷ୍ଠାରେ ଟୁଇଟ୍‌ କରି ସବିଶେଷ ବର୍ଣ୍ଣନା କରିବା ପରେ ଏବେ ଏହାକୁ ନେଇ ଦେଶବ୍ୟାପି ଆଲୋଡ଼ନ ଓ ଚର୍ଚ୍ଚା ସୃଷ୍ଟି ହୋଇଛି।

ନିଜ ଟୁଇଟ୍‌ରେ ଶ୍ରୀ ଗୁହା ଲେଖିଛନ୍ତି, ‘ଥରେ ନୁହେଁ; ସପ୍ତାହକ ମଧ୍ୟରେ ତିନି ତିନି ଥର ଇଣ୍ଡିଗୋ୬ଇର କର୍ମଚାରୀ ମୋ ସହ ଅଶାଳୀନ ଆଚରଣ ଓ ଦୁର୍ବବ୍ୟବହାର ପ୍ରଦର୍ଶନ କରି ମୋତେ ଉସ୍‌କାଇଥିଲେ। ଆଜିର ଘଟଣାରେ ଭିନ୍ନ ଲୋକ, ଭିନ୍ନ ବିମାନ ବନ୍ଦର ଥିଲା; ହେଲେ ବିମାନ ସଂସ୍ଥା ଥିଲା ସମାନ। ସଂପୂର୍ଣ୍ଣ ଅରୁଚିକର।’ ‘ସାଧାରଣ ଭାବେ ମୁଁ ସୋସିଆଲ ମିଡିଆକୁ ଏକ ଗ୍ରାହକ ଅଭିଯୋଗ ଶୁଣାଣିର ମାଧ୍ୟମ ଭାବେ ବ୍ୟବହାର କରିବାକୁ ପସନ୍ଦ କରେ ନାହିଁ। ତେବେ, ଏ ଘଟଣା ଥରେ ନୁହେଁ ଗୋଟିଏ ସପ୍ତାହ ମଧ୍ୟରେ ମୋ ସହ ତିନି ତିନି ଥର ଘଟିବାପରେ ମୁଁ ସୋସିଆଲ ମିଡିଆ ସହାୟତାରେ ଏହାକୁ ଅନ୍ୟମାନଙ୍କ ନଜରକୁ ଆଣିବାକୁ ବାଧ୍ୟ ହେଲି। ଆଜିର ଘଟଣା ମୋ ପାଇଁ ଥିଲା ସପ୍ତାହକ ମଧ୍ୟରେ ତୃତୀୟ ଘଟଣା’… ନିଜ ଟୁଇଟ୍‌ରେ ଉଲ୍ଲେଖ କରିଛନ୍ତି ଐତିହାସିକ ଶ୍ରୀ ଗୁହା। ଖାଲି, ମୁଁ ନୁହେଁ; ମୋ ପରିବାରର ଅନ୍ୟ ସଦସ୍ୟ ଓ ମୋ ବନ୍ଧୁମାନେ ମଧ୍ୟ ଅନେକ ବାର ଏହି ବିମାନ କମ୍ପାନିର କର୍ମଚାରୀଙ୍କ ଦ୍ୱାରା ଅଯଥା ଆକ୍ରୋଶର ଶିକାର ହୋଇଛନ୍ତି ଏବଂ ଏହା ସଂପୃକ୍ତ ବିମାନ କମ୍ପାନିର ଏକ ଅଭ୍ୟାସରେ ପରିଣତ ହୋଇ ପଡ଼ିଛି ବୋଲି ସେ ଅଭିଯୋଗ କରିଛନ୍ତି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଘରୋଇ ବିମାନ କମ୍ପାନି ଇଣ୍ଡିଗୋ ବିରୋଧରେ ଏପରି ଅଭିଯୋଗ କିଛି ନୁହେଁ। ବରଂ, ଇଣ୍ଡିଗୋ ବିରୋଧରେ ଏପରି ଅଭିଯୋଗର ଫର୍ଦ୍ଦ ବେଶ ଲମ୍ବା। ଏବଂ ଏପରି ଏକାଧିକ ଅଭିଯୋଗର ତଦନ୍ତ ଏବେ ଜାରି ରଖିଛନ୍ତି ବେସାମରିକ ବିମାନ ଚଳାଚଳ ବିଭାଗ ମହାନିର୍ଦ୍ଦେଶକ। ତେବେ, ଏଥର ସଂପୃକ୍ତ ବିମାନ କମ୍ପାନିର କର୍ମଚାରୀମାନେ ଯେପରି ଭାବେ ଜାତୀୟ ଓ ଅନ୍ତର୍ଜତୀୟ ସ୍ତରରେ ଖ୍ୟାତିସମ୍ପନ୍ନ ଐତିହାସିକଙ୍କୁ ଅପମାନିତ ଓ ଲାଞ୍ଛିତ କରିଛନ୍ତି, ସେଥିପାଇଁ ସେମାନଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ସାଧାରଣରେ ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର