ଭାରତର ‘ଚନ୍ଦ୍ରଯାନ-୩’ ବୁଧବାର ଚନ୍ଦ୍ରର ଦକ୍ଷିଣମେରୁରେ ସଫଳଭାବେ ଅବତରଣ କରିଛି। ଏହାଫଳରେ ଆମେରିକା, ଚୀନ୍ ଏବଂ ପୂର୍ବତନ ସୋଭିଏତ୍ ୟୁନିୟନ ପରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ଭାରତ ଚତୁର୍ଥ ଦେଶରେ ପରିଣତ ହୋଇଛି। କିନ୍ତୁ ଚନ୍ଦ୍ରର ଦକ୍ଷିଣ ମେରୁରେ  ଅବତରଣ କରିବାରେ ଏହା ହେଉଛି ବିଶ୍ବର ପ୍ରଥମ ଦେଶ। ଏବେ ଆସନ୍ତୁ ଜାଣିବା ଭାରତର ପୂର୍ବ ଐତିହାସିକ ମହାକାଶ ଅଭିଯାନଗୁଡ଼ିକ ବିଷୟରେ...
ଆର୍ଯ୍ୟଭଟ୍ଟ (୧୯୭୫)
ଆର୍ଯ୍ୟଭଟ୍ଟ ମହାକାଶଯାନ ଥିଲା ଭାରତର ପ୍ରଥମ ଉପଗ୍ରହ। ପଞ୍ଚମ ଶତାବ୍ଦୀର ପ୍ରସିଦ୍ଧ ଭାରତୀୟ ଜ୍ୟୋତିର୍ବିଜ୍ଞାନୀ ଓ ଗଣିତଜ୍ଞଙ୍କ ନାମରେ ଏହାର ନାମକରଣ କରାଯାଇଥିଲା। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଅନୁଯାୟୀ, ଏହି ମହାକାଶଯାନକୁ ସମ୍ପୂର୍ଣ୍ଣ ଭାବେ ଭାରତରେ ଡିଜାଇନ୍ କରାଯାଇଥିଲା ଏବଂ ୧୯୭୫ ଏପ୍ରିଲ ୧୯ରେ ସୋଭିଏତ୍ କସ୍ମସ୍-୩ଏମ୍ ରକେଟ୍ ଦ୍ୱାରା ଏହାକୁ ଉତ୍‌କ୍ଷେପଣ କରାଯାଇଥିଲା।

Advertisment

ଭାସ୍କର ( ୧୯୭୯)

ଆର୍ଯ୍ୟଭଟ୍ଟ ପରେ ଦ୍ବିତୀୟ ଉପଗ୍ରହ ଭାବେ ଭାରତ ମହାକାଶକୁ ‘ଭାସ୍କର’ ଉପଗ୍ରହ ପ୍ରେରଣ କରିଥିଲା। ୪୪୪ କିଲୋ ଓଜନର ଏହି ଉପଗ୍ରହକୁ ଇସ୍ରୋ ନିର୍ମାଣ କରିଥିଲା ଓ ଏହା ଦେଶର ପ୍ରାଚୀନ ଗଣିତଜ୍ଞ ଭାସ୍କରଙ୍କ ନାମାନୁସାରେ ନାମିତ କରାଯାଇଥିଲା। ପ୍ରଥମେ ‘ଭାସ୍କର-୧’ ଓ ପରେ ‘ଭାସ୍କର-୨’ ପ୍ରେରଣ କରାଯାଇଥିଲା। ଏହି ଦୁଇଟି କୃତ୍ରିମ ଉପଗ୍ରହ ପୃଥିବୀର ନିମ୍ନ ପରିକ୍ରମଣ ମାର୍ଗରେ ଅବସ୍ଥାପନ କରାଯାଇଥିଲା। 

ଇଣ୍ଡିଆନ୍ ନ୍ୟାସନାଲ ସାଟେଲାଇଟ୍-ଇନ୍‌ସାଟ୍ (୧୯୮୩)
ଇନ୍‌ସାଟ୍ ବା ଇଣ୍ଡିଆନ୍ ନ୍ୟାସନାଲ ସାଟେଲାଇଟ୍ ସିଷ୍ଟମ୍ ହେଉଛି ଦେଶର ଟେଲି ଯୋଗାଯୋଗ, ପ୍ରସାରଣ, ପାଣିପାଗ ବିଜ୍ଞାନ ଏବଂ ଦେଶର ଅନୁସନ୍ଧାନ ଓ ଉଦ୍ଧାର ଆବଶ୍ୟକତାକୁ ପୂରଣ କରିବା ପାଇଁ ଭାରତୀୟ ମହାକାଶ ଏଜେନ୍ସି ଦ୍ୱାରା ଉତ୍‌କ୍ଷେପିତ ବହୁମୁଖୀ ଜିଓ-ଷ୍ଟେସନାରୀ ଉପଗ୍ରହର ଏକ ଶୃଙ୍ଖଳା। ଇନ୍‌ସାଟ୍‌ ୧୯୮୩ ମସିହାରେ କାର୍ଯ୍ୟକ୍ଷମ ହୋଇଥିଲା ଏବଂ ଏହା ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ସର୍ବବୃହତ୍ ଘରୋଇ ଯୋଗାଯୋଗ ବ୍ୟବସ୍ଥା। ଜୀବନ ଓ ସମ୍ପତ୍ତିର ସୁରକ୍ଷା ପାଇଁ ବାତ୍ୟା ସତର୍କ ସୂଚନା ପ୍ରଦାନ କରିବା ଏହି ମିସନର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ଚନ୍ଦ୍ରଯାନ-୧ (୨୦୦୮)
ଚନ୍ଦ୍ରଯାନ-୧ ହେଉଛି ଭାରତର ପ୍ରଥମ ଚନ୍ଦ୍ର ଅଭିଯାନ। ଅକ୍ଟୋବର ୨୦୦୮ରେ ଏହାର ଶୁଭାରମ୍ଭ କରାଯାଇଥିଲା, ଯେଉଁଥିରେ ଦୁଇବର୍ଷର ଯୋଜନାବଦ୍ଧ ମିସନ ଜୀବନ ଥିଲା। ଏହି ମହାକାଶଯାନରେ ଭାରତ, ଆମେରିକା, ବ୍ରିଟେନ, ଜର୍ମାନୀ, ସ୍ୱିଡେନ ଓ ବୁଲଗେରିଆରେ ନିର୍ମିତ ୧୧ଟି ବୈଜ୍ଞାନିକ ଉପକରଣ ରହିଛି। ଏହା ଚନ୍ଦ୍ରପୃଷ୍ଠଠାରୁ ୧୦୦ କିଲୋମିଟର ଉଚ୍ଚତାରେ ଚନ୍ଦ୍ରକୁ ପରିକ୍ରମା କରି ଚନ୍ଦ୍ରର ରାସାୟନିକ, ଖଣିଜ ବୈଜ୍ଞାନିକ ଏବଂ ଫଟୋ-ଜିଓଲୋଜିକ୍‌ (ଆଲୋକ-ଭୂତାତ୍ତ୍ବିକ) ମ୍ୟାପିଂ କରିଥିଲା। ୨୦୦୯ ମସିହା ମେ ମାସରେ ଏହି ମହାକାଶଯାନ ପ୍ରମୁଖ ମିସନ ଲକ୍ଷ୍ୟ ହାସଲ କରିବା ପରେ ଚନ୍ଦ୍ରଠାରୁ ୨୦୦ କିଲୋମିଟର ଦୂର କକ୍ଷପଥକୁ ସ୍ଥାନାନ୍ତରିତ ହୋଇଥିଲା। ଚନ୍ଦ୍ର ଚାରିପଟେ ଏହା ୩,୪୦୦ ଥର ପରିକ୍ରମା କରିଛି। କିନ୍ତୁ ୨୦୦୯ ଅଗଷ୍ଟ ୨୯ ତାରିଖରେ ଚନ୍ଦ୍ରଯାନ-୧ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା।
ମଙ୍ଗଳଯାନ (୨୦୧୪)
ମଙ୍ଗଳଯାନ ବା ମାର୍ସ ଅର୍ବିଟର ମିସନ (ଏମ୍‌ଓଏମ୍‌) ହେଉଛି ଭାରତର ପ୍ରଥମ ମଙ୍ଗଳ ଅଭିଯାନ। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ୨୦୧୩ ନଭେମ୍ବର ୫ତାରିଖରେ ଏହି ମହାକାଶଯାନକୁ ଉତ୍‌କ୍ଷେପଣ କରିଥିଲା ଏବଂ ୨୦୧୪ ସେପ୍ଟେମ୍ବର ୨୩ ତାରିଖରେ ଏହା ସଫଳତାର ସହ ମଙ୍ଗଳ କକ୍ଷପଥରେ ପ୍ରବେଶ କରିଥିଲା। ଏହି ସମଗ୍ର ମିସନକୁ ସ୍ବଳ୍ପ ବଜେଟରେ ଉତ୍‌କ୍ଷେପଣ କରାଯାଇଥିଲା ଏବଂ ଯଦିଓ ଉପଗ୍ରହଟି କେବଳ ଛଅମାସର ମିସନ ପାଇଁ ଡିଜାଇନ୍ କରାଯାଇଥିଲା, ତଥାପି ଏହା ପାଖାପାଖି ୮ ବର୍ଷ ପର୍ଯ୍ୟନ୍ତ ସେବା ପ୍ରଦାନ ଜାରି ରଖିଥିଲା। ମଙ୍ଗଳ ଅଭିଯାନ ମଙ୍ଗଳ ଗ୍ରହ ଚାରିପଟେ ଏକ ଅର୍ବିଟର ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଥିଲା। ମଙ୍ଗଳ ଅର୍ବିଟର ମିସନ ପ୍ରାୟ ୧୫ କିଲୋଗ୍ରାମ ଓଜନର ପାଞ୍ଚଟି ବୈଜ୍ଞାନିକ ପେଲୋଡ୍ ବହନ କରିଥିଲା। ସେଗୁଡ଼ିକ ଭୂବିଜ୍ଞାନ, ବାୟୁମଣ୍ଡଳୀୟ ପ୍ରକ୍ରିୟା, ଭୂପୃଷ୍ଠର ତାପମାତ୍ରା ଇତ୍ୟାଦି ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ ବୋଲି ଇସ୍ରୋ କହିଛି।
ଗୋଟିଏ ମିସନରେ ୧୦୪ଟି ଉପଗ୍ରହ ଉତ୍‌କ୍ଷେପଣ (୨୦୧୭)
୨୦୧୭ ଫେବ୍ରୁଆରିରେ ଭାରତ ଗୋଟିଏ ମିସନରେ ୧୦୪ଟି ଉପଗ୍ରହକୁ ସଫଳତାର ସହ ଉତ୍‌କ୍ଷେପଣ କରି ଇତିହାସ ରଚିଥିଲା। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ମହାକାଶ କେନ୍ଦ୍ରରୁ ଏହି ଉତ୍‌କ୍ଷେପଣ କରାଯାଇଥିଲା। ୧୦୪ଟି କ୍ଷୁଦ୍ର ଉପଗ୍ରହ ମଧ୍ୟରୁ ୯୬ଟି କେବଳ ଯୁକ୍ତରାଷ୍ଟ୍ର ଆମେରିକାର ହୋଇଥିବା ବେଳେ ଇସ୍ରାଏଲ, କାଜାଖସ୍ତାନ, ସଂଯୁକ୍ତ ଆରବ ଏମିରେଟ୍ସ, ସୁଇଜରଲ୍ୟାଣ୍ଡ ଏବଂ ନେଦରଲ୍ୟାଣ୍ଡର ଉପଗ୍ରହ ମଧ୍ୟ ଏଥିରେ ଥିଲା। ଏଥିରେ ଥିବା ସମସ୍ତ ଉପଗ୍ରହର ମୋଟ ଓଜନ ପ୍ରାୟ ୧୩୭୮ କିଲୋଗ୍ରାମ୍ ଥିଲା।
ଚନ୍ଦ୍ରଯାନ-୨ (୨୦୧୯)
ଚନ୍ଦ୍ରଯାନ-୨ରେ ଗୋଟିଏ ଅର୍ବିଟର, ଲ୍ୟାଣ୍ଡର ଓ ରୋଭର ଥିଲା। ୨୦୧୯ ଜୁଲାଇ ୨୨ ତାରିଖରେ ଏହାକୁ ସଫଳତାର ସହ ଉତ୍‌କ୍ଷେପଣ କରାଯାଇଥିଲା। ଚନ୍ଦ୍ରର ଦକ୍ଷିଣମେରୁରେ ନରମ ଅବତରଣ କରିବା ସହ ରୋଭର ସାହାଯ୍ୟରେ ଚନ୍ଦ୍ରପୃଷ୍ଠରେ ବୁଲିବା ଏବଂ ପେଲୋଡ୍‌ଗୁଡ଼ିକ ସାହାଯ୍ୟରେ ଚନ୍ଦ୍ରପୃଷ୍ଠର ବୈଜ୍ଞାନିକ ଅଧ୍ୟୟନ କରିବା ଏହାର ଲକ୍ଷ୍ୟ ଥିଲା। ଏହାର ସବୁ ପ୍ରକ୍ରିୟା ସଫଳତାର ସହ ସମ୍ପନ୍ନ ହୋଇଥିଲା। ମାତ୍ର ଦକ୍ଷିଣମେରୁରେ ନରମ ଅବତରଣ କରିବାରେ ଏହା ବିଫଳ ହୋଇଥିଲା। ଅଧିକ ବେଗରେ ଅବତରଣ କରିବାରୁ ଚନ୍ଦ୍ରପୃଷ୍ଠରେ ଘଷି ହୋଇ ଏହାର ଲ୍ୟାଣ୍ଡରଟି ଭାଙ୍ଗିଯାଇଥିଲା। କିନ୍ତୁ ଲ୍ୟାଣ୍ଡରଟି ନଷ୍ଟ ହୋଇଗଲେ ମଧ୍ୟ ଏହାର ଅନ୍ୟ ସବୁ ଉପକରଣ ଠିକ୍‌ଭାବେ କାମ କରୁଥିଲା ଏବଂ ଇସ୍ରୋକୁ ଆବଶ୍ୟକ ତଥ୍ୟ ପଠାଉଥିଲା। ଚନ୍ଦ୍ରଯାନ-୨ର ବିଫଳତାରୁ ଶିକ୍ଷା ଗ୍ରହଣ କରି ଚନ୍ଦ୍ରଯାନ-୩କୁ ସଫଳ କରାଇବାରେ ଇସ୍ରୋର ବୈଜ୍ଞାନିକମାନେ ସକ୍ଷମ ହୋଇଛନ୍ତି।
ଚନ୍ଦ୍ରଯାନ-୩ (୨୦୨୩)
ଚନ୍ଦ୍ରଯାନ-୩ ହେଉଛି ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ଅବତରଣ ପାଇଁ ଚନ୍ଦ୍ରଯାନ-୨ର ଏକ ଅନୁଗାମୀ (ଫଲୋଅପ୍) ଅଭିଯାନ। ଜୁଲାଇ ୧୪ରେ ଆନ୍ଧ୍ରପ୍ରଦେଶରେ ଥିବା ଭାରତର ମୁଖ୍ୟ ମହାକାଶ କେନ୍ଦ୍ରରୁ ଏହାର ଉତ୍‌କ୍ଷେପଣ କରାଯାଇଥିଲା। ଏହି ମହାକାଶଯାନ ଆଜି ସନ୍ଧ୍ୟାରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳଭାବେ ଅବତରଣ କରି ଇତିହାସ ରଚନା କରିଛି। ଏହାଫଳରେ ମହାକାଶ ଅଭିଯାନ କ୍ଷେତ୍ରରେ ଭାରତର ଗୌରବ ବୃଦ୍ଧି ପାଇଛି।